ଭୁବନେଶ୍ୱର : ରାଜ୍ୟର ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ଅନେକ ପୌରସଂସ୍ଥା ଆଗ୍ରହ ପ୍ରକାଶ କରୁନାହାନ୍ତି । ଅର୍ଥ ପ୍ରଦାନ ସତ୍ୱେ ବି ସେମାନେ ପ୍ରକଳ୍ପ ଆରମ୍ଭ କରିପାରୁନଥିବାରୁ ଏବେ ଏହି ଯୋଜନାର ଅଗ୍ରଗତିକୁ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି ।
ସହରାଞ୍ଚଳର ଲୋକଙ୍କ ହାତକୁ କାମଧନ୍ଦା ଯୋଗାଇ ଦେବାପାଇଁ କାର୍ଯ୍ୟକାରୀ ହେଉଥିଲା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା) । ପରବର୍ତ୍ତୀ ସମୟରେ ସରକାର ଏହାର ନାମକୁ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (ଏମଏସ୍ବିୱାଇ) ରଖିଛନ୍ତି । ଏଥିପାଇଁ ୬୨୧ କୋଟି ଟଙ୍କାର ବ୍ୟୟ ବରାଦ ହେବା ସହିତ ୬ହଜାରରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଏଥିପାଇଁ ବିଭିନ୍ନ ପୌରାଞ୍ଚଳକୁ ପ୍ରକଳ୍ପୱାରୀ ଅର୍ଥ ଯୋଗାଇ ଦିଆଯାଇଛି ।
ହେଲେ ଅର୍ଥ ପାଇଥିବା କେତେକ ପୌରସଂସ୍ଥା ଆଦୌ ପ୍ରକଳ୍ପକାର୍ଯ୍ୟ ଆରମ୍ଭ କରିପାରି ନାହାନ୍ତି । ଏହି ତାଲିକାରେ ରହିଛନ୍ତି ବରପାଲି, କବିସୂର୍ଯ୍ୟନଗର, ଜୁନାଗଡ ଓ ଚମ୍ପୁଆ ଏନଏସି ସହିତ ବ୍ୟାସନଗର ଓ ଉମରକୋଟ ମ୍ୟୁନିସିପାଲଟିଛି । ଏହିସବୁ ପୌରସଂସ୍ଥାରେ ଗୋଟିଏ ହେଲେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ । ବରପାଲି ଏନଏସିକୁ ପ୍ରାୟ ୫.୩୭ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ କବିସୂର୍ଯ୍ୟନଗର ଏନଏସିକୁ ପାଖାପାଖି ୨ କୋଟି ଟଙ୍କା ପାଇଛି ।
ସେହିଭଳି ସାଢେ ୭କୋଟି ଟଙ୍କା ପାଇଥିବା ପାଟଣାଗଡଏନଏସି ମାତ୍ର ଗୋଟିଏ ପ୍ରକଳ୍ପ ଆରମ୍ଭ କରିଥିବାବେଳେ ଜଗତ୍ସିଂହପୁର ମ୍ୟୁନିସିପାଲିଟିକୁ ୭ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦିଆଯାଇଥିବାବେଳେ ଗୋଟିଏ ମାତ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାରେ ସକ୍ଷମ ହୋଇଛି । ପୁରୀ ମହାନଗର ନିଗମ ପାଇଁ ୫ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର ହୋଇଥିବାବେଳେ ୫୯ଟି ପ୍ରକଳ୍ପରୁ ମାତ୍ର ୭ଟି ଆରମ୍ଭ ହୋଇପାରିଛି ।
ଏହିସବୁ ପୌରସଂସ୍ଥା ସହିତ ଅନ୍ୟ ଯେଉଁମାନେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ମିଳିଥିବା ଅର୍ଥରୁ ଟଙ୍କାଟିଏ ଖର୍ଚ୍ଚ କରିବାରେ ସଫଳ ହୋଇନାହାନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ବଲାଙ୍ଗିରର କଣ୍ଟାବାଞ୍ଝି ଏନଏମସି, ପୁରୀର ନିମାପଡା ଏନଏସି, ବରଗଡର ପଦ୍ମପୁର, ଗଞ୍ଜାମର ପୁରୁଷୋତ୍ତମପୁର, ଗଞ୍ଜାମର ପୋଲସରା ଏନଏସି ସହିତ ଝାରସୁଗୁଡା ମ୍ୟୁନିସିପାଲଟି ବି ରହିଛି ।
ସହରାଞ୍ଚଳରେ ଲୋକଙ୍କ ହାତକୁ କାମ ଯୋଗାଇବା ସହିତ ବିଭିନ୍ନ ପ୍ରକଳ୍ପର ରକ୍ଷଣା ବେକ୍ଷଣ ମଧ୍ୟ ଏହି ଯେଜାନାରେ ହୋଇଥାଏ । ହେଲେ ପୌରସଂସ୍ଥାରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କର୍ମଚାରୀମାନଙ୍କର ସଙ୍କଟ ଏଥିରେ ବଡ ବାଧକ ସାଜିଛି । ପୂର୍ବରୁ ଯେଉଁ ଆଉଟସୋର୍ସିଂ କର୍ମଚାରୀମାନେ ମୁକ୍ତା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିଲେ ସେମାନଙ୍କ ମଧ୍ୟରୁ ଅଧକାଂଶଙ୍କୁ ସରକାର ଚାକରିରୁ ବିଦା କରିଦେଇଥିବାରୁ ଅର୍ଥ ଥିଲେ ମଧ୍ୟ ପ୍ରକଳ୍ପ ଆଗେଇ ପାରୁନଥିବା କୁହାଯାଉଛି ।
ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ଅର୍ଥ ଭୁବନେଶ୍ୱର ମହାନଗର ନିଗମ ପାଇଥିବାବେଳେ ମିଳିଥିବା ଅର୍ଥରୁ ୨୯ ପ୍ରତିଶତ ବ୍ୟୟ କରିଥିବା ଜଣାଯାଇଛି । କଟକ ମହାନଗର ନିଗମ ୧୨ ପ୍ରତିଶତ ଓ ସମ୍ବଲପୁର ମହାନଗର ନିଗମ ୧୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାରେ ସଫଳ ହୋଇଛନ୍ତି । (ତଥ୍ୟ)

