ଭୁବନେଶ୍ୱର : ସହରାଞ୍ଚଳରୁ ବାହାରୁଥିବା ଶୁଖିଲା ବର୍ଜ୍ୟରୁ ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କୋଟି କୋଟି ଟଙ୍କା ଆୟ କରୁଥିବାବେଳେ ଏହି କିସମର ବିପୁଳ ପରିମାଣର ବର୍ଜ୍ୟକୁ କିନ୍ତୁ କବାଡିଆମାନେ ଲୋକଙ୍କ ଠାରୁ ଶାଗମାଛ ଦରରେ କିଣି ନେଉଛନ୍ତି । ଏଭଳି ବର୍ଜ୍ୟର ଠିକଣା ସଂଗ୍ରହ ହୋଇପାରିଲେ ମହାନଗରନିଗମର ରାଜସ୍ୱ ଆହୁରି ବଢିବା ସହିତ ପରିବେଶ ସୁରକ୍ଷା ହୋଇପାରନ୍ତା ବୋଲି ମତପ୍ରକାଶ ପାଉଛି ।
ସଂଗୃହୀତ ଶୁଖିଲା ବର୍ଜ୍ୟରୁ ବାହାରୁଥିବା ବିଭିନ୍ନ ସାମଗ୍ରୀ ଯଥା ତମ୍ବା, ଲୁହା, ଆଲୁମିନିୟମ, ସିସା, ପ୍ଲାଷ୍ଟିକ ଭଳି ସାମଗ୍ରୀ ବିକ୍ରି କରି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ବର୍ଷକୁ ୪ କୋଟି ଟଙ୍କା ଆୟ କରୁଥିବାବେଳେ କଟକ ମହାନଗର ନିଗମ (ସିଏମସି) ଏଥିରୁ ୨.୫ କୋଟି ଟଙ୍କା ଆୟ କରୁଛି । ତେବେ ଏହି ଦୁଇ ମହାନଗର ନିକଟରେ ଯେତିକି ସଂଖ୍ୟକ ଏଭଳି ବର୍ଜ୍ୟ ପହଞ୍ଚୁଛି ତାହାର ଢେର ଅଧିକ ପରିମାଣ କବାଡିଆମାନେ ବିଭିନ୍ନ ଗଳିକନ୍ଦିରେ ବୁଲି ସଂଗ୍ରହ କରିନେଉଛନ୍ତି ।
ରାଜଧାନୀ ସମେତ କଟକ ଓ ଅନ୍ୟ ବଡ ବଡ ସହରରେ ହାତ ପାଆନ୍ତାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନାହିଁ । ଫଳରେ ଲୋକେ ସେମାନଙ୍କ ଘରୁ ବାହାରୁଥିବା କଠନି ବର୍ଜ୍ୟ ଯଥା ପୁରୁଣା ଟିଭି, ୱାସିଂ ମେସିନ, ବ୍ୟାଟେରୀ, କମ୍ପ୍ୟୁଟର, ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ସାମଗ୍ରୀ ଆଦିକୁ ବାହାରେ ଫିଙ୍ଗି ଦେଉଛନ୍ତି ନହେଲେ କବାଡିଆଙ୍କୁ ବିକ୍ରି କରି ଦେଉଛନ୍ତି । ଏହିସବୁ ବର୍ଜ୍ୟ ମଧ୍ୟରେ ଏକାଧିକ ଧାତବ ରହିଥିବାରୁ ଏହାର ଦର ଅଧିକ । ହେଲେ ସାଧାରଣ ଲୋକେ ଏହା ଜାଣିପାରନ୍ତି ନାହିଁ କିମ୍ବା କବାଡିଆମାନେ ମଧ୍ୟ ସେମାନଙ୍କୁ କୁହନ୍ତି ନାହିଁ, ବରଂ ନିଜର ବ୍ୟବସାୟ ପାଇଁ ଅତି କମ୍ ଦରରେ ଏପରିକି ଆବର୍ଜନା ଦର୍ଶାଇ ଏହାକୁ ମାଗଣାରେ ସଂଗ୍ରହ କରିନେଇଥାନ୍ତି ।
ତେବେ ବିଏମସିର ଥିବା ୨୪ଟି ଓ ସିଏମସିରେ ଥିବା ୭ଟି ମେଟେରିଆଲ ରିକଭରି ଫାସିଲିଟିଜ (ଏମଆରଏଫ୍)ରେ କଠିନ ବର୍ଜ୍ୟରୁ ବିଭିନ୍ନ ସାମଗ୍ରୀକୁ ପୃଥକୀକରଣ ମାଧ୍ୟମରେ ତାହାକୁ ବିକ୍ରିଯୋଗ୍ୟ କରାଯାଇଥାଏ । ଏଥିରୁ ବାହାରୁଥିବା ଧାତବ ପଦାର୍ଥକୁ ବିକ୍ରି କରାଯିବା ସହିତ କେତେକ ପ୍ଲାଷ୍ଟିକକୁ ମଧ୍ୟ ରାଜ୍ୟର ଚୁକ୍ତିବଦ୍ଧ ସିମେଣ୍ଟ କାରଖାନାକୁ ବିକ୍ରି କରାଯାଏ । ଏଥିରୁ ଏବେ ଦୁଇ ମହାନଗର ବାର୍ଷିକ ସାଢେ ୬ କୋଟି ଟଙ୍କା ଆୟ କରୁଛନ୍ତି ।
ଯଦି ଦୁଇ ସହରର ବିଭିନ୍ନ ସ୍ଥାନରେ ମହାନଗର ନିଗମ ପକ୍ଷରୁ କଠିନ ବର୍ଜ୍ୟ ସଂଗ୍ରହ କେନ୍ଦ୍ର ଖୋଲାଯାଇ ପାରନ୍ତା ତେବେ କେବଳ ସାଧାରଣ ଲୋକେ ଲାଭବାନ୍ ହୁଅନ୍ତେ ନାହିଁ, ନିଗମ କର୍ତ୍ତୃପକ୍ଷଙ୍କ ଆୟ ମଧ୍ୟ ବୃଦ୍ଧି ପାଇପାରନ୍ତା ଓ କବାଡିଆମାନେ ଯେଭଳି ଖୋଲାମେଲାରେ ପ୍ଲାଷ୍ଟିକ ଓ ଅନ୍ୟ ଧାତବଗୁଡିକୁ ନିଆଁ ଲଗାଇ ପରିବେଶ ନଷ୍ଟ କରୁଛନ୍ତି ତାହା ହୁଅନ୍ତା ନାହିଁ । ମହାନଗର ନିଗମର ସହର ସାରା ନିଜସ୍ୱ ୱାର୍ଡ ଅଫିସ ଓ କର୍ମଚାରୀ ରହିଥିବାରୁ ତାହାକୁ କଠିନ ବର୍ଜ୍ୟ ସଂଗ୍ରହ କେନ୍ଦ୍ର ଭାବେ ବ୍ୟବହାର କରାଯାଇ ପାରିବ । ତେଣୁ ଉଭୟ ମହାନଗର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)

