ଭୁବନେଶ୍ୱର : ଇ-ଚାଲାଣ ପୋର୍ଟାଲରେ ଓଡିଆ ଭାଷା କେବେ ? ନିଜ ନିଜର ଜୋରିମାନା ପଇଠ ପାଇଁ ଏହି ପୋର୍ଟାଲର ସହାୟତା ନେଉଥିବା ଓଡିଶାର ଗାଡିଚାଳକମାନେ ଏହି ପ୍ରଶ୍ନ କରୁଛନ୍ତି । ଉକ୍ତ କେନ୍ଦ୍ରୀୟ ପୋର୍ଟାଲରେ ଏବେ ଇଂରାଜୀ ସହିତ ହିନ୍ଦୀ, ମରାଠୀ ଓ ମାଲାୟାଲାମ ଭଳି ଭାଷା ଉପଲବ୍ଧ ହୋଇସାରିଲାଣି ।
ରାଜ୍ୟରେ ଏବେ ଗାଡି ଚାଳକମାନେ ନିଇତି ଜୋରିମାନାର ସମ୍ମୁଖୀନ ହେଉଛନ୍ତି । କାହାର ଦ୍ରୁତ ଗତି ପାଇଁ ଚାଲାଣ କଟୁଛି ତ ଆଉ କାହାର ହେଲମେଟ ନଥିବା ଯୋଗୁଁ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ସହିତ ବୀମା, ପ୍ରଦୂଷଣ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ନଥିବା ଗାଡି ଓ ଚାଳକଙ୍କ ଉପରେ ବି ପରିବହନ ବିଭାଗ ଓ ପୁଲିସ୍ ଜୋରିମାନା ଠୁଙ୍କୁଛନ୍ତି । ଏପରିକି ରାସ୍ତାଘାଟରେ ଟ୍ରାଫିକ ପୁଲିସ୍ କର୍ମଚାରୀମାନେ ନିଜ ନିଜ ମୋବାଇଲରେ ଫଟୋ ଉଠାଇ ଗାଡିମାଲିକଙ୍କ ଠାରୁ ଜୋରିମାନା ଆଦାୟ କରୁଛନ୍ତି । ପ୍ରତ୍ୟେକ ଦିନ କେତେ ଜୋରିମାନା କାହାଠାରୁ ଆଦାୟ ହେଉଛି ପରିବହନ ବିଭାଗ ବି ଗର୍ବର ସହିତ ତାହାର ତାଲିକା ପ୍ରଦାନ କରୁଛି ।
ଏହି ଜୋରିମାନା ପଇଠ ପାଇଁ ଲୋକଙ୍କୁ ଇ ଚାଲାଣ ପୋର୍ଟାଲର ସହାୟତା ନେବାକୁ ବି ପରାମର୍ଶ ଦିଆଯାଉଛି । ପୋର୍ଟାଲ ଜରିଆରେ ନିଜ ନିଜର ଅର୍ଥ ପଇଠ କରାଯାଇ ପାରିବ । ହେଲେ ପୋର୍ଟାଲ ଖୋଲିଲା ବେଳକୁ ସେଥିରେ ଚାରି ଚାରିଟି ଭାଷା ଥିବାବେଳେ ଓଡିଆ ଭାଷା ନାହିଁ ।
ବିଶେଷଜ୍ଞମାନଙ୍କ ମତରେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକଥା । ରାଜ୍ୟ ସରକାର ନିଜସ୍ୱ ଭାଷାରେ ପୋର୍ଟାଲର ଅନୁବାଦ କରି କେନ୍ଦ୍ର ସରକାରଙ୍କୁ ପ୍ରଦାନ କଲେ ଇଚାଲାଣ ପୋର୍ଟାଲରେ ଓଡିଆ ଭାଷା ଉପଲବ୍ଧ ହୋଇପାରିବ । ଯେଉଁ ରାଜ୍ୟ ସରକାରମାନେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି ସେହି ରାଜ୍ୟର ଭାଷା ଏଠାରେ ଦେଖିବାକୁ ମିଳୁଛି ।
ସେହିଭଳି ପରିବହନ ବିଭାଗ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟର ତାଲିକା ପ୍ରକାଶ କରୁଥିବାବେଳେ ରାଜ୍ୟର ଯାନବାହାନ ଚାଳକମାନେ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସଂକ୍ରାନ୍ତରେ ପଦୁଟିଏ ହେଲେ କହୁନାହିଁ କିମ୍ବା ଏହାର ସମାଧାନ କରୁନାହିଁ । ରାସ୍ତାରେ ଟ୍ରାଫିକ ଭିଡ ଠାରୁ ଆରମ୍ଭ କରି ରାସ୍ତାସାରା ଖାଲଖମା, ପରିବହନ ଦପ୍ତରରେ ଦଲାଲମାନଙ୍କ ଦୌରାତ୍ମ୍ୟ ଆଦି ଯୋଗୁଁ ଗାଡିଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ସେହିଭଳି ଗାଡି ବିକ୍ରେତାମାନେ ଗ୍ରାହକମାନଙ୍କୁ ବିଭିନ୍ନ ଭାବରେ ଠକିବାରେ ଲାଗିଛନ୍ତି । ବିଶେଷକରି ନୂଆ ଗାଡି ସହିତ ଯେଉଁସବୁ ସାମଗ୍ରୀ କମ୍ପାନୀ ଯୋଗାଇ ଦେଉଛି ସେଗୁଡିକ ପାଇଁ ବିତରକମାନେ ଅର୍ଥ ଆଦାୟ କରୁଛନ୍ତି । ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କେବେ ହେଲେ କୌଣସି ଗାଡି ବିକ୍ରୟ ସୋରୁମ୍ରେ ଯାଞ୍ଚ କରାଯିବାର ନଜିର ନାହିଁ । ଜୋରିମାନା ଆଦାୟରେ ପରିବହନ ବିଭାଗ ଯେଭଳି ତତ୍ପରତା ପ୍ରଦର୍ଶନ କରୁଛି ଗାଡିଚାଳକମାନଙ୍କ ସ୍ୱାର୍ଥର ସୁରକ୍ଷାପାଇଁ ସେଭଳି କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)

