ଭୁବନେଶ୍ୱର : ଗଣମାଧ୍ୟମରେ ବ୍ୟାପକ ଆଲୋଚନା ଓ ସମାଲୋଚନା ପରେ ଭୁବନେଶ୍ୱର, କଟକ ସମେତ ରାଜ୍ୟର କେତେକ ଅଞ୍ଚଳରେ ନକଲି ଛେନା ଓ ନକଲି ପନୀର ଜବତ କରାଯାଇଛି । ତେବେ ସାରା ରାଜ୍ୟରେ ଆଜିର ଦିନରେ ବି ଖୋଲାଖୋଲି ଭାବେ ଏହି ନକଲି ଶିଳ୍ପ ଚାଲିଛି । ଛେନା, ପନୀର ଧରାଯାଉଥିବାବେଳେ ବଜାରରେ ମିଳୁଥିବା ଗାଈ ଦୁଗ୍ଧର କିନ୍ତୁ ଯାଞ୍ଚ କରାଯାଉନଥିବାରୁ ଖାଉଟିମାନେ ଅପମିଶ୍ରିତ ଓ ନକଲି ଦୁଗ୍ଧ କିଣି ରୋଗାକ୍ରାନ୍ତ ହେଉଛନ୍ତି ।
ନକଲି ଛେନା ଓ ପନୀର ପ୍ରସ୍ତୁତ ପାଇଁ ଡିଜରଜେଣ୍ଟ ପାଉଡର, ଚର୍ବି ଜାତୀୟ ପଦାର୍ଥ, ଶସ୍ତା ତେଲ, ଦୁଗ୍ଧ ଗୁଣ୍ଡ ଓ ଅନ୍ୟ ରାସାୟନିକ ପଦାର୍ଥମାନ ବ୍ୟବହାର କରାଯାଉଥିବା କୁହାଯାଉଛି । ଏହିସବୁ ପଦାର୍ଥ ସହିତ ୟୁରିଆ ଭଳି ରାସାୟନିକ ସାର ମିଶାଇ ନକଲି ଦୁଗ୍ଧ ଅସାଧୁ ବ୍ୟକ୍ତିମାନେ ପ୍ରସ୍ତୁତ କରି ଖାଉଟିମାନଙ୍କୁ ଅସଲି ନାଁରେ ବିକୁଥିବା ଘେନି ବିଭିନ୍ନ ମହଲରୁ ବାରମ୍ବାର ଆପତ୍ତି ଉଠିଛି ।
ନିକଟ ଅତୀତରେ ଏକ ଘରୋଇ ଦୁଗ୍ଧ କମ୍ପାନୀକୁ ଆସୁଥିବା ଗୋଟିଏ ଅପମିଶ୍ରିତ ଦୁଗ୍ଧ ବୋଝେଇ ଟ୍ୟାଙ୍କର ଜବତ ହୋଇଥିଲା । ଏହାର ଗୁଣବତ୍ତା ପରୀକ୍ଷା କରାଯିବା ପରେ କଟକ ଜିଲ୍ଲାର ଏକ ଜଙ୍ଗଲିଆ ଖଣି ଖାଦାନ ଅଞ୍ଚଳରେ ଏହି ଦୁଗ୍ଧକୁ ଢାଳି ନଷ୍ଟ କରିଦିଆଯାଇଥିଲା । ଅଭିଯୋଗ ମୁତାବକ ଏହି ଟ୍ୟାଙ୍କରରେ ଅପମିଶ୍ରିତ ଦୁଗ୍ଧ ପ୍ରସ୍ତୁତ କରାଯାଇ ରଖାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇବା ପରେ କର୍ତ୍ତୃପକ୍ଷ ଚଢ଼ଉ କରି ତାହା ଜବତ କରିଥିଲେ ।
ମା’ଦୁଗ୍ଧର ବିକଳ୍ପ ଭାବେ ଗାଈ କ୍ଷୀର ଉପରେ ଶିଶୁମାନଙ୍କ ପାଇଁ ନିର୍ଭର କରିବାକୁ ପଡ଼ିଥାଏ । କେବଳ ଶିଶୁ କାହିଁକି, ବୟସ୍କ ବ୍ୟକ୍ତି ଏବଂ ରୋଗୀମାନେ ମଧ୍ୟ ନିୟମିତ ଦୁଗ୍ଧ ସେବନ କରିଥାନ୍ତି । ଶରୀରର ପୁଷ୍ଟି ସାଧନ ପାଇଁ ଯେଉଁମାନେ ଦୁଗ୍ଧ କିଣିଥାନ୍ତି ସେମାନେ ଜାଣନ୍ତି ନାହିଁ ଯେ ଏ କ୍ଷେତ୍ରରେ ବିଶ୍ୱାସଘାତକତା କରାଯାଇ ଶରୀର ପ୍ରତି କ୍ଷତିକାରକ ସାମଗ୍ରୀରେ ପ୍ରସ୍ତୁତ ନକଲି ଦୁଗ୍ଧ ଅସଲି ଦାମ୍ରେ ବିକ୍ରି ହେଉଛି ବୋଲି ।
