Home Assembly ବିଧାନସଭାକୁ ଆସୁନାହିଁ କମିଶନ ରିପୋର୍ଟ

ବିଧାନସଭାକୁ ଆସୁନାହିଁ କମିଶନ ରିପୋର୍ଟ

ଭୁବନେଶ୍ୱର : ବିଭିନ୍ନ ପ୍ରସଂଗରେ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି କମିଶନ ପରେ କମିଶନମାନ ବସାଉଥିବାବେଳେ ଅନେକ କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେବା ତ ଦୂରର କଥା ଆଇନ୍‍ ଅନୁଯାୟୀ ବିଧାନସଭାରେ ମଧ୍ୟ ଆକ୍ସନ ଟେକେନ୍‍ ରିପୋର୍ଟ ସହିତ ଉପସ୍ଥାପନ କରାଯାଉ ନାହିଁ । ଏମିତିକି ବର୍ଷବର୍ଷ ଧରି ପଡ଼ି ରହିବା ପରେ କେତେକ କମିଶନ ରିପୋର୍ଟ ମିଳୁନାହିଁ ଏବଂ ହଜିବା ରିପୋର୍ଟକୁ ଖୋଜିବା ପାଇଁ ବି ସରକାରଙ୍କୁ ଅନ୍ୟ ଏକ କମିଶନ ବସାଇବାକୁ ପଡୁଛି । ଫଳରେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କମିଶନଙ୍କ ପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ ହେଉଛି ତାହା ଏକ ପ୍ରକାର ବିଫଳ ହେଉଛି ।

ଓଡ଼ିଶାର କେଉଁଠାରେ ହାଇକୋର୍ଟଙ୍କ ସର୍କିଟ୍‍ ବେଞ୍ଚ କିମ୍ବା ନୂଆ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବ ସେଥିଘେନି ଦାବି ବଢ଼ୁଥିବାବେଳେ ଓଡ଼ିଶା ସରକାର ୨୦୦୮ ମସିହାରେ ଜଷ୍ଟିସ ଚିତ୍ତରଞ୍ଜନ ପାଲ୍‍ଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ । ଏହି କମିଶନ ୬ବର୍ଷ ପରେ ୨୦୧୪ରେ ଯେଉଁ ରିପୋର୍ଟ ଦେଇଥିଲେ ତାହା ୧୨ବର୍ଷ ଧରି ବିଧାନସଭାରେ ଉପସ୍ଥାପିତ ହୋଇନାହିଁ । କମିଶନ ଅଫ୍‍ ଏନ୍‍କ୍ୱେରୀ ଆକ୍ଟର ବ୍ୟବସ୍ଥା ମୁତାବକ କମିଶନଙ୍କ ରିପୋର୍ଟ ଓ ତାହା ସହିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବା କଥା ।

୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତଙ୍କୁ ଜଳେଶପଟା ଆଶ୍ରମରେ ହତ୍ୟା କରାଯିବା ଏବଂ ଏହାପରେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ଲାଗି ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଶନ ୨୦୦୮ ମସିହାରେ ଗଢ଼ାଯାଇଥିଲା । ଜଷ୍ଟିସ ମହାପାତ୍ରଙ୍କ ମୃତ୍ୟୁ ହୋଇଯିବାରୁ ଜଷ୍ଟିସ ଏ.ଏସ୍‍. ନାଇଡୁଙ୍କୁ କମିଶନର ଦାୟିତ୍ୱ ଦିଆଯାଇଥିଲା । ନାଇଡୁ କମିଶନ ୨୦୧୫ ମସିହାରେ ତାଙ୍କ ରିପୋର୍ଟ ଉପସ୍ଥାପନ କରିଥିବାବେଳେ ଏଯାବତ୍‍ ତାହା ବିଧାନସଭାରେ ଉପସ୍ଥାପିତ ହୋଇନାହିଁ । ଏବେ କୁହାଯାଉଛି ଯେ ଉକ୍ତ ରିପୋର୍ଟ କୁଆଡ଼େ ହଜିଯାଇଛି ।

