ଭୁବନେଶ୍ୱର: ଉତ୍ତର ଓଡ଼ିଶା ରାଜନୀତିରେ ବଡ଼ ଧରଣର ଅଦଳବଦଳ। କଂଗ୍ରେସ ଶିବିରରେ ସାମିଲ ହୋଇଛନ୍ତି ମୟୂରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା। ନିଜର ଶତାଧିକ ସମର୍ଥକଙ୍କ ସହ ସେ ଆଜି ବିଧିବଦ୍ଧ ଭାବେ ହାତ ଧରିଛନ୍ତି। ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ସେ ଦଳୀୟ ପତାକା ଗ୍ରହଣ କରିଛନ୍ତି।
କଂଗ୍ରେସରେ ଯୋଗଦେବା ପରେ ରାମଚନ୍ଦ୍ର ହାଁସଦା କହିଛନ୍ତି ଯେ, ଦଳ ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଯେଉଁଭଳି ଭାବେ ଉତ୍ସାହର ସହ ସ୍ୱାଗତ କରିଛି, ସେଥିପାଇଁ ସେ କୃତଜ୍ଞ। ‘ମୁଁ ପୂର୍ବରୁ ମଧ୍ୟ ଜନସାଧାରଣ ଓ ଆଦିବାସୀଙ୍କ ହକ୍ ପାଇଁ ସ୍ୱର ଉତ୍ତୋଳନ କରୁଥିଲି ଏବଂ ଆଗାମୀ ଦିନରେ ମଧ୍ୟ ଏହି ଲଢ଼େଇ ଜାରି ରହିବ। କଂଗ୍ରେସର ନୀତି, ଆଦର୍ଶ ଓ ମୋର ଚିନ୍ତାଧାରା ସମ୍ପୂର୍ଣ୍ଣ ସମାନ’ ବୋଲି ସେ କହିଛନ୍ତି। ଏହାସହ ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ସହ ପିସିସି ସଭାପତିଙ୍କ ହାତମୁଠାକୁ ମଜବୁତ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ ଦୋହରାଇଛନ୍ତି।
ଅନ୍ୟପଟେ ରାମଚନ୍ଦ୍ର ହାଁସଦାଙ୍କ ଯୋଗଦାନକୁ ସ୍ୱାଗତ କରି ପିସିସି ସଭାପତି କହିଛନ୍ତି ଯେ, ତାଙ୍କ ଆଗମନ ଦ୍ୱାରା ମୟୂରଭଞ୍ଜରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ। ଆଗାମୀ ଦିନରେ ଏହି ଜିଲ୍ଲାରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସର ଅବସ୍ଥା ଶୋଚନୀୟ ରହିଛି। ଜିଲ୍ଲାର ସାଂଗଠନିକ ଦଳୀୟ ସ୍ଥିତି ଦୁର୍ବଳ ରହିଛି। ତେବେ ସେ କଂଗ୍ରେସରେ ମିଶିବା ପରେ ଜିଲ୍ଲାରେ କଂଗ୍ରେସର ସ୍ଥିତି ସୁଦୃଢ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ରାମଚନ୍ଦ୍ର ହାଁସଦା।

