ଭୁବନେଶ୍ୱର : ପୌରସଂସ୍ଥାଗୁଡିକୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଯୋଗାଇ ଦେଉଥିବା ଅର୍ଥକୁ କେତେକ ପୌରାଞ୍ଚଳ ଠିକଣା ଭାବେ ଖର୍ଚ୍ଚ କରିପାରୁ ନାହାନ୍ତି । ଏପରିକି ୨୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରିବା ବି ଏମାନଙ୍କ ପକ୍ଷେ ସମ୍ଭବପର ହେଉନାହିଁ ।
ପୌରାଞ୍ଚଳଗୁଡିକୁ ରାଜ୍ୟ ସରକାର ସ୍ୱଚ୍ଛ ଓଡିଶା, ବର୍ଷା ଜଳ ସଂରକ୍ଷଣ, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଉନ୍ନତି ଆଦି ଯୋଜନାରେ ଅର୍ଥ ପ୍ରଦାନ କରୁଛନ୍ତି । ତେବେ ନିକଟରେ କରାଯାଇଥିବା ସମୀକ୍ଷାରୁ ଜଣାଯାଇଛି ଯେ ଗୋପାଳପୁର, ଚାନ୍ଦବାଲି, କୋଣାର୍କ ଭଳି ପୌରସଂସ୍ଥା ମିଳିଥିବା ଅର୍ଥର ୨୦ପ୍ରତିଶତ ବି ଖର୍ଚ୍ଚ କରିପାରି ନାହାନ୍ତି । ସର୍ବନିମ୍ନ ଅର୍ଥ ବ୍ୟୟ କରିଥିବା ଯେଉଁ ୧୦ଟି ପୌରସଂସ୍ଥାର ତାଲିକା ପ୍ରସ୍ତୁତ ହୋଇଛି ସେଥିରେ ଉପରୋକ୍ତ ତିନି ପୌରସଂସ୍ଥା ସହିତ ରେମୁଣା, ଚିକିଟି, ତୁସରା, ଫୁଲବାଣୀ, କରଞ୍ଜିଆ, ବାଣପୁର ଓ ନିମାପଡା ଆଦି ରହିଛନ୍ତି ।
ଗୋପାଳପୁର ପୌରାଞ୍ଚଳକୁ ୧୨.୩୦ କୋଟି ଟଙ୍କା ଦିଆଯାଇଥିବାବେଳେ ଏଥିରୁ ୨କୋଟି ଟଙ୍କା ବି ଖର୍ଚ୍ଚ ହୋଇପାରି ନାହିଁ । ସେହିଭଳି ଚାନ୍ଦବାଲିକୁ ୧୪.୫୦ କୋଟି ଟଙ୍କା ମିଳିଥିବାବେଳେ ଏଥିରୁ ମାତ୍ର ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି । ୨୦ କୋଟି ଟଙ୍କା ପାଇଥିବା ରେମୁଣା ଏଥିରୁ ୪ କୋଟି ଟଙ୍କା ବି ଖର୍ଚ୍ଚ କରିପାରି ନାହିଁ ।
ଗୋଟିଏ ପଟେ ପୌରସଂସ୍ଥାଗୁଡିକରେ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ସରକାର ଦେଉଥିବା ଅର୍ଥ ଖର୍ଚ୍ଚ ହୋଇନପାରିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଧାର୍ଯ୍ୟ ସମୟରେ ଯଦି ଟଙ୍କା ଖର୍ଚ୍ଚ ନହୁଏ ତେବେ ସମ୍ପୃକ୍ତ ପୌରାଞ୍ଚଳଗୁଡିକୁ ପରବର୍ତ୍ତୀ ପର୍ଯ୍ୟାୟରେ ତ ଆଉ ଟଙ୍କା ମିଳିବନାହିଁ, ବରଂ କର୍ତ୍ତୃପକ୍ଷ ସମ୍ପୃକ୍ତ ପୌରସଂସ୍ଥାଗୁଡିକୁ ବାରମ୍ବାର ଚିଠି ଲେଖିବାକୁ ବାଧ୍ୟ ହେବେ ।
ମିଳିଥିବା ସୂଚନା ଅନୁଯାୟୀ ଟଙ୍କା ଖର୍ଚ୍ଚ ହୋଇନପାରିବାର ପ୍ରମୁଖ କାରଣ ମଧ୍ୟରେ ରହିଛି କର୍ମଚାରୀ ସଙ୍କଟ । ପ୍ରାୟତଃ ସମସ୍ତ ପୌରସଂସ୍ଥାରେ ଆଉଟସୋର୍ସିଂ ଜରିଆରେ କର୍ମଚାରୀ ନିଯୁକ୍ତି ହେଉଥିବାବେଳେ ସେମାନଙ୍କ ପାରିଶ୍ରମିକରେ କୌଣସି ତାଳମେଳ ରହୁନାହିଁ । ଏପରିକି ନିୟମିତ ଭାବେ କର୍ମଚାରୀମାନେ ପାରିଶ୍ରମିକ ପାଉନଥିବାରୁ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି ।
ଏହା ସତ୍ୱେ ବି ଆଉ କିଛି ପୌରସଂସ୍ଥା ମିଳିଥିବା ଅର୍ଥ ଠାରୁ ଅଧିକ ଅର୍ଥ ଖର୍ଚ୍ଚ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏହିଭଳି ପ୍ରସ୍ତୁତ ହୋଇଥିବା ୧୦ଟି ପୌରସଂସ୍ଥା ମଧ୍ୟରେ ରହିଛନ୍ତି ଜୟପୁର, ରେଢାଖୋଲ, ଦେବଗଡ, ମାଲକାନଗିରି,ତରଭା, କୋରାପୁଟ, ବଲାଙ୍ଗିର, ବାସୁଦେବପୁର, ଢେଙ୍କାନାଳ ପୌରସଂସ୍ଥା ସହିତ ରାଉରକେଲା ମହାନଗର ନିଗମ । କୋରାପୁଟ ଜିଲ୍ଲାର ଜୟପୁର ମ୍ୟୁନିସିପାଲିଟିକୁ ସରକାର ୩୧ କୋଟି ଟଙ୍କା ଦେଇଥିବାବେଳେ ଏହି ପୌରସଂସ୍ଥା ୩୯କୋଟି ଟଙ୍କାରୁ ଅଧିକ ଅର୍ଥାତ୍ ୧୨୭ ପ୍ରତିଶତ ଅର୍ଥ ବ୍ୟୟ କରିଛି । ସେହିଭଳି ରେଢାଖୋଲ ଏନଏସି ୭.୭୯ କୋଟି ଟଙ୍କା ପାଇଥିବାବେଳେ ୯.୩୦କୋଟି ଟଙ୍କା ଖର୍ଚ୍ଚକରି ରେକର୍ଡ କରିଛି । ରାଉରକେଲା ମହାନଗର ନିଗମକୁ ୧୧୮ କୋଟି ୩୮ଲକ୍ଷ ଟଙ୍କା ମିଳିଥିବାବେଳେ ଏହା ପ୍ରାୟ ୯୬ କୋଟି ଟଙ୍କା ଖର୍ଚ୍ଚ କରିପାରିଛି । (ତଥ୍ୟ)

