Home News in Odia ସରକାରୀ ଅନୁଦାନ ଭରସାରେ କ୍ରୁଟ୍‍

ସରକାରୀ ଅନୁଦାନ ଭରସାରେ କ୍ରୁଟ୍‍

ଭୁବନେଶ୍ୱର : ଦୈନିକ ସାଢେ ୩ଲକ୍ଷ ଯାତ୍ରୀ ପରିବହନ କରୁଥିବା ଆମ ବସ୍‍ ଏବେ ବି ତାହାର ଦୈନନ୍ଦିନ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ଉପରେ ନିର୍ଭରଶୀଳ । ଏଥିଯୋଗୁଁ ଏହି ସଂସ୍ଥାକୁ ସରକାର ଯୋଗାଉଥିବା ଆର୍ଥିକ ଅନୁଦାନ ପରିମାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି ।

ଆମ ବସ୍‍ ଏବେ ରାଜ୍ୟର ୭ଟି ସହରରେ ନିଜର ଚଳାଚଳ କରୁଥିବାବେଳେ ଏହାର ପରିଚାଳନା ଭାର କ୍ରୁଟ୍‍ ହାତରେ ରହିଛି । ଏହିସବୁ ସହରରେ ଦୈନିକ ପ୍ରାୟ ସାଢେ ୩ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି । ଯାତ୍ରୀସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଯାତ୍ରୀ ସଂଖ୍ୟା ସହିତ ତାଳ ଦେଇ କ୍ରୁଟର ଆୟ ମଧ୍ୟ ବଢିବାରେ ଲାଗିଛି । ୨୦୨୩-୨୪ ବର୍ଷରେ ବସ ଚଳାଚଳରୁ କ୍ରୁଟ୍‍ ୧୪୧ କୋଟି ଟଙ୍କା ଆୟ କରିଥିବାବେଳେ ୨୦୨୫-୧୬ ରେ ତାହା ୧୭୦ କୋଟି ଟଙ୍କାକୁ ଟପିଯାଇଛି ।

କିନ୍ତୁ ଏହି ସମୟ ମଧ୍ୟରେ ସହରାଞ୍ଚଳରେ ଆମ ବସ୍‍ ଚଳାଚଳ ପାଇଁ ରାଜ୍ୟ ସରକାର ଯୋଗାଇ ଦେଉଥିବା ଅନୁଦାନର ପରିମାଣର ଦୁଇ ଗୁଣରୁ ଅଧିକ ହୋଇଛି । ୨୦୨୩-୨୪ ରେ ରାଜ୍ୟ ସରକାର ୧୫୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିବାବେଳେ ୨୦୨୫-୨୬ ବର୍ଷରେ ତାହା ୩୦୦ କୋଟି ଟଙ୍କାକୁ ଟପିଯାଇଛି । ଅବଶ୍ୟ ଏହାର କାରଣ ହେଉଛି କ୍ରୁଟ୍‍ ଯେତିକି ଆୟ କରୁଛି ତାହାଠାରୁ ଢେର ଅଧିକ ବ୍ୟୟ କରିବାରେ ଲାଗିଛି । ୨୦୨୩-୨୪ ବର୍ଷରେ କ୍ରୁଟର ବ୍ୟୟ ପରିମାଣ ଆୟ ଠାରୁ ୭୦ କୋଟିରୁ ଅଧିକ ଥିବାବେଳେ ୨୦୨୪-୨୫ ରେ ଏହି ପରିମାଣ ୧୦୦ କୋଟି ଟଙ୍କାକୁ ଟପିଯାଇଥିଲା । ୨୦୨୫-୨୬ ବର୍ଷରେ ଏହି ପରିମାଣ ପାଖାପାଖି ୧୦୦ କୋଟି ଟଙ୍କା ହେବ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି ।

ବସ୍‍ ଚଳାଚଳ ସରକାରଙ୍କ କାର୍ଯ୍ୟ ହୋଇନଥିବାରୁ ଏହିପାଇଁ ଗୋଟିଏ ସଂସ୍ଥା ହାତରେ ଏହାକୁ ସମର୍ପି ଦିଆଯାଇଛି । ତେବେ ରାଜ୍ୟ ସରକାର ସମସ୍ତ ପ୍ରକାର ଭିତ୍ତିଭୂମି ସହିତ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିବାବେଳେ ଏହି ସଂସ୍ଥାର କାହିଁକି କ୍ଷତି ସହିବାରେ ଲାଗିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଉଲ୍ଲେଖନୀୟ ଯେ ରାଜ୍ୟର ୭ଟି ସହରରେ ଏବେ କ୍ରୁଟ୍‍ ଆମ ବସ୍‍ ଚଳାଉଥିବାବେଳେ ଏଥିରେ ମୋଟ୍‍ ୭୭୦ଟି ବସ୍‍ ରହିଛି ଏବଂ ଏଥିରୁ ୩୯୦ଟି ହେଉଛି ବିଦ୍ୟୁତ୍‍ ଚାଳିତ (ଇଭି) ବସ୍‍ । ମୋଟ୍‍ ୧୩୮ଟି ରୁଟ୍‍ରେ ଚଳାଚଳ କରୁଥିବା ଏହିସବୁ ବସ୍‍ ହାରାହାରି ସାଢେ ୩ଲକ୍ଷ ଯାତ୍ରୀ ପରିବହନ କରୁଛନ୍ତି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମ ବସ୍‍ ସେବାରେ ଅଧିକରୁ ଅଧିକ ଇଭି ବସ ସାମିଲ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଥିବାବେଳେ ବସ୍‍ ଖରିଦ ପାଇଁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରୁଛନ୍ତି । (ତଥ୍ୟ)