ଭୁବନେଶ୍ୱର : ନିଶାମୁକ୍ତି ପାଇଁ ସରକାରଙ୍କ ବଡ଼ ଘୋଷଣା ସହିତ ପୁଲିସ ଓ ଅନ୍ୟ ସଂସ୍ଥାମାନଙ୍କ ଶପଥ ସତ୍ତ୍ୱେ ରାଜଧାନୀରେ ନିଶା ଉପଦ୍ରବ ବଢ଼ିବଢ଼ି ଚାଲିଛି । ଶିକ୍ଷାନୁଷ୍ଠାନର କ୍ୟାମ୍ପସ୍ଗୁଡ଼ିକୁ ନିଶାମୁକ୍ତ କରିବା ଲାଗି ଉଚ୍ଚଶିକ୍ଷା ବିଭାଗର ଘୋଷଣା ସେମିତି କିଛି ପ୍ରଭାବ ପକାଇବା ଭଳି ମନେ ହେଉନାହିଁ ।
ନିକଟରେ ରାଜଧାନୀର ହୃତପିଣ୍ଡରେ ଥିବା ରାଜଧାନୀ କଲେଜ୍ ଫାଟକ ନିକଟରୁ ନିଶା ବେପାରୀଙ୍କୁ ଗିରଫ କରାଯିବା ଏବଂ ବିଧାନସଭା, ସଚିବାଳୟ ଓ କମିଶନରେଟ୍ ପୁଲିସ ମୁଖ୍ୟ ଦପ୍ତରର ଅନତି ଦୂରରେ ଥିବା ରବୀନ୍ଦ୍ର ମଣ୍ଡପ ଛକ ନିକଟରେ ନିଶାଡ଼ିଙ୍କ ଦୌରାତ୍ମ୍ୟରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ସମେତ ଆଉ କିଛି ବ୍ୟକ୍ତି ଆହତ ହେବା ଘଟଣାରୁ ପୁଲିସକୁ କିଭଳି ନିଶାଡ଼ିମାନେ ଖାତିର କରୁନାହାନ୍ତି ତାହା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଦୀର୍ଘବର୍ଷ ଧରି ନିଶା ନିବାରଣ କ୍ଷେତ୍ରରେ କାମ କରିଆସୁଥିବା କର୍ମୀମାନେ କହୁଛନ୍ତି ।
ଗୋଟିଏ ପଟେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଥିବାବେଳେ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଘୋଷଣା କରୁଛନ୍ତି । ବିଜେପି ମଧ୍ୟ ଓଡ଼ିଶା ପାଇଁ ଥିବା ନିର୍ବାଚନୀ ସଂକଳ୍ପରେ ୨୦୨୯ ସୁଦ୍ଧା ଓଡ଼ିଶା ସଂପୂର୍ଣ୍ଣ ମଦମୁକ୍ତ ହେବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇ ଆସିଛି ।
ରାଜଧାନୀରେ ଅପରାଧ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହାକୁ ଦମନ କରିବା ପାଇଁ ଖୋଦ୍ ପୁଲିସ ମହାନିର୍ଦ୍ଦେଶକ ନିକଟରେ କମିଶନରେଟ୍ ପୁଲିସର ଅଧିକାରୀମାନଙ୍କୁ ତାଗିଦ କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ରାଜଧାନୀରେ ଯେତେସବୁ ଅପରାଧ ଘଟୁଛି ସେଥିରୁ ଅଧିକାଂଶ ନିଶାଡ଼ିଙ୍କ ପ୍ରାବଲ୍ୟ ଯୋଗୁ ଉପୁଜୁଥିବା ଅନେକ ଅବସରପ୍ରାପ୍ତ ପୁଲିସ ଅଧିକାରୀ ସ୍ୱୀକାର କରୁଛନ୍ତି ।
ମଦ ସହିତ ବ୍ରାଉନସୁଗାର, ଚରସ, ହେରୋଇନ୍, ଅଫିମ, ଗଞ୍ଜେଇ, କଫ୍ ସିରପ୍ ଓ ଅନ୍ୟ ନିଶା ବଟିକା ରାଜଧାନୀରେ ହାଉଯାଉ । ବିଶେଷକରି ନିଶା ବେପାରୀମାନେ ଯୁବ ସମାଜକୁ ଟାର୍ଗେଟ୍ କରି ସେମାନଙ୍କ ସାମ୍ରାଜ୍ୟ ବଢ଼ାଇ ଚାଲୁଛନ୍ତି । ରାଜ୍ୟର ଯୁବପିଢ଼ିଙ୍କ ଭିତରେ ନିଶାର ଭୟାବହତା ଘେନି ରାଜ୍ୟ ଯୁବ ନୀତିରେ ମଧ୍ୟ ସ୍ୱୀକାର କରାଯାଇଛି । ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ସଚେତନ କରିବା ଲାଗି ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ସହିତ ଗଣଦୌଡ଼ମାନଙ୍କରେ ବି ଭାଗ ନେଉଛନ୍ତି ।
ତେବେ ରାଜଧାନୀର ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ନିଶାଡ଼ିଙ୍କ ଦୌରାତ୍ମ୍ୟ ସ୍ପଷ୍ଟ ବାରି ହୋଇଯାଉଛି । ରାତି ତ ଦୂରର କଥା ଦିନ ବେଳା ବି ମଦ ଦୋକାନଗୁଡ଼ିକରେ ଯେଭଳି ଭିଡ଼ ହେଉଛି ଏବଂ ସେଥିରେ ସଂଖ୍ୟାଧିକ ଯୁବକ ଥିବା ଦେଖାଯାଉଛି ତାହା ନିଶାର ଭୟାବହତାକୁ ପ୍ରମାଣିତ କରୁଛି । ଏଭଳି ସ୍ଥିତିରେ ଚୋରା ନିଶା ବିରୋଧରେ ସରକାରଙ୍କ କାର୍ଯ୍ୟକ୍ରମ ଚାଲୁଥିଲେ ମଧ୍ୟ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଢେର କମ୍ ରହୁଥିବା ଘେନି ଅତୀତରେ ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଉଦ୍ବେଗର ସହ ଉଲ୍ଲେଖ କରିଛନ୍ତି ।
ନିଶା ଯୋଗୁ ଅନେକ ଦୁର୍ଘଟଣା ଘଟୁଥିବା ପରିପ୍ରେକ୍ଷୀରେ କମିଶନରେଟ୍ ପୁଲିସ ମଦୁଆ ଗାଡ଼ି ଚାଳକମାନଙ୍କୁ ରାସ୍ତା ଅବରୋଧ କରି ରାତିରେ ଧରୁଛି । ନିଶାଡ଼ିମାନେ କେତେକ କ୍ଷେତ୍ରରେ ପୁଲିସକୁ ଧମକ ଚମକ ଦେବା ସହ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଏ ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ନିଶାଡ଼ି ଓ ନିଶା ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ବରିଷ୍ଠ ନାଗରିକଙ୍କ ସମେତ ବିଭିନ୍ନ ସଂଗଠନ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)