ସେହିଭଳି ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ଅର୍ଜୁନଗୋଦାରେ ଜଣେ ନାବାଳିକା ଝିଅ ପ୍ରତି ଘଟିଥିବା ହିଂସା ଓ ସେଥିରେ ଏହି ନାବାଳିକଙ୍କ ମୃତ୍ୟୁ ସଂପର୍କରେ ତଦନ୍ତ କରିବା ଲାଗି ଜଷ୍ଟିସ ପି.କେ. ମହାନ୍ତି କମିଶନ ବସାଯାଇଥିଲା । ପ୍ରାୟ ୪ବର୍ଷ ପରେ ଏହି କମିଶନ ତାଙ୍କ ରିପୋର୍ଟ ୨୦୧୬ ମସିହାରେ ଦାଖଲ କରିଥିଲେ ମଧ୍ୟ ଏଯାବତ୍‍ ତାହା ସାର୍ବଜୀନନ ହୋଇନାହିଁ । ରାଜ୍ୟର ଜମାକାରୀଙ୍କଠାରୁ ହଜାର ହଜାର କୋଟି ଟଙ୍କା ଠକାଯାଇଥିବା ଘଟଣାର ତଦନ୍ତ ଭାର ଜଷ୍ଟିସ ଆର.କେ. ପାତ୍ର କମିଶନଙ୍କୁ ଦିଆଯାଇଥିଲା । ଜଷ୍ଟିସ ପାତ୍ରଙ୍କ ମୃତ୍ୟୁ ପରେ ଜଷ୍ଟିସ ମଦନମୋହନ ଦାସ ଏହି କମିଶନ ଦାୟିତ୍ୱ ନେଇଥିଲେ । ଏହି କମିଶନଙ୍କ ପାଇଁ ୪ କୋଟି ୨୩ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହୋଇଥିଲା । କମିଶନ ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ ତାହାକୁ ବନ୍ଦ କରିଦିଆଗଲା । ତେବେ ଏହି କମିଶନ ଯେଉଁ ୪ଟି ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ଦେଇଥିଲେ ତାହା ଏଯାବତ୍‍ ବିଧାନସଭାରେ ଉପସ୍ଥାପିତ ହୋଇନାହିଁ ।

କନ୍ଧମାଳ ଜିଲ୍ଲାର ଗୁମୁଡୁମାହଠାରେ ସୁରକ୍ଷା କର୍ମୀଙ୍କ ଆଖିବୁଜା ଗୁଳିମାଡ଼ ଯୋଗୁ ଗୋଟିଏ ଦୁଇବର୍ଷ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ଜଣ ଆହତ ହୋଇଥିଲେ । ଏହି ଗୁଳିକାଣ୍ଡର ବିଚାର ବିଭାଗୀୟ ତଦନ୍ତ ପାଇଁ ଜିଲ୍ଲା ଦୌରାଜଜ୍‍ଙ୍କୁ ଦାୟିତ୍ୱ ଦିଆଯାଇଥିଲା । ୨ବର୍ଷ ପରେ କମିଶନ ତାଙ୍କ ରିପୋର୍ଟ ୨୦୧୮ ମସିହାରେ ପ୍ରଦାନ କରିଥିଲେ ମଧ୍ୟ ତାହା ବି ସାର୍ବଜନୀନ ହୋଇନାହିଁ । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ନମତରାଠାରେ ନିଶା ବିରୋଧୀ ଆନ୍ଦୋଳନକାରୀ ମହିଳାମାନଙ୍କ ଉପରକୁ କରାଯାଇଥିବା ଗୁଳି ଚାଳନା ସଂପର୍କରେ ଯେଉଁ କମିଶନ ବସାଯାଇଥିଲା ସେ ରିପୋର୍ଟ ମଧ୍ୟ ସାର୍ବଜନୀନ ହେଉନାହିଁ । ଏମିତିକି ଗଞ୍ଜାମ ଜିଲ୍ଲାରେ ଦୁଇବର୍ଷ ତଳେ ଘଟିଥିବା ମଦମୃତ୍ୟୁ ଦୁର୍ଘଟଣା ହେଉ କିମ୍ବା ରଥଯାତ୍ରାରେ ଉପୁଜୁଥିବା ବିଭ୍ରାଟ ଓ ଜଣେ ସରକାରୀ ଅଧିକାରୀଙ୍କୁ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାର ଯେଉଁ ତଦନ୍ତ କଥା କୁହାଯାଇଥିଲା ତା’ର ରିପୋର୍ଟ ଏଯାବତ୍‍ ଉପସ୍ଥାପିତ ହୋଇନାହିଁ । (ତଥ୍ୟ)