ଭୁବନେଶ୍ୱର : ଓଡ଼ିଶା ପାଇଁ ବର୍ଷକୁ ପ୍ରାୟ ୧୪ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଦରକାର ପଡୁଥିବାବେଳେ ବର୍ଷରେ ଉତ୍ପାଦନ ପରିମାଣ ଅତି ବେଶିରେ ୪ଲକ୍ଷ ମେଟ୍ରିକ୍ ଟନ ପର୍ଯ୍ୟନ୍ତ ହେଉଛି । ଯେତିକିରେ ଆଳୁ ରାଜ୍ୟରେ ଉତ୍ପାଦିତ ହେଉଛି ତା’ର ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ନାମମାତ୍ର ଦରରେ ଉତ୍ପାଦନ ବେଳେ ଚାଷୀଙ୍କଠାରୁ ଆଳୁ କିଣିନେଇ ନିଜ ନିଜ ଅଞ୍ଚଳର ଶୀତଳ ଭଣ୍ଡାରଗୁଡ଼ିକରେ ସଂରକ୍ଷିତ ରଖି ପରବର୍ତ୍ତୀ ସମୟରେ ୫ରୁ ୧୦ ଗୁଣା ଦରରେ ଓଡ଼ିଶା ବଜାରରେ ବିକୁଛନ୍ତି ।
ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ପାଇଁ ଗୋଟିଏ ସମୟରେ ରାଜ୍ୟ ସରକାର କେନ୍ଦ୍ରୀୟ ସହଯୋଗ ନେଇ ଆଳୁ ମିଶନ ଆରମ୍ଭ କରିଥିଲେ । ଆଳୁ ମିଶନ ନାମରେ କୋଟିକୋଟି ଟଙ୍କା ଚାଷୀଙ୍କୁ ସବ୍ସିଡି ଆଳରେ ବଣ୍ଟା ଚାଲିଲା । କିନ୍ତୁ ବାସ୍ତବରେ ଯେତେ ଜମିରେ ଆଳୁ ଚାଷ ହେଉଛି ବୋଲି ଦର୍ଶାଇ ଏହି ଅର୍ଥ ବଣ୍ଟାଗଲା ପ୍ରକୃତରେ କିନ୍ତୁ ତାହା ନହେବାରୁ ଆଳୁ ମିଶନର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ । ଯଦି ଆଳୁ ମିଶନର ଲକ୍ଷ୍ୟ ପୂରଣ ହୋଇଥାନ୍ତା ତେବେ ଏତେବେଳକୁ ଓଡ଼ିଶା ଆଳୁ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ ହୋଇ ବିପୁଳ ପରିମାଣର ଆଳୁ ଅନ୍ୟ ରାଜ୍ୟକୁ ରପ୍ତାନୀ କରୁଥାନ୍ତା ।
ଓଡ଼ିଶାରେ ୩୦ବର୍ଷ ତଳେ ଯେତେ ଆଳୁୂ ଚାଷ ହେଉଥିଲା ଏବେ ତାହା ଦେଖିବାକୁ ମିଳୁନାହିଁ । ଏହାର ମୁଖ୍ୟ କାରଣ ହେଉଛି- ଶୀତଳ ଭଣ୍ଡାରର ଅଭାବ । ରାଜ୍ୟରେ ଥିବା ଶୀତଳ ଭଣ୍ଡାରଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇ ପଡିଛି । ଘରୋଇ ଓ ଅନ୍ୟ ପ୍ରକ୍ରିୟାରେ ସମବାୟ ଶୀତଳ ଭଣ୍ଡାରଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ବାରମ୍ବାର ଘୋଷଣା କରାଯାଉଥିଲେ ମଧ୍ୟ ତାହା ସଫଳ ହୋଇନାହିଁ । ୨୦୨୪ ନିର୍ବାଚନରେ ବିଜେପିର ସଂକଳ୍ପ ପତ୍ରରେ ଶୀତଳ ଭଣ୍ଡାର ବିଷୟ ଗୁରୁତ୍ୱର ସହ ଉଲ୍ଲେଖ କରାଯାଇଥିବାବେଳେ ରାଜ୍ୟରେ ୫୮ଟି ସବ୍ଡିଭିଜନ୍ରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ ଘରୋଇ ଉଦ୍ୟୋଗୀଙ୍କୁ ଗୋ-ସୁଗମ ପୋର୍ଟାଲ ମାଧ୍ୟମରେ ଗତ ଏପ୍ରିଲ ସୁଦ୍ଧା ଆର୍ôଥକ ସହାୟତା ଯୋଗାଇ ଦିଆଯାଇଛି । ଏହି କ୍ରମରେ ୧୪ଜଣ ଉଦ୍ୟୋଗୀ ୩୫,୭୮୫ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ନୂଆ ଶୀତଳ ଭଣ୍ଡାର ପାଇଁ ଅନୁମତି ପାଇଥିଲେ ମଧ୍ୟ ଏଯାବତ ଏଥିରୁ ଗୋଟିଏ ହେଲେ କାର୍ଯ୍ୟକ୍ଷମ ହୋଇନାହିଁ ।
ଚାଷୀ ନେତାମାନେ କହୁଛନ୍ତି ଯେ ଚାଷୀଙ୍କୁ ଉନ୍ନତ କିସମର ଆଳୁ ବିହନ ଠିକଣା ସମୟରେ ଯୋଗାଯାଇପାରୁ ନାହିଁ । ଏହାଛଡ଼ା ଆଳୁ ଚାଷ ପାଇଁ ଆବଶ୍ୟକ ପଡୁଥିବା ରାସାୟନିକ ସାର ବି ଠିକଣା ସମୟରେ ମିଳୁନାହିଁ । ବ୍ୟୟବହୁଳ ଆଳୁ ଚାଷ ପାଇଁ ଅନେକ କ୍ଷେତ୍ରରେ ଚାଷୀମାନେ ସମବାୟ ସମିତି, ବ୍ୟାଙ୍କ ଓ ବେସରକାରୀ ବ୍ୟକ୍ତିବିଶେଷଙ୍କଠାରୁ ଋଣ ଆଣୁଛନ୍ତି । ତେବେ ସେମାନଙ୍କ ଉତ୍ପାଦିତ ଆଳୁ ସଂରକ୍ଷିତ ହୋଇପାରୁନଥିବା ଯୋଗୁ ପଚିଯିବା ଭୟରେ ଅନ୍ୟ ରାଜ୍ୟର ବ୍ୟବସାୟୀମାନଙ୍କୁ ନାମମାତ୍ର ଦରରେ ଯାଚିଗୁଞ୍ଜି ବିକୁଛନ୍ତି । ଏଥିଯୋଗୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବାରୁ ଆଳୁ ଚାଷ ପାଇଁ ଅନେକ ଆଗ୍ରହ ପ୍ରକାଶ ନକରିବା ସ୍ୱାଭାବିକ ।
ଓଡ଼ିଶାର ଜଳବାୟୁ, ମାଟି ଓ ଅନ୍ୟାନ୍ୟ ପ୍ରାକୃତିକ ଭିତ୍ତିଭୂମି ଆଳୁ ଚାଷ ପାଇଁ ଢେର ଉପଯୋଗୀ । କିନ୍ତୁ ଏହାର ଠିକଣା ବିନିଯୋଗ କରାଯାଇପାରୁନଥିବାରୁ ଓଡ଼ିଶା ବାର୍ଷିକ ୧୦ଲକ୍ଷରୁ ୧୨ ଲକ୍ଷ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ଆଳୁ ଅନ୍ୟ ରାଜ୍ୟରୁ ଆଣୁଛି । ବିଶେଷକରି ପଶ୍ଚିମବଙ୍ଗରୁ ଆଳୁ ନଆସିଲେ ଏଠି ଆଳୁ ଦର ବଢ଼ୁଛି । ସ୍ୱାଭିମାନୀ, ସ୍ୱାବଲମ୍ବୀ ହେବା ସହ ଲୋକେ ଅସ୍ମିତା ପ୍ରତି ସଚେତନ ହେବା ଲାଗି ବାରମ୍ବାର ପ୍ରଚାର କରାଯାଉଥିବାବେଳେ ବାସ୍ତବରେ କିନ୍ତୁ କେମ୍ ପରିମାଣର ଆଳୁ ଉତ୍ପାଦନ ଏ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି । (ତଥ୍ୟ)

