ଭୁବନେଶ୍ୱର : ଯାଜପୁର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା ପ୍ରଦାନରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ସରକାରଙ୍କର ପାତରଅନ୍ତର ନୀତି ଲୋକଙ୍କୁ ହତାଶ କରିଛି । ସରକାରଙ୍କ ତରଫରୁ ଯତ କିଞ୍ଚିତ ରିଲିଫ ସାମଗ୍ରୀ ପଠାଯାଇଥିଲା, ସେଗୁଡିକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବଣ୍ଟା ନ ହୋଇ ସ୍ଥାନୀୟ ବିଜେପି ନେତାଙ୍କ ଦ୍ୱାରା ବଣ୍ଟା ଯାଇଥିଲା ବୋଲି ଅଭିଯୋଗ କରିଛି ବିଜେଡି । ଏହାଛଡା ବରୀ, ବିଂଝାରପୁର ଓ ଯାଜପୁର ବିଧାନସଭା କ୍ଷେତ୍ରରେ ବନ୍ୟା ଅଧିକ କ୍ଷତି କରିଥିବା ବେଳେ, ଏହି ସ୍ଥାନରେ ବିଜେଡି ବିଧାୟକ ମାନେ ପ୍ରତିନିଧିତ୍ୱ କରୁଥିବାରୁ ଏହି ଅଞ୍ଚଳକୁ ରିଲିଫ ସାମଗ୍ରୀ ପଠାଇବାରେ ଅଣଦେଖା କରାଯାଇଥିଲା ବୋଲି ବିଜେଡି କହିଛି ।
ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବରୀ ବିଧାୟକ ଶ୍ରୀ ବିଶ୍ୱ ରଞ୍ଜନ ମଲ୍ଲିକ ଓ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନରେ ବିଫଳତା ଓ ପାତରଅନ୍ତର ନୀତି ପାଇଁ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବନ୍ୟା ଆସିବାର ୨୬ ଦିନ ବିତିଯାଇଥିଲେ ସୁଦ୍ଧା, ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏବେବି ଜଳ ଘେରରେ ରହିଛି ଓ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର କୌଣସି ପୂର୍ବ ପ୍ରସ୍ତୁତି ନଥିଲା । ସରକାରଙ୍କ ବିଭିନ୍ନ ବିଭାଗ ଗୁଡିକ ଭିତରେ ତାଳମେଳ ନଥିଲା ।
ସରକାରଙ୍କ ପୂର୍ବ ପ୍ରସ୍ତୁତି ଥିଲେ, ବରୀ, ବିଂଝାରପୁର ଓ ଦଶରଥପୁର ଅଞ୍ଚଳରେ ଘାଇ ହୋଇନଥାନ୍ତା । ବନ୍ୟା ଜଳ ବିଭିନ୍ନ ଜନବସତି ଅଞ୍ଚଳକୁ ପ୍ରବେଶ କଲା ପରେ ସରକାରଙ୍କ ତରଫରୁ ଶୁଖିଲା ଖାଦ୍ୟ, ଗୋଖାଦ୍ୟ ଓ ଅନ୍ୟ ରିଲିଫ ସାମଗ୍ରୀ ପହଞ୍ଚିବାରେ ଅହେତୁକ ବିଳମ୍ୱ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ଗସ୍ତ କଲେ, ଡ଼ଙ୍ଗାରେ ବୁଲିଲେ, ଫଟୋ ଉଠାଇଲେ କିନ୍ତୁ ଲୋକଙ୍କ ଅସୁବିଧା କଥା ବୁଝିଲେ ନାହିଁ । ଆମେ ଯାଇଥିଲୁ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ଅସୁବିଧା ବିଷୟରେ ଜଣାଇବା ପାଇଁ, କିନ୍ତୁ ଆମକୁ ଅପମାନିତ କରାଗଲା । ବରୀ, ବିଂଝାରପୁର ଓ ଦଶରଥପୁର ଅଞ୍ଚଳ ଗୁଡିକ ବିଜେଡି ବିଧାୟକ ପ୍ରତିନିଧିତ୍ୱ କରୁଥିବାରୁ ଏହି ଅଞ୍ଚଳ ଗୁଡିକୁ ବନ୍ୟା ସହାୟତା ପ୍ରଦାନରେ ଅଣଦେଖା କରାଗଲା ।
ଶ୍ରୀ ବିଶ୍ୱ ରଞ୍ଜନ ମଲ୍ଲିକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ଯାଜପୁର ଜିଲ୍ଲା ଗସ୍ତ କରିଥିଲେ, କିନ୍ତୁ ସର୍ବାଧିକ ପ୍ରଭାବିତ ବରୀ ଅଞ୍ଚଳକୁ ଗସ୍ତ କରିବାକୁ ଗୁରୁତ୍ୱ ଦେଇନଥିଲେ । ସେହିପରି, ଉପମୁଖ୍ୟମନ୍ତ୍ରୀ ମଧ୍ୟ ଯାଜପୁର ଜିଲ୍ଲା ଗସ୍ତ ସମୟରେ ବରୀ ଅଞ୍ଚଳକୁ ଗସ୍ତ କରିନଥିଲେ । ସରକାରଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ରିଲିଫ ସାମଗ୍ରୀ ଟ୍ରକରେ ଆମ ଅଞ୍ଚଳରେ ପହଞ୍ଚିଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହୋଇନଥିଲା । ଏହି ରିଲିଫ ସାମଗ୍ରୀ କେଉଁଆଡେ ଗଲା ତାର ଟେର କେହି ପାଇଲେ ନାହିଁ । କିନ୍ତୁ କିଛି ସ୍ଥାନୀୟ ବିଜେପି ନେତା ଏହି ରିଲିଫ ସାମଗ୍ରୀ କିଛି ଅଞ୍ଚଳରେ ବାଣ୍ଟି ତାର ଫଟୋ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ବନ୍ୟା ଯୋଗୁଁ ଚାଷୀ ଭାଇ ମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଚାଷୀଙ୍କ କ୍ଷତିର ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ ।
ଶ୍ରୀମତୀ ସୁଜାତା ସାହୁ କହିଥିଲେ ଯେ, ଦଶରଥପୁର ଅଞ୍ଚଳରେ ଗତ ୩୬ ଦିନ ଭିତରେ ୬ ଥର ବନ୍ୟାଜଳ ପ୍ରବେଶ କରିଛି । ଏବେବି ପ୍ରାୟ ୫୩,୦୦୦ ଲୋକ ପାଣି ଘେରରେ ଅଛନ୍ତି । ଲୋକଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରିବାରେ ସରକାର ବିଫଳ ହୋଇଛନ୍ତି ।

