ଭୁବନେଶ୍ୱର : ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ତାଳଚେର-ବିମଳାଗଡ଼ ନୂତନ ବ୍ରଡ୍ଗେଜ୍ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ସ୍ଥିତି, ବିଚାରାଧୀନ ମାମଲା ଏବଂ ରେଳପଥ ନିର୍ମାଣ କାର୍ଯ୍ୟରେ ରହିଥିବା ପ୍ରମୁଖ ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରକଳ୍ପଟିର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ଅବଶିଷ୍ଟ ଜମି ଅଧିଗ୍ରହଣ ଓ ବାଧାମୁକ୍ତ ଜମି ହସ୍ତାନ୍ତର ସୁବ୍ୟବସ୍ଥିତ କରିବା ନିମନ୍ତେ ରାଜସ୍ୱ ସଚିବ ଡ. ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି।
୧୪୯.୭୮ କି.ମି. ଦୀର୍ଘ ଏହି ରେଳପଥ ପ୍ରକଳ୍ପ ୨୦୦୩-୦୪ ମସିହାରେ ଅନୁମୋଦିତ ହୋଇଥିଲା। ପ୍ରକଳ୍ପର ମୋଟ ଜମି ଆବଶ୍ୟକତା ୨,୧୪୪.୦୨୮ ଏକର ଥିବାବେଳେ ଏପର୍ଯ୍ୟନ୍ତ ୧,୮୬୮.୩୫୭ ଏକର ଜମି ଅଧିଗ୍ରହଣ ହୋଇଛି ଏବଂ ୨୭୫.୬୭୧ ଏକର ଜମି ଅବଶିଷ୍ଟ ରହିଛି। ଏଥିରେ ବ୍ୟକ୍ତିଗତ ଜମି ୨୦୨.୧୫ ଏକର, ଜଙ୍ଗଲ ଜମି ୧୩.୭ ଏକର ଏବଂ ସରକାରୀ ଜମି ୫୯.୮୨୧ ଏକର ଅନ୍ତର୍ଭୁକ୍ତ। ଜଙ୍ଗଲ ଜମି ପାଇଁ ଜଙ୍ଗଲ ଅନୁମତି ପ୍ରକ୍ରିୟା ଚାଲିଥିବାବେଳେ ସରକାରୀ ଜମିର ଅନୁମୋଦନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି। ଏହି ପ୍ରକଳ୍ପ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଛି।
ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପଟି ରାଜ୍ୟର ଆର୍ଥିକ ଭାବେ ପଛୁଆ ଅଞ୍ଚଳଗୁଡ଼ିକୁ ରେଳ ସଂଯୋଗ ପ୍ରଦାନ କରିବା ସହ ରେଳ ପରିବହନକୁ ସୁଗମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ l ତେଣୁ ଜମି ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ରାଜସ୍ୱ ସଚିବ ଗୁରୁତ୍ୱ ଦେଇଥିଲେ।

