Home News in Odia ଖତ ଖାଉଛି ଇ-ଶୌଚାଳୟ

ଖତ ଖାଉଛି ଇ-ଶୌଚାଳୟ

ଭୁବନେଶ୍ୱର : ରାଜଧାନୀରେ ନିର୍ମାଣ ହୋଇଥିବା ୧୮ଟି ଅତ୍ୟାଧୁନିକ ଇ-ଶୌଚାଳୟ ଖତ ଖାଉଛି । ଏଗୁଡିକୁ ସାଧାରଣ ଲୋକେ ବ୍ୟବହାର କରିବା ପରିବର୍ତ୍ତେ ନିଶାଡିମାନେ ଏହା ଭିତରେ ଆଡ୍ଡା ଜମାଉଛନ୍ତି । ଇ-ଶୌଚାଳୟ ଭିତରର ଦୃଶ୍ୟ ଦେଖିଲେ ଯେ କେହି ଏହା ଜାଣିପାରିବ ।

ସହରବାସୀଙ୍କୁ ଶୌଚାଳୟ ସୁବିଧା ଯୋଗାଇ ଦେବାପାଇଁ ବିଏମସି ପକ୍ଷରୁ ବିଭିନ୍ନ ପ୍ରକାରର ଶୌଚାଳୟ ନିର୍ମାଣ କରାଯାଇଛି । ଏଥି ମଧ୍ୟରେ ରହିଛି ୫୬ଟି ଗୋଷ୍ଠି ଶୌଚାଳାୟ । ଏଥିରୁ ୧୫ଟିର ପରିଚାଳନା ଭାର ରହିଛି ଗୋଷ୍ଠି ବିକାଶ ସଂଘ ହାତରେ । ୪୧ଟି ଶୌଚାଳୟକୁ ଗୋଷ୍ଠିଗୁଡିକ ଦ୍ୱାରା ରକ୍ଷଣା ବେକ୍ଷଣ କରାଯାଉଛି । ଏହାଛଡା ୧୧୧ଟି ସାଧାରଣ ଶୌଚାଳୟ ଥିବାବେଳେ ଏଥିରୁ ୧୦୮ଟିର ପରିଚାଳନା ଦାୟିତ୍ୱ ସୁଲଭ ଇଣ୍ଟରନେସନାଲ ହାତରେ ରହିଛି । ୩ଟିର ଦାୟିତ୍ୱ ଅନ୍ୟ ସଂସ୍ଥା ନେଇଛନ୍ତି । ସହରରେ ୩୦ଟି ପରିସ୍ରାଗାର ପ୍ରତିଷ୍ଠା ହୋଇଥିବାବେଳେ ୧୦ଟିର ଦାୟିତ୍ୱ ସୁଲଭ ଇଣ୍ଟରନେସନାଲ ଓ ୨୦ଟିର ଦାୟିତ୍ୱ ଆଇଆଇଏସଏସ ସଂସ୍ଥା ହାତରେ ରହିଛି ।

ତେବେ ସହରର ପ୍ରମୁଖ ସ୍ଥାନଗୁଡିକରେ ନିର୍ମାଣ ହୋଇଥିବା ଇ-ଶୌଚାଳୟର ରକ୍ଷଣା ବେକ୍ଷଣ ବିଏମସି ହାତରେ ଥିବାବେଳେ ସୁଲଭ ଇଣ୍ଟରନେସନାଲ ଏହାର ସଫେଇ ଦାୟିତ୍ୱରେ ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ଇ-ଶୌଚାଳୟ ମଧ୍ୟରେ ଅଧିକାଂଶ ଏବେ ଭଙ୍ଗାରୁଜା ଅବସ୍ଥାରେ । ସ୍ଥାପନ ହେବା ପରଠାରୁ ଏହାର ଶୀତତାପ ନିୟନ୍ତ୍ରିତ ସାମଗ୍ରୀ ସମେତ ବୈଦ୍ୟୁତିକ ଓ ଅନ୍ୟାନ୍ୟ ଦାମୀ ଷ୍ଟିଲ ସାମଗ୍ରୀ ସବୁ ଚୋରିହୋଇ ଯାଇଛି । ପ୍ରମୁଖ ସଡକ ପାଶ୍ୱର୍ରେ ଓ ସିସିଟିଭି ଲାଗିଥିବା ଇଲାକାରୁ ଏଗୁଡିକ କିଭଳି ଚୋରି ହୋଇଗଲା ତାହା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି ।

ସେହିଭଳି ସହରର ବିଭିନ୍ନ ସ୍ଥାନରେ ନିର୍ମାଣାଧିନ ଶୌଚାଳୟଗୁଡିକୁ ମୁଖ୍ୟତଃ ଗାଡି ଚାଳକ ଓ ବାହାରୁ ଆସୁଥିବା ଲୋକେ ବ୍ୟବହାର କରୁଛନ୍ତି । ସହରବାସୀ ବିଶେଷକରି ପଥଚାରୀ କିମ୍ବା ଆଖପାଖର ଲୋକେ ଏହାକୁ ବ୍ୟବହାର କରିବା ଲକ୍ଷ୍ୟ କରାଯାଉ ନାହିଁ ।

ସେହିଭଳି ଯେଉଁସବୁ ସ୍ଥାନରେ ଇ-ଶୌଚାଳୟ କିମ୍ବା ଅନ୍ୟାନ୍ୟ ଶୌଚାଳୟ ନିର୍ମାଣ ହୋଇଛି ସେଠାରେ ଗାଡିମୋଟର ରଖିବାକୁ ସ୍ଥାନ ନାହିଁ । ଫଳରେ ଲୋକେ ଚାହିଁଲେ ବି ରାସ୍ତା ଉପରେ ଗାଡି ରଖି ଶୌଚାଳୟ ଯିବାକୁ ଭରସି ପାରୁ ନାହାନ୍ତି । ବିଏମସି ଓ ସ୍ମାର୍ଟସିଟି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବସିଥିବା କିଓସ୍କ ଓ ଥଣ୍ଡା ପାନୀୟଜଳ ପ୍ରକଳ୍ପ ଭଳି ଇ-ଶୌଚାଳୟ ଅଚଳ ହୋଇ ପଡିଥିବାରୁ ଏହାକୁ ପୁନଃ ବ୍ୟବହାର ଯୋଗ୍ୟ କରାଯାଇ ପାରିଲେ ସହରର ସ୍ୱଚ୍ଛତା କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)