ନୂଆଦିଲ୍ଲୀ : ଏମଏମଡିଆର ଆଇନରେ ସଂଶୋଧନ ଦ୍ୱାରା ବଡ଼ବିଲର ସ୍କୁଲ ଶିକ୍ଷକ, ଯୋଡା-ବାମେବାରୀ ରାସ୍ତାର ଟିପର ଡ୍ରାଇଭର, ସୁଭଦ୍ରା କିସ୍ତି ପାଇଁ ଅପେକ୍ଷା କରୁଥିବା କୋରାପୁଟର ଆଦିବାସୀ ମହିଳା, ସୁନ୍ଦରଗଡ଼ରେ ପକ୍କା ଘର ତିଆରି କରୁଥିବା ରାଜମିସ୍ତ୍ରୀ ଏବଂ କଳିଙ୍ଗ ନଗର କ୍ଲଷ୍ଟରରେ ନିଯୁକ୍ତି ଖୋଜୁଥିବା ଯାଜପୁରର ଯୁବ ସ୍ନାତକ ଲାଭ ପାଇବେ ।
ଏହାଦ୍ୱାରା ରାଜସ୍ୱ ହ୍ରାସ ପାଇବ ନାହିଁ । ଏନଡିଏ ସରକାରଙ୍କ ଅଧୀନରେ ଖଣି କ୍ଷେତ୍ର ସଂସ୍କାର ଏବଂ ସ୍ୱଚ୍ଛ ନିଲାମ ପରେ ଓଡ଼ିଶାର ଖଣିଜ ରାଜସ୍ୱ ବର୍ତ୍ତମାନ ପ୍ରାୟ ୫୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୪ ମସିହାରେ ଏହା ମାତ୍ର ୫,୦୦୦ କୋଟି ଟଙ୍କା ଥିଲା । ଏହି ସଂଶୋଧନ ମୁଖ୍ୟ ରାଜ୍ୟ ରାଜସ୍ୱ ଢାଞ୍ଚାକୁ ଉଚ୍ଛେଦ କରିବ ନାହିଁ। ରୟାଲ୍ଟି, ନିଲାମ ପ୍ରିମିୟମ୍ ଏବଂ ଡିଏମଏଫ ଏବେ ବି ଜାରି ରହିଛି । ମୋଟ ଖଣି ରାଜସ୍ୱର ପ୍ରାୟ ୯୦% ବର୍ତ୍ତମାନ ରାଜ୍ୟଗୁଡ଼ିକୁ ମିଳୁଛି । ଏହି ଆଇନ ଦ୍ୱାରା ବର୍ତ୍ତମାନ କେନ୍ଦୁଝର ଛାତ୍ରାବାସ, ସୁନ୍ଦରଗଡ଼ ପାଇପ୍-ଜଳ ଯୋଗାଣ ଯୋଜନା କିମ୍ବା ସୁଭଦ୍ରା କିସ୍ତି ପାଇଁ ପାଣ୍ଠି ଦେଉଥିବା କୌଣସି ଅନୁଦାନ ପ୍ରତ୍ୟାହାର ହେବ ନାହିଁ। ତେବେ ହଁ, ଶୁଳ୍କ ଉପରେ ଲାଗୁ ହେଉଥିବା ଅତିରିକ୍ତ ଶୁଳ୍କ, ତା’ ଉପରେ ଖୋଲା ଏବଂ ପିଛିଲା ଭାବେ ଆଦାୟ ହେଉଥିବା ଶୁଳ୍କ ଉଚ୍ଛେଦ ହେବ ।
