Home Administration ହ୍ୱାଟସଆପରେ ରାଜସ୍ୱ ଅଭିଯୋଗ ସମାଧାନ

ହ୍ୱାଟସଆପରେ ରାଜସ୍ୱ ଅଭିଯୋଗ ସମାଧାନ

ଭୁବନେଶ୍ୱର : ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ‘ଆମ ସାଥୀ ହ୍ୱାଟସଆପ୍ ଚାଟବଟ’ ମାଧ୍ୟମରେ ‘ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା’ର ଶୁଭ ଲୋକାର୍ପଣ କରିଛନ୍ତି l ଏହି ବ୍ୟବସ୍ଥା ଦ୍ଵାରା ରାଜସ୍ୱ ସେବା ଜନସାଧାରଣଙ୍କ ଆହୁରି ନିକଟତର ହେବା ସହ ସ୍ଵଚ୍ଛ, ପାରଦର୍ଶୀ ତଥା ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ସୁନିଶ୍ଚିତ ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି l

ଏହି ନୂତନ ବ୍ୟବସ୍ଥାର ଲୋକାର୍ପଣ କରି ରାଜସ୍ବ ମନ୍ତ୍ରୀ କହିଥିଲେ ଯେ, ନାଗରିକମାନଙ୍କୁ ରାଜସ୍ୱ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଦାଖଲ ଓ ତାହାର ସ୍ଥିତି ଅନୁସରଣ ପାଇଁ ଏକ ସରଳ, ସୁବିଧାଜନକ ଓ ସ୍ୱଚ୍ଛ ଡିଜିଟାଲ ବ୍ୟବସ୍ଥା ଭାବେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ଚାଟବଟ୍ ମାଧ୍ୟମରେ ରାଜସ୍ୱ ବିଭାଗର ଅଭିଯୋଗ ସମାଧାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ବଦଳୁଥିବା ସମୟର ଢାଞ୍ଚାରେ ରାଜସ୍ୱ ବିଭାଗ ମଧ୍ୟ ନିଜକୁ ସଶକ୍ତ ଏବଂ ଉନ୍ନତ କରିବା ସହ ଲୋକସେବାକୁ ଆହୁରି ସରଳ ଏବଂ ସହଜଲବ୍ଧ କରିବା ନିମନ୍ତେ ଏହି ବ୍ୟବସ୍ଥା ସମଗ୍ର ଭାରତବର୍ଷରେ ଓଡ଼ିଶା ରାଜ୍ୟସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ପରିଚିତ ହେବ l ଏହି ଅଭିନବ ବ୍ୟବସ୍ଥା ମାଧ୍ୟମରେ ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କ ବିଶ୍ବାସ କ୍ରମଶଃ ଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ l

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନୂତନ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ, ରାଜସ୍ୱ ପ୍ରଶାସନକୁ ସ୍ଵଚ୍ଛ, ନାଗରିକ କୈନ୍ଦ୍ରିକ, ସୁବ୍ୟବସ୍ଥିତ ଏବଂ ଉତ୍ତରଦାୟୀ କରିବା ନିମନ୍ତେ ହ୍ୱାଟସଆପ୍ ମାଧ୍ୟମରେ ଅଭିଯୋଗ ସମାଧାନ ବ୍ୟବସ୍ଥାର ଆରମ୍ଭ କରାଯାଇଛି l ଏହି ଅଭିଯୋଗ ପରିଚାଳନା ବ୍ୟବସ୍ଥାରେ ମାନ୍ୟବର ମନ୍ତ୍ରୀ, ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କର ସିଧାସଳଖ ତଦାରଖ ତଥା ତତ୍ତ୍ଵାବଧାନ ରହିବା ଫଳରେ ପ୍ରଶାସନିକ ଅଧିକାରୀବୃନ୍ଦ ଅଧିକ ଦାୟିତ୍ୱସଂପନ୍ନ ଏବଂ ସମ୍ବେଦନଶୀଳ ହୋଇ ଜନସାଧାରଣଙ୍କ ଅଭିଯୋଗ ସମାଧାନ କରିବା ନିମନ୍ତେ ଅଧିକ ଯତ୍ନବାନ୍ ହେବେ l ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ଆବଶ୍ୟକତା ଅନୁଯାୟୀ ଆହୁରି ଅଧିକ ସରଳ ଏବଂ ଲୋକାଭିମୁଖୀ କରାଯିବ l

ସୂଚନାଯୋଗ୍ୟ ଯେ, ଏହି ଅଭିଯୋଗ ସମାଧାନ ବ୍ୟବସ୍ଥା ମାଧ୍ୟମରେ ନାଗରିକମାନେ ହ୍ୱାଟ୍ସଆପ୍ ଜରିଆରେ ନିଜ ଅଭିଯୋଗର ଉପଯୁକ୍ତ ବିଭାଗ ଚୟନ କରି ଆବଶ୍ୟକୀୟ ବିବରଣୀ ଓ ସହାୟକ ଦସ୍ତାବିଜ ଦାଖଲ କରିପାରିବେ। ଅଭିଯୋଗ ଦାଖଲ ହେବା ପରେ ତାହାର ଆବଶ୍ୟକତା ଓ ବିଭାଗ ଅନୁଯାୟୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଅଭିଯୋଗଗୁଡ଼ିକୁ ଧାର୍ଯ୍ଯ ସମୟସୀମା ଆଧାରରେ ନିରୀକ୍ଷଣ କରାଯାଇ ସମୟୋଚିତ ପଦକ୍ଷେପ ଓ ନିଷ୍ପତ୍ତି ସୁନିଶ୍ଚିତ କରାଯିବ।