ତେବେ ରାଜଧାନୀ ସମେତ ବିଭିନ୍ନ ସହରରେ ଟ୍ୟାଙ୍କର ଭର୍ତ୍ତି ଦୁଗ୍ଧ ବିକ୍ରିୟ ହେଉଛି । ଏହି ଦୁଗ୍ଧ ବିକାଳୀମାନେ ଆଗରୁ ଆଣୁଥିବା ଛେନା, ପନୀର, ଛେନାପୋଡ଼ ଆଦି ଏବେ ଆଉ ପ୍ରାୟତଃ ଚଢ଼ାଉ ଭୟରେ ବିକୁ ନାହାନ୍ତି । ତେବେ ଏମାନେ ବିକୁଥିବା ଦୁଗ୍ଧ ସ୍ୱାସ୍ଥ୍ୟ ପ୍ରତି ଅନୁକୂଳ ନା ପ୍ରତିକୂଳ ଏବଂ ଏହା ଅସଲି ନା ନକଲି ସେ ସଂକ୍ରାନ୍ତରେ ନିୟମିତ ଯାଞ୍ଚ ହେଉନାହିଁ । ଏହାଛଡ଼ା ଆଉ କେତେକ ଅସାଧୁ ବ୍ୟକ୍ତି ନକଲି ଦୁଗ୍ଧ ପ୍ରସ୍ତୁତ କରି ଖାଉଟିମାନଙ୍କୁ ଘରେ ଘରେ ଯୋଗାଉଛନ୍ତି ।
ରାଜ୍ୟରେ ଯେଉଁସବୁ ଦୁଗ୍ଧ ଯୋଗାଣକାରୀ ଘରୋଇ ଓ ସରକାରୀ ସଂସ୍ଥାମାନେ ରହିଛନ୍ତି ସର୍ବପ୍ରଥମେ ସେମାନଙ୍କ ଦୁଗ୍ଧର ମାନ ପ୍ରତିଦିନ ପରୀକ୍ଷା କରାଯିବା ସହିତ ହାଟ ବଜାରରେ ଉପଲବ୍ଧ କ୍ଷୀର ନକଲି କି ଅପମିଶ୍ରିତ ସେଥିଘେନି ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ନିୟମିତ ଯାଞ୍ଚ କରିବା ଆବଶ୍ୟକ । ଏ କ୍ଷେତ୍ରରେ ଯାଞ୍ଚ ପ୍ରକ୍ରିୟା କୋହଳ ହେଉଥିବାରୁ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ନାମରେ ଲୋକଙ୍କୁ ଖୋଲାଖୋଲି ଭାବେ ଠକାଯାଉଛି ।
ବଜାରରେ ଯେତେସବୁ ଘିଅ, ଦହି ଆଦି ମିଳୁଛି ସେଥିରୁ ଅନେକ ବି ନକଲି କିମ୍ବା ଅପମିଶ୍ରିତ । ବିଶେଷକରି ଉପାସନା ପୀଠଗୁଡ଼ିକରେ ଦୀପ ଜାଳିବା, ପୂଜାର୍ଚ୍ଚନା ଓ ପ୍ରସାଦ ପ୍ରସ୍ତୁତି ପାଇଁ ଅନେକ କ୍ଷେତ୍ରରେ ନକଲି ଘିଅ ବ୍ୟବହାର କରାଯାଉଛି । ଏମିତିକି ଆଉ କେତେକ ଅସାଧୁ ସଂସ୍ଥା ପୂଜା ପାଇଁ ଘିଅ ବାହାନାରେ ପୋଡ଼ା ମୋବିଲ୍ରୁ ଘିଅ ପ୍ରସ୍ତୁତ କରୁଛନ୍ତି । ଏ ପରିପ୍ରେକ୍ଷୀରେ ଛେନା ଓ ପନୀର ଯାଞ୍ଚ ଭଳି ସାରା ରାଜ୍ୟରେ ଦୁଗ୍ଧ, ଘିଅ ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀର ନିୟମିତ ଯାଞ୍ଚ କରିବା ଲାଗି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।(ତଥ୍ୟ)