ସଂଶୋଧିତ ଏମଏମଡିଆର ଆଇନରେ ପ୍ରମୁଖ ନୀତିଗତ ବ୍ୟବସ୍ଥାକୁ ନେଇ ବିରୋଧୀଙ୍କ ପକ୍ଷରୁ କେତେକ ଆପତ୍ତି ଉପସ୍ଥାପନ କରାଯାଇଛି । ଏହାର ସେକ୍ସନ ୯-ଡି ଦ୍ୱାରା ଓଡ଼ିଶା ଅତିରିକ୍ତ ଖଣିଜ ଶୁଳ୍କ ଲାଗୁ କରିବାର ସ୍ୱାଧୀନତା ହରାଇବ ବୋଲି ବିରୋଧୀମାନେ କୁହନ୍ତି । ଏହାର ଉତ୍ତରରେ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ କହିବା କଥା ହେଲା, ଜାତୀୟ ସୀମା ଆର୍ଥିକ ଅନିଶ୍ଚିତତାକୁ ହ୍ରାସ କରିବ ଏବଂ ପ୍ରକଳ୍ପର କାର୍ଯ୍ୟକ୍ଷମତାକୁ ସୁରକ୍ଷା ଦେବ । ନୂତନ ସେସରୁ ରାଜସ୍ବ ହରାଇବା ରାଜ୍ୟ ପାଇଁ କ୍ଷତି ବୋଲି ବିରୋଧୀଙ୍କ ଆପତ୍ତିର ଜବାବରେ ସରକାର କହିଛନ୍ତି, ବର୍ତ୍ତମାନର ରୟାଲ୍ଟି, ନିଲାମ ପ୍ରିମିୟମ୍, ଡିଏମଏଫ ଏବଂ ତତ ସମ୍ପର୍କିତ ରାଜସ୍ୱ ପ୍ରାପ୍ତିଗୁଡ଼ିକ ଦୀର୍ଘସ୍ଥାୟୀ ଏବଂ ନିରନ୍ତର ଖଣିଜ ଉତ୍ପାଦନ ଉପରେ ନିର୍ଭର କରେ। ଟିକସ ଦର ପ୍ରମୁଖ ରାଜସ୍ୱ ମାଧ୍ୟମ ବୋଲି ଆସିଥିବା ଆପତ୍ତି ଉପରେ ସରକାରଙ୍କ ଉତ୍ତର ହେଉଛି, ଉତ୍ପାଦନ ପରିମାଣ, ଖଣିଜ ମୂଲ୍ୟ ଏବଂ କାର୍ଯ୍ୟକ୍ଷମ ଖଣି ସଂଖ୍ୟା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାରକ । ଖଣି କମ୍ପାନୀଗୁଡ଼ିକ ଅତିରିକ୍ତ ଟିକସ ନେଇଯିବେ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ଏହାର ସରକାରୀ ପକ୍ଷ ହେଉଛି, ଦୀର୍ଘକାଳୀନ, ପୁଞ୍ଜି-ସଘନ ପ୍ରକଳ୍ପଗୁଡ଼ିକର ନିବେଶ ନିଷ୍ପତ୍ତିରେ ଆର୍ଥିକ ଅନିଶ୍ଚିତତାକୁ ମଧ୍ୟ ଧ୍ୟାନ ରଖାଯାଏ।
ଟିକସ ଲଗାଇବା ଭୁଲ ବୋଲି ଯୁକ୍ତି ଦର୍ଶାଇ ୨୦୨୬ରେ ଏମଏମଡିଆର ଆଇନରେ ସଂଶୋଧନକୁ ଉଚିତ୍ ବୋଲି କୁହାଯାଇପାରିବ ନାହିଁ । ଏହାପଛରେ ଥିବା ବଡ଼ ଯୁକ୍ତି ହେଉଛି, ଖଣି ଅର୍ଥବ୍ୟବସ୍ଥା ବଢ଼ୁଥିବା ସମୟରେ ଏକ ଧାର୍ଯ୍ୟ ଟିକସ ବ୍ୟବସ୍ଥା ଏବଂ ସଂକୁଚିତ ଅର୍ଥବ୍ୟବସ୍ଥାରେ ଅନିଶ୍ଚିତ ଟିକସ ବ୍ୟବସ୍ଥା ତୁଳନାରେ ଆର୍ଥିକ ଦୃଷ୍ଟିରୁ ଉନ୍ନତ । ତେଣୁ ଓଡ଼ିଶାକୁ ଧାରା ୯ଡି କୁ କେବଳ ରାଜ୍ୟ ଟିକସ ଉପକରଣ ଉପରେ ପ୍ରତିବନ୍ଧକ ଭାବରେ ନୁହେଁ ବରଂ ନିବେଶକମାନଙ୍କ ପାଇଁ ଏକ ବ୍ୟାପକ ପ୍ରସ୍ତାବର ଏକ ଅଂଶ ଭାବରେ ଦେଖିବା ଉଚିତ ।
ଏହି ଆଇନ ଦ୍ୱାରା ଲୁହାପଥର ଉପରେ ମିଳୁଥିବା ୧୫% ରୟାଲଟିର କୌଣସି କ୍ଷତି ହେବ ନାହିଁ ଏବଂ ରାଜ୍ୟକୁ ଏହା ଶତପ୍ରତିଶତ ମିଳିବ । ନିଲାମ ପ୍ରିମିୟମ ମଧ୍ୟ ପୂର୍ବ ପରି ଶତପ୍ରତିଶତ ମିଳିବ। ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ), ଏନଏମଇଟି ଯୋଗଦାନ, ବାଲି, ମୋରମ, ଗ୍ରାଭେଲ୍ ଭଳି ୫୦ଟି ଲଘୁ ଖଣିଜ ଦ୍ରବ୍ୟ ସମ୍ପୂର୍ଣ୍ଣ ଭାବେ ରାଜ୍ୟର ହେବ । ନିବେଶକମାନେ ଭବିଷ୍ୟତରେ ଲାଗୁ ହେଉଥିବା ଅନିଶ୍ଚିତ ଏବଂ ଅସୀମିତ ଟିକସ ତୁଳନାରେ ପୂର୍ବାନୁମାନଯୋଗ୍ୟ ଏବଂ ଉଚିତ୍ ଟିକସକୁ ସହଜରେ ସ୍ୱୀକାର କରିପାରନ୍ତି । ବିଶ୍ୱବ୍ୟାଙ୍କ ମଧ୍ୟ ଏହି ନୀତିକୁ ଗ୍ରହଣ କରିଛି ।
ଖଣିର ଗୋଟିଏ ପଟେ ନିବେଶ ହୋଇଥିବା ଏକ ଟଙ୍କା ସେହି ଗୋଟିଏ ଜାଗାରେ ତିଷ୍ଠି ରହିନଥାଏ। ବରଂ ଏହା ଏକ ସିମେଣ୍ଟ ବ୍ୟାଗର ମୂଲ୍ୟ, ବିଦ୍ୟୁତ ଶୁଳ୍କ, ଏକ ଟିଏମଟି ବାରର ମୂଲ୍ୟ ଓ ସ୍ପଞ୍ଜ ଆଇରନ୍ ୟୁନିଟର ସ୍ଥାୟିତ୍ୱ ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ। ଗୋଟିଏ ଖଣି ବନ୍ଦ ହେଲେ, କ୍ଷତି କେବଳ ସେହି ଖଣି ମଧ୍ୟରେ ସୀମିତ ହୁଏ ନାହିଁ। ଏହା ଢାବା, ଓଜନ ବ୍ରିଜ୍, ଟାୟାର ଦୋକାନ ଏବଂ ଋଣ ନେଇ କିଣାଯାଇଥିବା ଟ୍ରକର ବ୍ୟାଙ୍କ ଇଏମଆଇ ପର୍ଯ୍ୟନ୍ତ ପହଞ୍ଚେ। କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ବହୁ ସଂଖ୍ୟକ ଅନୁସୂଚିତ ଜନଜାତି ଲୋକ ଅଛନ୍ତି । ସେଠାରେ ଖଣି ଓ ଖଣିଜ ଆଧାରିତ ନିବେଶର ଦୀର୍ଘ ସଂକୋଚନ ସ୍ଥାନୀୟ ଜୀବିକା ନିର୍ବାହ ଉପରେ ପ୍ରଭାବ ପକାଇପାରେ। କେନ୍ଦୁଝର-ସୁନ୍ଦରଗଡ଼ର ଆଦିବାସୀମାନେ ମୁଖ୍ୟତଃ ଖଣି ଓ ଖଣି-ସମ୍ବନ୍ଧୀୟ ପରିବହନ ଉପରେ ନିର୍ଭର କରନ୍ତି । ସେମାନେ ବ୍ୟାଙ୍କ ଋଣରେ ଟ୍ରକ କିଣିଥା’ନ୍ତି । ତେଣୁ ଖଣି ବନ୍ଦ ହେବା ଏକକାଳୀନ ଇଏମଆଇ ସଙ୍କଟ, ଡ୍ରାଇଭର ମଜୁରୀ ଅଭାବ ଏବଂ ଢାବା ପରିଚାଳନା କ୍ଷତି ଭଳି ଦୁର୍ଦ୍ଦିନକୁ ଡାକି ଆଣିପାରେ । ଯଦି ଖଣିଗୁଡ଼ିକ ସେମାନଙ୍କର ବର୍ତ୍ତମାନର ଟିକସରେ ଯୋଗଦାନ କରିବାକୁ ଅସମର୍ଥ ହୁଅନ୍ତି, ତେବେ ଏପରି କର ରାଜ୍ୟ ରାଜକୋଷ ପାଇଁ ମଧ୍ୟ ପ୍ରତିକୂଳ ହୋଇପାରେ।
ଅସ୍ୱାଭାବିକ ରାଜ୍ୟ ଟିକସ ଲୁହାପଥର, କୋଇଲା, ଚୂନାପଥର ଏବଂ ଫସଫେଟ୍ ଭଳି ଖଣିଜ ପଦାର୍ଥର ମୂଲ୍ୟ ବୃଦ୍ଧି କରିପାରେ, ଯାହା ଫଳରେ ଇସ୍ପାତ, ବିଦ୍ୟୁତ୍, ସିମେଣ୍ଟ ଏବଂ ସାର ଉପରେ ଅଧିକ ମୂଲ୍ୟ ଚାପ ପଡ଼ିପାରେ। ଏହି ଉତ୍ପାଦଗୁଡ଼ିକ ସାଧାରଣ ଲୋକ ବ୍ୟବହାର କରନ୍ତି, ଏବଂ ଏହାର ମୂଲ୍ୟ ବୃଦ୍ଧି କ୍ରୟ ଶକ୍ତିକୁ ହ୍ରାସ କରିପାରେ। ୨୦୨୫-୨୬ ସୁଦ୍ଧା ଓଡ଼ିଶାର ୭୯ଟି ନିଲାମ ହୋଇଥିବା ଖଣି ମଧ୍ୟରୁ ୩୫ଟି କାର୍ଯ୍ୟକ୍ଷମ ହୋଇଥିଲା ଏବଂ ରାଜ୍ୟ ୨୦୨୦-୨୧ ଏବଂ ୨୦୨୫-୨୬ ମଧ୍ୟରେ ପ୍ରାୟ ୮୭,୦୦୦ କୋଟି ଟଙ୍କା ନିଲାମ ପ୍ରିମିୟମ ସଂଗ୍ରହ କରିଥିଲା। ତେଣୁ, ନିଲାମ ହୋଇଥିବା ୭୯ଟି ଖଣି ମଧ୍ୟରୁ ୪୪ଟି ଏବେ କାର୍ଯ୍ୟକ୍ଷମ ହେବାର ସୁଯୋଗ ରହିଛି ।

