Home Excise ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କାର୍ଯ୍ୟାନୁଷ୍ଠାନ 

ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କାର୍ଯ୍ୟାନୁଷ୍ଠାନ 

ଭୁବନେଶ୍ୱର : ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ଏ ସଂକ୍ରାନ୍ତରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାର କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କୁ ସଜାଗ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି l

୨୦୨୫-୨୬ ଫସଲ ଋତୁରେ ଚାଲିଥିବା ଗଞ୍ଜେଇ ନଷ୍ଟ ଅଭିଯାନ ସମୟରେ ଓଡ଼ିଶା ପୋଲିସ୍ ପକ୍ଷରୁ ଉପରୋକ୍ତ ୬ଟି ଚିହ୍ନଟ ଜିଲ୍ଲାର ୪୧ଟି ଥାନା ଅଧୀନରେ ମୋଟ ୩୬,୫୦୮.୭୯୨ ଏକର ଅଞ୍ଚଳରେ ଥିବା ୧,୬୩୧ଟି ଜିପିଏସ-ମ୍ୟାପ୍‌ଡ୍ ଜମି ଖଣ୍ଡରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି lବଏଥିମଧ୍ୟରୁ ୬,୬୩୨.୧୯୭ ଏକର ଜମି ସରକାରୀ ରାଜସ୍ୱ ଜମି ବୋଲି ଚିହ୍ନଟ ହୋଇଛି।

ପୂର୍ବ ଫସଲ ଋତୁରେ, ଅର୍ଥାତ୍ ୨୦୨୫ ନଭେମ୍ବରରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଯେଉଁ ସ୍ଥାନଗୁଡ଼ିକରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା, ସେସବୁ ସ୍ଥାନର ଜିପିଏସ କୋ-ଅର୍ଡିନେଟ୍‌ ମଧ୍ୟ ପୋଲିସ୍ ବିଭାଗ ପକ୍ଷରୁ ଉପଲବ୍ଧ କରାଯାଇଛି। ଏହି ତଥ୍ୟକୁ ଆଧାର କରି ସମ୍ପୃକ୍ତ ଜମିଗୁଡ଼ିକ ଉପରେ ବ୍ୟବସ୍ଥିତ ଓ ନିରନ୍ତର ନିରୀକ୍ଷଣ କରାଯିବ।

 ବିଶେଷକରି ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷରେ ଜଡ଼ିତ ବ୍ୟକ୍ତିମାନେ ପ୍ରତିବର୍ଷ ସମାନ ସରକାରୀ ରାଜସ୍ୱ ଜମିକୁ ପୁନର୍ବାର ଚାଷ ପାଇଁ ବ୍ୟବହାର କରିବାର ପ୍ରବଣତା ରହିଥିବାରୁ ଏଥିପ୍ରତି ସଜାଗ ରହିବାକୁ ରାଜସ୍ୱ ସଚିବ ଡ. ପାଢ଼ୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି l ୨୦୨୬-୨୭ ଫସଲ ଋତୁ ଆରମ୍ଭ ହୋଇଥିବାରୁ ପୂର୍ବରୁ ଚାଷ ନଷ୍ଟ କରାଯାଇଥିବା ଜମିରେ ପୁନର୍ବାର ଗଞ୍ଜେଇ ଚାଷ ହେବାର ଆଶଙ୍କା ରହିଥିବାରୁ ଏହି ଅଞ୍ଚଳଗୁଡ଼ିକରେ ବିଶେଷ ନଜର ରଖିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l

ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ତହସିଲଦାର, ଅତିରିକ୍ତ ତହସିଲଦାର,ରାଜସ୍ୱ ନିରୀକ୍ଷକ (ଆରଆଇ) ଓ ରାଜସ୍ୱ ସୁପରଭାଇଜରମାନଙ୍କୁ ସମନ୍ଵିତ ପଦକ୍ଷେପ ନେବାକୁ କୁହାଯାଇଛି l ସେହିପରି ଗଞ୍ଜେଇ ଚାଷରେ ଲିପ୍ତ ମାଫିଆଙ୍କୁ କୌଣସି ରାଜସ୍ୱ ଅଧିକାରୀ ସହଯୋଗ କରୁଥିବାର ସୂଚନା ମିଳିଲେ ତୁରନ୍ତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢ଼ୀ ଦୃଢ଼ ନିର୍ଦ୍ଦେଶ ଜାରି କରିଛନ୍ତି l