ଭୁବନେଶ୍ୱର : ରାଜଧାନୀର ଟ୍ରାଫିକ ପରିଚାଳନାକୁ ନେଇ ସାଧାରଣରେ ଅସନ୍ତୋଷ ବଢୁଥିବାବେଳେ ସହରର ମୁଖ୍ୟ ରାସ୍ତା ତୁଳନାରେ ଗଳିକନ୍ଦିରେ ବିଗୁଡୁଥିବା ଟ୍ରାଫିକ ସମସ୍ୟା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହେଲାଣି । ଗଳିକନ୍ଦିରେ ଡାକ୍ତରଖାନା ଠାରୁ ଛୋଟ ବଡ ବ୍ୟବସାୟ କେନ୍ଦ୍ର ଖୋଲୁଥିବାରୁ ରାସ୍ତାରେ ଗାଡିମୋଟର ତ ଦୂରରକଥା ଚାଲିକରି ଯିବାକୁ ବି ଲୋକେ ଡରିଲେଣି ।
ସହରର ପ୍ରାୟ ସବୁ ୟୁନିଟ୍ରେ ଏବେ ମାଳ ମାଳ ଘରୋଇ ଡାକ୍ତରଖାନା ଓ କ୍ଲିନିକ୍ମାନ ଖୋଲିବାରେ ଲାଗିଛି । ଏଗୁଡିକ ମୁଖ୍ୟତଃ ଆବାସିକ ଅଞ୍ଚଳରେ ଖୋଲିବା ସହିତ ବ୍ୟବସାୟକୁ ଦେଖି କାୟାବିସ୍ତାର କରିବାରେ ଲାଗିଛନ୍ତି । କେତେକେ ଘରୋଇ ଡାକ୍ତରଖାନା ଆପାର୍ଟମେଣ୍ଟରେ ବି ଖୋଲିଛି । ତେବେ ଏହିସବୁ ଚିକିତ୍ସାଳୟକୁ ଦୈନିକ ଶତାଧିକ ରୋଗୀ ଆସୁଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଟ୍ରାଫିକ ଅଣାୟତ ହେବାରେ ଲାଗିଛି । ରୋଗୀମାନେ ରାସ୍ତା ଉପରେ ନିଜର ଚାରିଚକିଆ ଓ ଦୁଇଚକିଆ ଯାନ ରଖି ଦେଉଥିବାରୁ ଆଖପାଖର ଲୋକେ ନିଜ ଘରକୁ ଯିବାକୁ ବି ରାସ୍ତାଟିକେ ପାଉନାହାନ୍ତି । କେବଳ ଗାଡିମୋଟର ସମସ୍ୟା ନୁହେଁ ଘରୋଇ ଚିକିତ୍ସାଳୟ ଖୋଲିଥିବା ଆପାର୍ଟମେଣ୍ଟ ଓ ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ଏବେ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେବାନେଇ ଆଶଙ୍କା ପ୍ରକାଶ କରୁଛନ୍ତି ।
ସହରରେ ମାଳମାଳ ଚିକିତ୍ସାଳୟକୁ ଆପାର୍ଟମେଣ୍ଟ ଓ ଆବାସିକ ଘରଗୁଡିକରେ ଖୋଲିବା ଲାଗି ସ୍ୱାସ୍ଥ୍ୟ ବିଭାଗ କିଭଳି ଅନୁମତି ପ୍ରଦାନ କରୁଛି ଓ ଅନୁମତି ଦେବା ସମୟରେ ଆଖପାଖରେ ଟ୍ରାଫିକ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦିଗ ପ୍ରତି କିଭଳି ଦୃଷ୍ଟି ଦେଉନାହିଁ ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ଗଳିକନ୍ଦିରେ ଖୋଲିଥିବା କିଛି ଚିକିତ୍ସାଳୟ ସମ୍ମୁଖରେ ଗାଡି ଭିଡ ଦେଖି ବିଏମସି କର୍ତ୍ତୃପକ୍ଷ ସେଠାରୁ ରାଜସ୍ୱ ପାଇବାଲାଗି ଷ୍ଟାଣ୍ଡ ତିଆରିକରିବାରେ ଲାଗିଛନ୍ତି ।
କେବଳ ଘରୋଇ ଚିକିତ୍ସାଳୟ ନୁହେଁ, ବହୁ ଅ।।ବସିକ ଅଞ୍ଚଳରେ ଛୋଟ ବଡ ହୋଟେଲ, ଗେଷ୍ଟହାଉସ୍ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ଗଢି ଉଠୁଛି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ରାତି ପାହିଲା ବେଳକୁ ରାସ୍ତାଘାଟ ଗାଡିମୋଟରରେ ଜାମ୍ ହୋଇଯାଉଛି । ଆଖପାଖର ଲୋକେ ନିଜ ଘରୁ ମଧ୍ୟ ଗାଡି ବାହାର କରିପାରୁ ନାହାନ୍ତି । ତେବେ ସହରର ଗଳିକନ୍ଦିରେ ଏହିସବୁ ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ଆଦି କିଭଳି ଚାଲୁଛି ଓ ଏମାନଙ୍କ ଠାରୁ କିଏ କିଭଳି ଟିକସ ଆଦାୟ କରୁଛି ତାହା ଏବେ ଆଲୋଚନାର ବିଷୟବସ୍ତୁ ହୋଇଛି ।
ଆଉ କିଛି ଆବାସିକ ଅଞ୍ଚଳରେ ବିଭିନ୍ନ କମ୍ପାନୀ ନିଜର ଦପ୍ତର ଖୋଲିବାରେ ଲାଗିଛନ୍ତି । ଘରଭଡା ନେବାପରେ ବିଦ୍ୟୁତ୍ ବିଲ୍ ସମେତ ଅନ୍ୟାନ୍ୟ ଟିକସ ଫାଙ୍କିବାପାଇଁ ଆଗରେ ଦପ୍ତରର ଫଳକ ଲଗାଉ ନାହାନ୍ତି । କିନ୍ତୁ ଅଫିସ ସମୟରେ ଏକାଧିକ କର୍ମଚାରୀ ସେଠାରେ ପହଞ୍ଚିବା ସହିତ ନିଜ ନିଜର ଗାଡିମୋଟର ରଖି କାର୍ଯ୍ୟ କରୁଛନ୍ତି । ଏଥିପାଇଁ ଆଖପାଖ ଅଞ୍ଚଳରେ ଛୋଟ ମୋଟ ଦୋକାନ ବି ଗଢି ଉଠୁଛି । ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ନଜରକୁ ଏହା କିଭଳି ଆସୁନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରୁଛନ୍ତି । ଘର ମାଲିକ ଓ କମ୍ପାନୀ କର୍ତ୍ତୃପକ୍ଷ ସଲାସୁତରା ଏବେ ଆଖପାଖ ଲୋକଙ୍କ ପାଇଁ କାଳ ହେବାରେ ଲାଗିଛି । ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ବି ଏଥିପ୍ରତି ଏକ ପ୍ରକାର ଆଖିବୁଜି ଦେଉଥିବା ଅଭିଯୋଗ ହେଉଛି । (ତଥ୍ୟ)

