ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ଆର୍ଥିକ ପ୍ରୋତ୍ସାହନ ଦେଇ ଲୋକଙ୍କୁ ନିଜ ଘରର ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ପାଇଁ ଉତ୍ସାହିତ କରୁଥିବାବେଳେ ସରକାରୀ କ୍ୱାଟର୍ସରେ ଏହା ସ୍ଥାପନ ପାଇଁ କିନ୍ତୁ ନୀତି ପ୍ରଣୟନ ହୋଇପାରୁ ନାହିଁ । ଫଳରେ ସରକାରୀ କ୍ୱାଟର୍ସରେ ଯେଉଁମାନେ ରହୁଛନ୍ତି ସେମାନେ ଚାହିଁଲେ ମଧ୍ୟ ସରକାରଙ୍କ ମାଗଣା ବିଜୁଳି ଯୋଜନାର ଲାଭ ଉଠାଇ ପାରୁନାହାନ୍ତି ।
ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ବର୍ତ୍ତମାନ ୩ କିଲୋୱାଟ ପର୍ଯ୍ୟନ୍ତ ପ୍ରକଳ୍ପ ଲାଗି ସବସିଡ୍ ପ୍ରଦାନ କରାଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ରାଜ୍ୟରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ଏହାକୁ କାର୍ଯ୍ୟକାରୀ କରୁଛି । ଲୋକେ କିଭଳି ଏହି ମାଗଣା ବିଜୁଳି ଯୋଜନାରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହେବେ ସେଥିପାଇଁ ବହୁ ଅର୍ଥ ବ୍ୟୟରେ ବିଜ୍ଞାପନ ଦିଆଯାଉଛି ।
ହେଲେ ବିଜୁଳି ବ୍ୟବହାର କ୍ଷେତ୍ରରେ ଆଗରେ ଥିବା ସହରାଞ୍ଚଳର ସରକାରୀ କ୍ୱାଟର୍ସଗୁଡିକରେ କିନ୍ତୁ ଏହା ସ୍ଥାପନ ହୋଇପାରୁ ନାହିଁ । ଯେଉଁମାନେ କ୍ୱାଟର୍ସ ପାଇଛନ୍ତି ସେମାନେ ସରକାରୀ ରିହାତି ଯୋଜନାରେ ଏହାକୁ ସ୍ଥାପନରେ ସଫଳ ହୋଇପାରୁ ନାହାନ୍ତି । ସୌର ପ୍ରକଳ୍ପ ସ୍ଥାପନ ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥାମାନେ ସିଧାସଳଖ ମନାକରି ଦେଉଛନ୍ତି ।
ଖୋଦ ରାଜଧାନୀରେ ଏହା ସମ୍ଭବପର ହୋଇପାରୁ ନାହିଁ । ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରି ଲୋକଭବନ ପୁରସ୍କୃତ ହେଉଥିବାବେଳେ ଅନ୍ୟ ସରକାରୀ ଦପ୍ତରଗୁଡିକରେ କିନ୍ତୁ ଏହି ପ୍ରକଳ୍ପ ଆଖିଦୃଶିଆ ଭାବେ ସ୍ଥାପନ ହେଉନାହିଁ । କର୍ମଚାରୀମାନେ ରହୁଥିବା ସରକାରୀ କ୍ୱାଟର୍ସ ତ ଦୂରରକଥା, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ଅଧିକାରୀମାନେ ରହୁଥିବା ସରକାରୀ ଘରଗୁଡିକରେ ମଧ୍ୟ ସୌରଶକ୍ତି ସ୍ଥାପନ ପାଇଁ ନୀତି ପ୍ରସ୍ତୁତ ହୋଇପାରୁ ନାହିଁ ।
ଯେହେତୁ ମନ୍ତ୍ରୀ, ବିଧାୟକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନେ ନିଜ ନିଜ ସରକାରୀ ଘରେ ସୌର ପ୍ରକଳ୍ପ ସ୍ଥାପନ କରୁନାହାନ୍ତି, ତେଣୁ ଆଖପାଖରେ ବେସରକାରୀ ଘରେ ରହୁଥିବା ଲୋକଙ୍କର ବି ସୌର ପ୍ରକଳ୍ପ ସ୍ଥାପନ ପାଇଁ ଭରସା ପାଇପାରୁ ନାହିଁ । ସେହିଭଳି ବିଭିନ୍ନ ଆପାର୍ଟମେଣ୍ଟରେ ରହୁଥିବା ଲୋକେ ବି କିଭଳି ସୌର ପ୍ୟାନେଲ ସ୍ଥାପନ କରିବେ ତାହା ଜାଣିପାରୁ ନାହାନ୍ତି । ଅଧିକାଂଶ ଆପାର୍ଟମେଣ୍ଟରେ ଛାତ ଉପର ବ୍ୟବହାର ପାଇଁ ଅନୁମତି ନଥିବାବେଳେ ଯେଉଁଠାରେ ବି ଏହା ରହିଛି ସେଠାରେ ସମସ୍ତ ବାସିନ୍ଦାଙ୍କର ସୌର ପ୍ୟାନେଲ ସ୍ଥାପନ ସମ୍ଭବପର ନୁହେଁ ।
ରାଜ୍ୟରେ ଏବେ ଇଭି ଯାନ ବ୍ୟବହାର ବୃଦ୍ଧି ପାଉଥିବାବେଳେ ବିଜୁଳି ବିଲ୍ରୁ ରକ୍ଷା ପାଇବାପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି । ନିଜ ନିଜ ଘର ଛାତରେ ସୌର ପ୍ରକଳ୍ପ ସ୍ଥାପନ ଏହାର ମୁଖ୍ୟ ବିକଳ୍ପ ହୋଇଥିବାବେଳେ ସରକାରୀ କ୍ୱାଟର୍ସ, ଆପାର୍ଟମେଣ୍ଟ ଆଦି ପାଇଁ ସ୍ପଷ୍ଟ ନୀତି ନଥିବାରୁ ଭୁବନେଶ୍ୱର, କଟକ, ରାଉରକେଲା ଆଦି ସହରରେ ଏହି ପ୍ରକଳ୍ପ ଯେଭଳି ଆଗେଇବା କଥା ତାହା ହୋଇପାରୁ ନାହିଁ । (ତଥ୍ୟ)

