ଭୁବନେଶ୍ୱର : ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ୨୩ବର୍ଷ ତଳେ ଆରମ୍ଭ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ । ଏହି ପ୍ରକଳ୍ପ ଲାଗି ଯାହା ମୂଳ ବ୍ୟୟ ଅଟକଳ ଥିଲା ତାହା ଇତିମଧ୍ୟରେ ପାଖାପାଖି ୫ଗୁଣ ବୃଦ୍ଧି ପାଇଥିବାବେଳେ ଏବେ ଏହି ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ସେଥିଘେନି ନିର୍ଦ୍ଦିଷ୍ଟ ଭାବେ କେହି କିଛି ସୂଚନା ଦେଇପାରୁ ନାହାନ୍ତି ।
ପ୍ରାୟ ୫୦ବର୍ଷ ଧରି ଏହି ରେଳ ପ୍ରକଳ୍ପ ପାଇଁ ଦାବି ଉଠି ଆସୁଛି । ଏହି ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ଦୂରତା ହ୍ରାସ ପାଇବା ସହ ଯାତାୟାତ ଲାଗି ଢେର କମ୍ ସମୟ ଲାଗିବ । ଏହାଛଡ଼ା ରେଳ ପଥରେ ମାଲ୍ ପରିବହନ ରାଉରକେଲା ଓ ପାରାଦୀପ ବନ୍ଦର ମଧ୍ୟରେ ଭଲ ଭାବେ ହୋଇପାରିବ । ବିଶେଷକରି କୋଇଲା ସମେତ ଅନ୍ୟାନ୍ୟ ଖଣିଜ ପଦାର୍ଥ ପରିବହନରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ।
ଦିଲ୍ଲୀପ ରାୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟସଭା ସଦସ୍ୟ ଥିବାବେଳେ ଏହି ପ୍ରକଳ୍ପ ଲାଗି ବିଭିନ୍ନ ସ୍ତରରେ ଚାପ ପ୍ରୟୋଗ କରୁଥିଲେ । ବିଶେଷକରି ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ତାଙ୍କ ଉଦ୍ୟମରେ ଏହି ପ୍ରକଳ୍ପ ଲାଗି ବ୍ୟୟବରାଦ ହୋଇଥିଲା । ୨୦୦୩-୦୪ରେ ବାଜପେୟୀ ସରକାରଙ୍କ ଶେଷ ବଜେଟ୍ରେ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ଲାଗି ୭୨୭ କୋଟି ବ୍ୟୟ ଅଟକଳ ହୋଇଥିଲା । ତେବେ ଇତିମଧ୍ୟରେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୩୩୯୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ୧୯୦୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଚଳିତବର୍ଷ ବଜେଟ୍ରେ ଏଥିପାଇଁ ୯୫୦ କୋଟି ଟଙ୍କା ରଖାଯାଇଛି ।
୧୫୦ କିଲୋମିଟର ଦୈର୍ଘ୍ୟର ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଦେଇଯିବ । ଏଥିପାଇଁ ମୋଟ ୮୬୩ ହେକ୍ଟର ଜମି ଆବଶ୍ୟକ ଥିବାବେଳେ ୭୫୬ ହେକ୍ଟର ଅଧିଗୃହୀତ ହୋଇଛି । ଅବଶିଷ୍ଟ ୧୦୭ ହେକ୍ଟର ଜମି ଅଧିଗ୍ରହଣ ପାଇଁ ବାକି ରହିଛି । ଏଥିରୁ ୭୭ ହେକ୍ଟର ବେସରକାରୀ ଜମି ହୋଇଥିବାବେଳେ ୫ ହେକ୍ଟର ଜଙ୍ଗଲ ଓ ୨୪ ହେକ୍ଟର ସରକାରୀ ଜମି ଅନ୍ତର୍ଭୁକ୍ତ । ମୋଟାମୋଟି ଭାବେ ୨୩ବର୍ଷ ଭିତରେ ଆବଶ୍ୟକୀୟ ସମସ୍ତ ସରକାରୀ ଜମି ଅଧିଗୃହୀତ ହୋଇପାରି ନାହିଁ । ଜମି ଅଧିଗ୍ରହଣ ବିବାଦ ଯୋଗୁ ଅବଶିଷ୍ଟ ୭୭ ହେକ୍ଟର ବେସରକାରୀ ଜମି ରେଳ ପ୍ରକଳ୍ପ ପାଇଁ ନିଆଯିବାରେ ବିଳମ୍ବ ହେଉଥିବା କୁହାଯାଉଛି ।
୧୫୦ କିଲୋମିଟର ଦୈର୍ଘ୍ୟର ଏହି ରେଳ ପ୍ରକଳ୍ପ ମଧ୍ୟରୁ ଇତିମଧ୍ୟରେ ତାଳଚେରରୁ ଖମାର ପର୍ଯ୍ୟନ୍ତ ମାତ୍ର ୪୮ କିଲୋମିଟର କାର୍ଯ୍ୟକ୍ଷମ ହୋଇଛି । ଖମାରରୁ ଗୋଳାବନ୍ଧ ପର୍ଯ୍ୟନ୍ତ ୩୫ କିଲୋମିଟର ରେଳ ପଥ ନିର୍ମାଣ କାର୍ଯ୍ୟ ଲାଗି ଜମି ଅଧିଗ୍ରହଣ ସଂପୂର୍ଣ୍ଣ ହୋଇନାହିଁ । ଏଥିମଧ୍ୟରେ ୬୧ଟି ଛୋଟ ପୋଲ ଭିତରୁ ୪୧ଟିର ନିର୍ମାଣ ସରିଛି । ୧୧ଟି ରେଳ ଓଭର ବ୍ରିଜ୍ରୁ ୩ଟି ଓ ୧୬ଟି ରେଳ ଅଣ୍ଡରପାସ୍ରୁ ୧୨ଟିରେ ନିର୍ମାଣ କାମ ସରିଥିବା କୁହାଯାଉଛି ।
ଗୋଳାବନ୍ଧରୁ ମହୁଲଡିହା ପର୍ଯ୍ୟନ୍ତ ୩୫ କିଲୋମିଟର ରେଳପଥ ନିର୍ମାଣରେ ଜମି ଅଧିଗ୍ରହଣ ପ୍ରମୁଖ ସମସ୍ୟା ହୋଇଛି । ଏହାଛଡ଼ା ମହୁଲଡିହାରୁ ବିମଳାଗଡ଼ ପର୍ଯ୍ୟନ୍ତ ୩୨ କିମି ରେଳପଥ ନିର୍ମାଣ ପାଇଁ ବି ୧୦୮ ହେକ୍ଟର ଜମି ଅଧିଗୃହୀତ ହୋଇଥିବାବେଳେ ଆଉ ପ୍ରାୟ ୨୬ ହେକ୍ଟର ଜମିର ଆବଶ୍ୟକତା ରହିଛି । ଏହି ଅଞ୍ଚଳରେ ୭୨ଟି ଛୋଟ ରେଳପଥ ନିର୍ମାଣ ହେବାକୁ ଥିବାବେଳେ ୩୯ଟି ନିର୍ମାଣ କାମ ସରିଛି ଏବଂ ୨୫ଟି ରେଳ ଅଣ୍ଡରପାସ୍ ଭିତରୁ ୧୨ଟି ନିର୍ମିତ ହୋଇଥିôବା ଜଣାପଡିଛି । (ତଥ୍ୟ)

