Home Health ସମ୍‌ରେ ବିଶ୍ୱ ଅଂଗଦାନ ସଚେତନତା କାର୍ଯ୍ୟକ୍ରମ

ସମ୍‌ରେ ବିଶ୍ୱ ଅଂଗଦାନ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଗୁରୁବାର ବିଶ୍ୱ ଅଂଗଦାନ ଦିବସ ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସସିସିଏମ୍‌)ର ମିଳିତ ଆନୁକୂଲ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଗଦାନ ଏକ ପୂଣ୍ୟକାର୍ଯ୍ୟ ବୋଲି କହିବା ସହ ପ୍ରତ୍ୟେକ ବ୍ୟକ୍ତି ଅଂଗଦାନ ପାଇଁ ଆଗଭର ହେବା ଉଚିତ୍ ବୋଲି କହିଥିଲେ । ବର୍ତମାନ ମଧ୍ୟ ଭାରତରେ ଲୋକମାନଙ୍କ ମଧ୍ୟରେ ଅଂଗଦାନ ନେଇ ସଚେତନତାର ଅଭାବ ରହିଛି । ଯାହା ଫଳରେ ଲୋକମାନେ ଅଂଗଦାନ କରିବାରେ ପଛଘୁଂଚା ଦେଉଛନ୍ତି । ତେଣୁ ଅଂଗଦାନକୁ ନେଇ ଲୋକମାନଙ୍କ ମନରେ ଯେଉଁ ଭ୍ରାନ୍ତ ଧାରଣା ରହିଛି ତାହାକୁ କିପରି ଦୂରେଇ ଦିଆଯାଇପାରିବ ସେ ନେଇ ପ୍ରଫେସର ମିଶ୍ର ଗୁରୁତ୍ୱାରୋପ କରିଥିଲେ ।

ସୂଚନା ଯୋଗ୍ୟ ଯେ ଜଣେ ବ୍ରେନ୍‌ଡେଡ୍ ବ୍ୟକ୍ତି ନିଜର ସମସ୍ତ ଅଂଗଦାନ କରି ୮ ଜଣଙ୍କ ଜୀବନ ବଂଚାଇପାରିଥାଏ । ତେଣୁ ଅଂଗଦାନ’ର ପ୍ରକ୍ରିୟା, ଏହାର ମହତ୍ୱ ଏବଂ ପରିବାର ସମ୍ପର୍କୀୟ ଲୋକଙ୍କୁ ସଚେତନ କରାଇବା ସହ ସେମାନଙ୍କର ସାହାଯ୍ୟ ସହଯୋଗ ମାଧ୍ୟମରେ ଏହି ମହତ୍ କାର୍ଯ୍ୟ କରିବାକୁ ପ୍ରଫେସର (ଡାକ୍ତର) ମିଶ୍ର ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୧ର ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ସୁଧାଂଶୁ ଶେଖର ଲେଙ୍କା ଉପସ୍ଥିତ ରହି ଅଂଗଦାନ ଦ୍ୱାରା ଜଣଙ୍କ ମୁହଁରେ ହସ ଫୁଟାଇବା ଏହି ଦିବସର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ । ଏଭଳି ମହତ୍ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ନିମନ୍ତେ ସମ୍ ହସ୍ପିଟାଲ୍ ନିଜର ପ୍ରୟାସ ଜାରି ରଖିଥିବା ସହ ଭବିଷ୍ୟତରେ ଏହି କାର୍ଯ୍ୟକୁ ବହୁମାତ୍ରାରେ ବୃଦ୍ଧି କରିବା ପାଇଁ ହସ୍ପିଟାଲ୍‌ର ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ଡାକ୍ତର ଲେଙ୍କା ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୧ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ସମୀର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଆନେସ୍ଥେସିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ସମ୍ବୀତ ସ୍ୱାଇଁ ଏହି ସଚେତନତା କାର୍ଯ୍ୟକ୍ରମର ଗୁରୁତ୍ୱ, ବିଶେଷତ୍ୱ ଏବଂ ଲୋକମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ସମ୍ପର୍କରେ ଏକ ପାୱାର ପଏଂଟ ପ୍ରେଜେଂଟେସନ୍ ମାଧ୍ୟମରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଗଂଦାନକାରୀଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଉପସ୍ଥିତ ରହି ଅଂଗଦାନର ମହତ୍ୱ ବିଷୟରେ ନିଜର ଅନୁଭୂତି ବଖାଣିବା ସହ ଅନ୍ୟମାନଙ୍କୁ ଅଂଗଦାନ କରିବା ନିମନ୍ତେ ଉତ୍ସାହିତ କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା ।