Home Education ରେଭେନ୍ସାରେ ଶିକ୍ଷକ ଛକାପଞ୍ଝା ଜୋରଦାର

ରେଭେନ୍ସାରେ ଶିକ୍ଷକ ଛକାପଞ୍ଝା ଜୋରଦାର

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘରେ ଫାଟ ସୃଷ୍ଟି ହୋଇ ଅନ୍ୟଏକ ସମାନ୍ତରାଳ ସଂଗଠନ ଗଢାଯିବାପରେ ଛାକପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଛି । ନବଗଠିତ ଗୋଷ୍ଠି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରୁଥିବାବେଳେ ମୂଳ ସଂଗଠନ ପକ୍ଷରୁ ପୁଣି ଆନ୍ଦୋଳନର ତୂର୍ଯ୍ୟନାଦ କରାଯାଇଛି । ଏଥିଘେନି ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ରେଭେନ୍ସା ଛାତ୍ରାବାସର ଏକ ପ୍ରସଙ୍ଗକୁ ନେଇ ଛାତ୍ର ଆନ୍ଦୋଳନ ସୃଷ୍ଟି ହୋଇଥିବାବେଳେ ଏହାର ସମାଧାନ ଶିକ୍ଷକ ଓ କୁଳପତିଙ୍କ ଉପସ୍ଥିତିରେ ହୋଇଥିଲା । ତେବେ କଟକ ସଦର ବିଧାୟକ ଏହି ଅବସରରେ କିଛି ମନ୍ତବ୍ୟ ଦେବାରୁ ତାହା ବିରୁଦ୍ଧରେ ଶିକ୍ଷକମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବାବେଳେ ବିଧାୟକଙ୍କ ପକ୍ଷରୁ କିଛି ଶିକ୍ଷକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖାଯାଇଥିଲା । ଏହି ପ୍ରସଙ୍ଗରେ ଶିକ୍ଷକମାନେ ପ୍ରତିବାଦ ଜଣାଇ କୁଳପତିଙ୍କ ଦପ୍ତର ପର୍ଯ୍ୟନ୍ତ ଯାଇ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ ।

ଇତି ମଧ୍ୟରେ ରେଭେନ୍ସାର ହଷ୍ଟେଲଗୁଡିକ ଦାୟିତ୍ୱରେ ଥିବା ଚିଫ୍‍ ୱାର୍ଡେନ ଓ ଡେପୁଟୀ ୱାଡେନଙ୍କ ମଧ୍ୟରୁ ଅନେକଙ୍କୁ ଭାରମୁକ୍ତ କରାଯାଇ ନୂତନ ଶିକ୍ଷକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏଭଳି ଭିତ୍ତିଭୂମିରେ କିଛି ଶିକ୍ଷକଙ୍କୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ପରିଷଦ ନାମରେ ଏକ ଭିନ୍ନ ସଂଗଠନ ଗଢାଯାଇଛି, ଯାହାକୁ ପୂର୍ବରୁ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା)ରେ ବିଭାଜନ ବୋଲି କୁହାଯାଉଛି ।

ନବଗଠିତ ଶିକ୍ଷକ ପରିଷଦ ପକ୍ଷରୁ କୁଳପତିଙ୍କୁ ବାରମ୍ବାର ଭେଟା ଯାଉଥିବାବେଳେ ଏବେ ଏହାର ସଦସ୍ୟମାନେ ଭୁବନେଶ୍ୱର ଆସି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ରେଭେନ୍ସାର ବିକାଶ ସଂକ୍ରାନ୍ତରେ କେତେକ ପ୍ରସ୍ତାବ ଦେଇଛନ୍ତି । ଅନ୍ୟ ପକ୍ଷରେ ମୂଳ ସଂଗଠନ ରୁଟା ପକ୍ଷରୁ ସେମାନଙ୍କ ପୁରୁଣା ଦାବି ଉପସ୍ଥାପନ କରାଯାଇ ଅଧ୍ୟାପକମାନେ ସାମୂହିକ ଛୁଟି ସହିତ ଧାରଣା ଦେଇଛନ୍ତି ।

ରୁଟା ପକ୍ଷରୁ କୁଳପତିଙ୍କ ନିକଟରେ କରାଯାଇଥିବା ଦାବିରେ ଶିକ୍ଷାୟତନର ପରିବେଶକୁ ରାଜନୈତିକ ଚାପରୁ ଦୂରେଇ ରଖିବା ସହିତ ସେମାନଙ୍କୁ ସମ୍ମାନର ସହ କାମ କରିବାକୁ ଦେବାଲାଗି କୁହାଯାଇଛି । ଏଥି ସହ ଶିକ୍ଷକଙ୍କ ବିରୁଦ୍ଧରେ ବିଧାୟକ ବାଚସ୍ପତିଙ୍କୁ ଯେଉଁ ପତ୍ର ଲେଖିଛନ୍ତି ତାହା ପ୍ରତ୍ୟାହାର କରିବାଲାଗି ମଧ୍ୟ ଦାବି ହୋଇଛି ।

ଦୀର୍ଘବର୍ଷ ଧରି ରେଭେନ୍ସା ସମେତ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ସେଥିଘେନି ଏଯାବତ୍‍ କିଛି ସ୍ପଷ୍ଟ ସରକାରୀ ଘୋଷଣା ହୋଇନଥିବାବେଳେ ଠିକଣା ସମୟରେ ସରକାର ଏ ପ୍ରସଙ୍ଗରେ ଠିକଣା ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ କହିଆସୁଛନ୍ତି ।

ଅନ୍ୟ ପକ୍ଷରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡି ସମସ୍ୟା ଅତି ଉତ୍କଟତର ହୋଇଥିବାବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଅଣଶିକ୍ଷକ କର୍ମଚାରୀ ବି ନାହାନ୍ତି । ଏଥିଯୋଗୁଁ ପାଠପଢା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ବ୍ୟାହତ ହେଉଥିବାବେଳେ ଅତିଥି ଅଧ୍ୟାପକ ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ନେଇ କାମ ଚଳାଯାଉଛି । ଏଥିଘେନି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଖୁବ୍‍ଶୀଘ୍ର ଖାଲିଥିବା ପଦବୀ ପୂରଣ ହେବବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିବାବେଳେ କିଛି ପଦବୀ ପୂରଣ ପାଇଁ ଇତି ମଧ୍ୟରେ ବିଜ୍ଞାପନ ପ୍ରକାଶ ପାଇଛି ।(ତଥ୍ୟ)