Home General ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମିଳିଲା ଫନି ସହାୟତା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମିଳିଲା ଫନି ସହାୟତା

ଭୁବନେଶ୍ୱର : ସାମୁଦ୍ରିକ ଝଡ ଫନିରେ ୭ବର୍ଷ ତଳେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଭିତରୁ କେତେକଙ୍କୁ ଏବେ ସରକାର ସହାୟତା ରାଶି ପ୍ରଦାନ କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଏଥିପାଇଁ କିଛି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଦୀର୍ଘବର୍ଷ ଧରି ପ୍ରଶାସନିକ ସ୍ତରରେ ଗୁହାରି ସହିତ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଲଢିବାକୁ ପଡିଛି । ଶେଷରେ ରାଜ୍ୟ ସରକାର ଏହି ମାମଲାରେ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ହାରିବା ପରେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହେବାରୁ ବାଧ୍ୟହୋଇ କିଛି ବଞ୍ଚିତ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୯ରେ ସାମୁଦ୍ରିକ ଝଡ ଫନିରେ ପୁରୀ ଜିଲ୍ଲା ସମେତ ଭୁବନେଶ୍ୱର ସବଡିଭିଜନର କେତେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ଅନେକ ଘରଦ୍ୱାର ଭାଙ୍ଗି ଯାଇଥିଲା । ବିଶେଷକରି ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର, ସତ୍ୟବାଦୀ, ପିପିଲି, ଡେଲାଙ୍ଗ, ନିମାପଡା, କାକଟପୁର, ଅସ୍ତରଙ୍ଗ, ବାଲିଅନ୍ତା ବାଲିପାଟଣା, ବନମାଳିପୁର ଆଦିର ବହୁ ଗାଁ ଫନି ଯୋଗୁଁ ତଳିତଳାନ୍ତ ହୋଇଥିଲା ।

ତେବେ ରିଲିଫ କୋଡ୍‍ର ବ୍ୟବସ୍ଥା ଅନୁସାରେ କ୍ଷୟକ୍ଷତି ଆକଳନ କରିବାପରେ ସରକାର ବିପନ୍ନ ଲୋକଙ୍କୁ ଘରଭଙ୍ଗା ସାହାଯ୍ୟ ଦେବା ଆରମ୍ଭ କରିଥିଲେ । ପ୍ରବଳ ରାଜନୈତିକ ଚାପ ଯୋଗୁଁ କିଛି ଅଯୋଗ୍ୟ ବ୍ୟକ୍ତିଙ୍କୁ ସହାୟତା ମିଳିଥିବାବେଳେ ବହୁ କ୍ଷତିଗ୍ରସ୍ତ କିନ୍ତୁ ସରକାରୀ ଘରଭଙ୍ଗା ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଥିଲେ । ୨୦୨୪ ନିର୍ବାଚନରେ ବି ଏ ପ୍ରସଙ୍ଗ ଉଠିଥିଲା ।

ପ୍ରଶାସନ ନିକଟରେ ଗୁହାରି ସହିତ ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ଆବେଦନ ନିବେଦନ କରିବା ସତ୍ୱେ ବଞ୍ଚିତ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ସହାୟତା ରାଶି ଦିଆଯାଇନଥିଲା । ଏଭଳି ସ୍ଥିତିରେ କିଛି କ୍ଷତିଗ୍ରସ୍ତ ବ୍ୟକ୍ତି ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନର, ରାଜସ୍ୱ ବିଭାଗ ଶାସନ ସଚିବ ଆଦିଙ୍କ ସମେତ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ପକ୍ଷଭୁକ୍ତ ହୋଇଥିଲା । ଉଭୟ ପକ୍ଷର ଶୁଣାଣି ପରେ ଓଡିଶା ହାଇକୋର୍ଟ ରିଟ୍‍ ଆବେଦନକାରୀଙ୍କୁ ସମାନୁପାତିକ ଭାବେ ସରକାରୀ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡିଶା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ । ତେବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓଡିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖି ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିବା ସହିତ କ୍ଷତିଗ୍ରସ୍ତମାନଙ୍କୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୁପ୍ରିମକୋର୍ଟରେ ମାମଲା ହାରିବା ପରେ ବି ବଞ୍ଚିତ କ୍ଷତିଗ୍ରସ୍ତ ବ୍ୟକ୍ତିମାନେ ସହାୟତା ରାଶି ସରକାରଙ୍କ ଠାରୁ ନପାଇବାରୁ ବାଧ୍ୟହୋଇ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହେବାପରେ ଅଦାଲତଙ୍କ କାର୍ଯ୍ୟାନୁଷ୍ଠାନ ଭୟରେ ଏବେ କିଛି କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ସହାୟତାରାଶି ପ୍ରଦାନ କରିବାକୁ ବାଧ୍ୟ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଅଭିଯୋଗ ହେଉଛି ଯେ ଯେଉଁମାନେ କେବଳ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ସେମାନଙ୍କୁ ସରକାରୀ ସହାୟତା ମିଳୁଥିବାବେଳେ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିନଥିବା ବ୍ୟକ୍ତିମାନଙ୍କୁ କିନ୍ତୁ ସହାୟତା ରାଶି ଦିଆଯାଉନାହିଁ । ଏଭଳି ସ୍ଥିତିରେ ଗାଁ ଗହଳରେ ଚାଷବାସ କାମ ଛାଡି ଅନେକ ସାଧାରଣ ଲୋକ ବାତ୍ୟା ସହାୟତା ରାଶି ଲାଗି କୋର୍ଟରେ ମାମଲା ରୁଜୁ କରିବାପାଇଁ କଟକ ଦଉଡୁଛନ୍ତି । ତେବେ ସେମାନଙ୍କ ପ୍ରତି ଭାଗ୍ୟ ଦେବୀ କେବେ ପ୍ରସନ୍ନ ହେବେ ତାହା ଜଣାପଡୁନାହିଁ । (ତଥ୍ୟ)