ଭୁବନେଶ୍ୱର : ଧାର୍ମିକ ପରମ୍ପରା ଅନୁଯାୟୀ ଦେବାଦେବୀଙ୍କ ନାମରେ ଥିବା ସଂପତ୍ତି କେହି ହଡ଼ପ କରିବା ତ ଦୂରର କଥା, କିଣୁନଥିଲେ ମଧ୍ୟ । କିନ୍ତୁ ଏବେ ସମୟ ଚକ୍ରରେ ଦିଅଁଙ୍କୁ ଖାଇ ଖଟୁଲି ଖାଇବା ନୀତିରେ ଯିଏ ଯେଉଁଠି ପାରୁଛି ଦେବୋତ୍ତର ସଂପତ୍ତିକୁ ମାଡ଼ିବସୁଛି । ଶ୍ରୀକ୍ଷେତ୍ରରେ ବିଜେ ଶ୍ରୀଜଗନ୍ନାଥଙ୍କୁ କିମ୍ବା ଏକାମ୍ର କ୍ଷେତ୍ରର ଅଧିପତି ଶ୍ରୀଲିଙ୍ଗରାଜ ହୁଅନ୍ତୁ, ଏମାନଙ୍କ ମନ୍ଦିର ନାମରେ ଖଞ୍ଜା ଯାଇଥିବା ହଜାର ହଜାର ଏକର ଭୂସଂପତ୍ତି ଦଖଲକାରୀଙ୍କ କବ୍ଜାରେ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସଂଖ୍ୟାଧିକ ଜବରଦଖଲକାରୀ ହେଉଛନ୍ତି ହିନ୍ଦୁ ଧର୍ମର ଲୋକମାନେ ।
ସରକାରୀ ତଥ୍ୟ ମୁତାବକ ଶ୍ରୀକ୍ଷେତ୍ରରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପାଇଁ ରାଜ୍ୟର ୨୩ଟି ଜିଲ୍ଲାରେ ୬୦,୪୧୦ ଏକର ୭୩ ଡିସିମିଲ୍ ପରିମିତ ଚିହ୍ନିତ ଜମିରୁ ଏଯାବତ୍ ପ୍ରାୟ ଅଧା ଜମିର ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ । ଏହାଛଡ଼ା ଓଡ଼ିଶା ବାହାରେ ୬ଟି ରାଜ୍ୟରେ ଶ୍ରୀମନ୍ଦିର ନାମରେ ୩୯୫ ଏକର ୨୫୨ ଡିସିମିଲ୍ ୍ଜମି ଥିବାର ଚିହ୍ନଟ କରାଯାଇଥିଲେ ମଧ୍ୟ ଏଥିରୁ ଶ୍ରୀମନ୍ଦିରକୁ ସେମିତି କିଛି ମୋଟା ଅଙ୍କର ଫାଇଦା ମିଳୁନାହିଁ । ଶ୍ରୀମନ୍ଦିରର ଯେତିକି ଭୂସଂପତ୍ତି ଚିହ୍ନଟ ହୋଇଛି ତା’ର ବଜାର ମୂଲ୍ୟ ଲକ୍ଷାଧିକ କୋଟି ଟଙ୍କା ହେବ ବୋଲି ଭକ୍ତ ମହଲରେ ଆଲୋଚନା ହେଉଛି ।
ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀମନ୍ଦିର ନାମରେ ପାଖାପାଖି ୩୦ ହଜାର ଏକର ଜମି ଥିବା ଚିହ୍ନଟ କରାଯାଇଥିବାବେଳେ ପୁରୀ ଜିଲ୍ଲାରେ ପ୍ରାୟ ୧୮ ହଜାର ଏକର, କଟକ ଜିଲ୍ଲାରେ ୩୨୦୦ ଏକରରୁ ଅଧିକ ଜମି ଚିହ୍ନିତ ହୋଇଛି । ଏହାଛଡ଼ା ଗଞ୍ଜାମ ଜିଲ୍ଲାରେ ୨୮୬୯ ଏକର ଜମି ଚିହ୍ନିତ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୧୭୫ ଏକର, ଭଦ୍ରକ ଜିଲ୍ଲାରେ ୨୯୩୭ ଏକର, ବାଲେଶ୍ୱରରେ ୮୬୭ ଏକର ଓ ଜଗତସିଂହପୁର ଜିଲ୍ଲାରେ ୭୦୦ ଏକରରୁ ଅଧିକ ଜମି ଶ୍ରୀମନ୍ଦିରର ରହିଛି । କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁବର୍ଣ୍ଣପୁର, କୋରାପୁଟ, ରାୟଗଡ଼ା, ଗଜପତି, ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ନୟାଗଡ଼, ଯାଜପୁର, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ ଆଦି ଜିଲ୍ଲାରେ ବି ଶ୍ରୀମନ୍ଦିର ନାମରେ ପର୍ଯ୍ୟାପ୍ତ ଜମି ରହିଛି । ଏହାଛଡ଼ା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ଼ରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନାମରେ ଜମି ଥିବା ଚିହ୍ନିତ ହୋଇଛି ।
ଏତେ ପରିମାଣର ଭୂସଂପତ୍ତି ଥାଇବି ଶ୍ରୀମନ୍ଦିରକୁ ରାଜଭାଗ ବାବଦରେ ବର୍ଷକୁ ୨ କୋଟି ଟଙ୍କା ବି ମିଳିପାରୁ ନାହିଁ । କେତେକ କ୍ଷେତ୍ରରେ ସରଜମିନ ତଦନ୍ତ କରାଯାଇ ବେଆଇନ୍ ଅବରୋଧ ଉଚ୍ଛେଦ ପାଇଁ ଶତାଧିକ ମାମଲା ଗଡୁଛି ।
ସେହିପରି ଭୁବନେଶ୍ୱରରେ ଥିବା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପାଇଁ ଅନ୍ୟୁନ ୨୦୦ ଗାଁରେ ଦେଢ଼ ହଜାର ଏକରରୁ ଅଧିକ ଭୂସଂପତ୍ତି ଥିବା ଚିହ୍ନଟ କରାଯାଇଥିବାବେଳେ ଏଥିରୁ ୫୦୦ ଏକର ଭୂସଂପତ୍ତିର ସତ୍ତ୍ୱଲିପି ମଧ୍ୟ ଶ୍ରୀଲିଙ୍ଗରାଜ ପ୍ରଶାସନ ନିକଟରେ ନାହିଁ । ବିଶେଷକରି ଭୁବନେଶ୍ୱର, ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳରେ ଶ୍ରୀଲିଙ୍ଗରାଜଙ୍କର ବ୍ୟାପକ ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି ।
ଖୋର୍ଦ୍ଧା ଜିଲ୍ଲାରେ ଥିବା ଶ୍ରୀମନ୍ଦିର ଜମିର ବହୁ ସ୍ଥାନରେ ବେଆଇନ୍ ପଥର ଖଣି ବେପାର ବର୍ଷବର୍ଷ ଧରି ଚାଲିଛି । ଏହି ପଥର ଖଣି ଯୋଗୁ ସୃଷ୍ଟି ହୋଇଥିବା କୃତ୍୍ରିମ ଗଡ଼ିଆରେ ଲୋକେ ବୁଡ଼ି ମରିବା ଏବଂ ଏଥିଯୋଗୁ ପରିବେଶ ପ୍ରଦୂଷଣ ସହିତ ବେଆଇନ୍ ଭାବେ ବ୍ୟାପକ ଗଛକଟା ଯାଇଥିବା ଅଭିଯୋଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଅତୀତରେ କ୍ଷତିପୂରଣ ଦେବାକୁ ଆଦେଶ କରିବାର ନଜିର ମଧ୍ୟ ରହିଛି । ସାରା ରାଜ୍ୟରେ ଦେବାଦେବୀ ମନ୍ଦିର ପାଇଁ ଖଞ୍ଜା ଯାଇଥିବା ଜମିରୁ ଅଧିକାଂଶ ଜବରଦଖଲକାରୀଙ୍କ ନିୟନ୍ତ୍ରଣରେ ଥିବା କୁହାଯାଉଛି । (ତଥ୍ୟ)

