Home News in Odia ବିନା କାଗଜପତ୍ରରେ କିଭଳି ଚାଲୁଥିଲା ଅଟୋ ?

ବିନା କାଗଜପତ୍ରରେ କିଭଳି ଚାଲୁଥିଲା ଅଟୋ ?

ଭୁବନେଶ୍ୱର : ଗଣ୍ଡଗୋଳରେ ଲିପ୍ତ ଶତାଧିକ ଅଟୋ ଚାଳକ ଓ ସେମାନଙ୍କ ଅଟୋକୁ ପୁଲିସ୍‍ ଜବତ କରିବାପରେ ଏବେ ବିନା କାଗଜପତ୍ର ଓ ପରମିଟ୍‍ରେ କିଭଳି ଖୋଦ ରାଜଧାନୀରେ ଏହିସବୁ ଗାଡିଗୁଡିକ ଚାଲିଥିଲା ତାହାର ଗୁମର ଖୋଲିବାରେ ଲାଗିଛି । ଦିନରାତି ବାଡ ପକାଇ ଯାଞ୍ଚ କରୁଥିବା ପୁଲିସ୍‍ ଓ ପରିବହନ ଆଖିରେ ଧୂଳିଦେଇ ଏମାନେ କିଭଳି ଅନ୍ୟାୟସରେ ବେପାର ଚଳାଇଥିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନିଜ ନିଜର ଦାବିକୁ ନେଇ ଓଲା, ଉବେର ଗାଡିଚାଳକଙ୍କ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ଏଥିରେ ଶତାଧିକ ଅଟୋଚାଳକ ଆମ ବସ୍‍ ସମେତ ସାଧାରଣ ଲୋକଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ । ସେମାନଙ୍କୁ ଅଟକାଇବାକୁ ଯାଇଥିବା ପୁଲିସ୍‍କୁ ମଧ୍ୟ ଆକ୍ରମଣ କରିଥିଲେ । ସ୍ଥିତି ଅଣାୟତ ହେବାରୁ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ପୁଲିସ୍‍ କାର୍ଯ୍ୟାନୁଷ୍ଠାନରେ ଚାଳକମାନେ ଛତ୍ରଭଙ୍ଗ ଦେବାପରେ ୩୫୪ଟି ଅଟୋକୁ ପୁଲିସ୍‍ ଜବତ କରି ପୁଲିସ୍‍ ଲାଇନ୍‍କୁ ଆଣିଥିଲା । ଏବେ ସେହିସବୁ ଅଟୋ ଚାଳକଙ୍କ ନିକଟକୁ ନୋଟିସ୍‍ ପଠାଯାଉଛି । ତେବେ ଦେଖାଯାଇଛି ଯେ ପ୍ରାୟ ୧୫୦ଟି ଅଟୋ ବିନା ପରମିଟ୍‍ ଓ କାଗଜପତ୍ରରେ ରାଜଧାନୀରେ ବେପାର ଚଳାଇଥିଲେ । ଏହାବାଦ୍‍ କାହାର ବୀମା ନାହିଁ ତ ଆଉ କାହାର ପ୍ରଦୂଷଣ ପ୍ରମାଣପତ୍ର ନାହିଁ । ଏମାନଙ୍କୁ ସାବାଡ କରିବାପାଇଁ ଏବେ ଉଭୟ ପରିବହନ ଓ ପୁଲିସ୍‍ କର୍ତ୍ତୃପକ୍ଷ ଲାଗି ପଡିଛନ୍ତି । ସେହିଭଳି ପୁଲିସ୍‍ ହେପାଜତରେ ଥିବା ଅଟୋ ମଧ୍ୟରୁ ୧୦ଟି ମିଳୁନଥିବାରୁ ତାହା ମଧ୍ୟ ଚିନ୍ତା ବଢାଇଛି ।

ତେବେ ଖୋଦ ରାଜଧାନୀରେ ଓଲା, ଉବେର ଭଳି ପ୍ଲାଟଫର୍ମରେ ପଞ୍ଜିକୃତ ହୋଇ ଏତେ ସଂଖ୍ୟାରେ ଅଟୋ କିଭଳି ବିନା କାଗଜପତ୍ରରେ ଚଳାଚଳ କରୁଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଏମାନଙ୍କୁ ଯାଞ୍ଚ କରିବାର ଦାୟିତ୍ୱ ହେଉଛି ଉଭୟ ପରିବହନ ଓ କମିଶନରେଟ ପୁଲିସ୍‍ କର୍ତ୍ତୃପକ୍ଷଙ୍କର । ଦୁଇ ସଂସ୍ଥା ନିମୟିତ ଭାବେ ରାଜଧାନୀର ବିଭିନ୍ନ ସ୍ଥାନରେ ମଧ୍ୟ ଯାଞ୍ଚ କରିଥାନ୍ତି । ଅଳ୍ପଦିନ ତଳେ ପ୍ରଦୂଷଣ ଯାଞ୍ଚ ବି କଡାକଡି ହୋଇଥିଲା ।

ରାଜଧାନୀର ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍‍ ମଧ୍ୟ ରାତ୍ରୀ ସମୟରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିବା ସହିତ ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିଥାନ୍ତି । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିରୁ ମଧ୍ୟ ଗାଡିମୋଟର ଉପରେ ନଜର ରଖାଯାଉଛି । ଏତେସବୁ ସତ୍ୱେ ମାଳ ମାଳ ଅଟୋ କିଭଳି ବିନା କାଗଜପତ୍ରରେ ଚଳାଚଳ କରୁଥିଲା ତାହାକୁ ନେଇ ସାଧାରଣ ଲୋକେ ଏବେ ପରିବହନ ଓ ପୁଲିସ୍‍ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କଲେଣି ।

ରାଜଧାନୀରେ ହେଲମେଟ୍‍ ଯାଞ୍ଚକରି ଫାଇନ୍‍ ଆଦାୟ କରୁଛନ୍ତି ଓ ରାସ୍ତାପାଶ୍ୱର୍ରେ ଛିଡା ହୋଇଥିବା ଗାଡିକୁ ଯେଭଳି ଟୋଇଂ ମେସିନ୍‍ ଲଗାଇ ଚଟାପଟ୍‍ ଟାଣି ନେଉଛନ୍ତି ଅଟୋଗୁଡିକ କ୍ଷେତ୍ରରେ କିନ୍ତୁ ଅନୁରୂପ କାର୍ଯ୍ୟାନୁଷ୍ଠାନ ପରିଲକ୍ଷିତ ହେଉନାହିଁ । ଏବେ ସରକାରୀ ସମ୍ପତ୍ତି ନଷ୍ଟ ସହିତ ପୁଲିସ୍‍ କର୍ମଚାରୀମାନେ ମାଡ ଖାଇଲା ପରେ ଅଟୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ତେବେ ଆଗକୁ ଏହିସବୁ ଅଟୋଗୁଡିକ କିଭଳି ଫାଇନ୍‍ ଦେଉଛନ୍ତି ଓ ପୁଲିସ୍‍ କି ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)