ଭୁବନେଶ୍ୱର : ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍କୋ)ର ଜମି ବଣ୍ଟନ କମିଟି ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷ ଶ୍ରୀମତୀ ଉଷା ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କମିଟିର ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି l
ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ବୃହତ ଶିଳ୍ପ ପ୍ରକଳ୍ପ ପାଇଁ ୨୪ଟି ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୧୩ଟି ଜମି ପ୍ରସ୍ତାବ ସାମିଲ ରହିଛି । ଏହି ଅନୁମୋଦନ ଦ୍ୱାରା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହେବା ସହ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ବୃଦ୍ଧି, ଆଞ୍ଚଳିକ ଶିଳ୍ପ ବିକାଶ ଏବଂ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ।
ଜମି ସମ୍ପର୍କିତ ପ୍ରସ୍ତାବଗୁଡ଼ିକର ଶୀଘ୍ର ଫଇସଲା ଇଡ୍କୋର ସମୟବଦ୍ଧ ନିଷ୍ପତ୍ତି ଗ୍ରହଣ, ସୁଦୃଢ଼ ଜମି ପରିଚାଳନା ଏବଂ ନିବେଶକ-ଅନୁକୂଳ ପରିବେଶ ସୃଷ୍ଟି ପ୍ରତି ଏହାର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଶୀଘ୍ର ପ୍ରକ୍ରିୟାକରଣ ଓ ସମୟବଦ୍ଧ ଅନୁମୋଦନ ମାଧ୍ୟମରେ ବୃହତ ଶିଳ୍ପ ସହ ଉଦୀୟମାନ ଉଦ୍ୟୋଗ ଏବଂ ଏମ୍ ଏସ୍ ଏମ୍ ଇ ଗୁଡ଼ିକ ପାଇଁ ଏକ ଅଧିକ ସ୍ୱଚ୍ଛ, ନିର୍ଭରଯୋଗ୍ୟ ଓ ସୁଗମ ଶିଳ୍ପ ପରିବେଶ ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି ।
କେବଳ ପ୍ରଶାସନିକ ଅନୁମୋଦନରେ ସୀମିତ ନ ରହି ପ୍ରକଳ୍ପଗୁଡ଼ିକର ଭୂମିସ୍ତରୀୟ କାର୍ଯ୍ୟାନ୍ୱୟନ ଉପରେ ମଧ୍ୟ ଇଡ୍କୋ ବିଶେଷ ଗୁରୁତ୍ୱ ଦେଉଛି । ଶ୍ରୀମତୀ ପାଢ଼ୀଙ୍କ ନେତୃତ୍ୱରେ ଖୋର୍ଦ୍ଧା, କଟକ ଓ କଳିଙ୍ଗନଗର ସମେତ ବିଭିନ୍ନ ରଣନୈତିକ ଶିଳ୍ପ କରିଡର ଏବଂ ଶିଳ୍ପାଞ୍ଚଳରେ ନିୟମିତ କ୍ଷେତ୍ର ପରିଦର୍ଶନ ଓ ସ୍ଥଳସ୍ତରୀୟ ସମୀକ୍ଷା କରାଯାଉଛି ।
ଏହି ପରିଦର୍ଶନ ସମୟରେ ଜମି ଉନ୍ନୟନ ଓ ସମତଳୀକରଣ, ମାଷ୍ଟର ପ୍ଲାନିଂ, ବିଦ୍ୟୁତ ଓ ଜଳ ଯୋଗାଣ, ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା, ମାଲ ପରିବହନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଶିଳ୍ପ ଭିତ୍ତିଭୂମିର ସ୍ଥିତିକୁ ପ୍ରତ୍ୟକ୍ଷ ଭାବେ ସମୀକ୍ଷା କରାଯାଉଛି । ଶିଳ୍ପାଞ୍ଚଳରେ କର୍ମଚାରୀଙ୍କ ପାଇଁ ଆବଶ୍ୟକ ସୁବିଧା ସହ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ନିମନ୍ତେ ସୁରକ୍ଷିତ, ସୁଗମ ଓ ଆବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧତା ଉପରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।
ପ୍ରଶାସନିକ ଅନୁମୋଦନ ଏବଂ ପ୍ରକଳ୍ପର ପ୍ରକୃତ କାର୍ଯ୍ୟାନ୍ୱୟନ ମଧ୍ୟରେ ଥିବା ବ୍ୟବଧାନକୁ କମାଇବା ଏହି କ୍ଷେତ୍ରସ୍ତରୀୟ ତଦାରଖର ମୁଖ୍ୟ ଉଦ୍ଦେଶ୍ୟ । ସ୍ଥଳସ୍ତରୀୟ ସମୀକ୍ଷା ମାଧ୍ୟମରେ ଭିତ୍ତିଭୂମି ସମ୍ପର୍କିତ ସମସ୍ୟା ଓ ଅଭାବଗୁଡ଼ିକୁ ତ୍ୱରିତ ଚିହ୍ନଟ କରାଯାଇ ସମ୍ପୃକ୍ତ ବିଭାଗ ଓ ସଂସ୍ଥାଗୁଡ଼ିକ ସହ ସମନ୍ୱୟରେ ସମୟବଦ୍ଧ ପଦକ୍ଷେପ ନିଆଯାଉଛି ।
ଦ୍ରୁତ ପ୍ରଶାସନିକ ଅନୁମୋଦନ ଓ ନିୟମିତ କ୍ଷେତ୍ରସ୍ତରୀୟ ତଦାରଖ , ଏହି ଦ୍ୱିମୁଖୀ ରଣନୀତିର ଲକ୍ଷ୍ୟ ହେଉଛି ଶିଳ୍ପ ଜମି ବଣ୍ଟନକୁ କେବଳ ଏକ ପ୍ରଶାସନିକ ପ୍ରକ୍ରିୟା ଭାବେ ସୀମିତ ନ ରଖି ଏହାକୁ ବାସ୍ତବ ପୁଞ୍ଜିନିବେଶ, ନିଯୁକ୍ତି ସୃଷ୍ଟି ଓ ଦୀର୍ଘମିଆଦୀ ଅର୍ଥନୈତିକ ବିକାଶରେ ପରିଣତ କରିବା ।
ସୁଦୃଢ଼ ଜମି ପରିଚାଳନା, ଉନ୍ନତ ଶିଳ୍ପ ଭିତ୍ତିଭୂମି ଏବଂ ନିବେଶକ ସୁଗମତାକୁ ନିରନ୍ତର ପ୍ରାଥମିକତା ଦେଇ ଇଡ୍କୋ ଓଡ଼ିଶାକୁ ଏକ ଦ୍ରୁତଗତିଶୀଳ, ପ୍ରତିଯୋଗିତାମୂଳକ ଓ ନିବେଶ-ଅନୁକୂଳ ଶିଳ୍ପ ଗନ୍ତବ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଦିଗରେ କାର୍ଯ୍ୟ କରୁଛି । ଏହା ମାଧ୍ୟମରେ ବୃହତ ଶିଳ୍ପ ନିବେଶ ସହ ଏମ୍ ଏସ୍ ଏମ୍ ଇ କ୍ଷେତ୍ରର ବିସ୍ତାର, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ସମାବେଶୀ ଓ ଆଞ୍ଚଳିକ ଭାରସାମ୍ୟପୂର୍ଣ୍ଣ ଶିଳ୍ପ ବିକାଶକୁ ଅଧିକ ଗତି ମିଳିବ ।

