ଭୁବନେଶ୍ୱର : ଦଶ ବର୍ଷରୁ ଅଧିକ ସମୟ ଧରି ଓଡ଼ିଆ ଭାଷା ପ୍ରତିଷ୍ଠାନର ନିୟମିତ ନିର୍ଦ୍ଦେଶକ ନିଯୁକ୍ତ ହୋଇପାରୁ ନାହାନ୍ତି । କେତେବେଳେ ସଂସ୍କୃତି ବିଭାଗର ଅଧିକାରୀ ତ ଆଉ କେତେବେଳେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ କିମ୍ବା ସଂଗୀତ ନାଟକ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ଭାଷା ପ୍ରତିଷ୍ଠାନ ଦାୟିତ୍ୱରେ ରଖାଯାଉଛି । ବେଳେବେଳେ ବି ରାଜ୍ୟ ସଂଗ୍ରହାଳୟ ଅଧିକାରୀମାନଙ୍କୁ ଏହି ଦାୟିତ୍ୱ ଦିଆଯାଉଛି ।
ଏଭଳି ସ୍ଥିତିରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବସ୍ତୁତଃ ନିଜର ମୌଳିକତା ହରାଉଥିବାବେଳେ ଏହି ପ୍ରତିଷ୍ଠାନର ନିୟମିତ କର୍ମଚାରୀଙ୍କ ସଂଖ୍ୟା ବର୍ଷକୁ ବର୍ଷ କମିବାରେ ଲାଗିଛି । ବସ୍ତୁତଃ ସଂଖ୍ୟାଧିକ ଅସ୍ଥାୟୀ କର୍ମଚାରୀଙ୍କ ଦ୍ୱାରା କୌଣସି ମତେ ଏଠାରେ କାମ ଚଳାଯାଉଛି । ଏଭଳି ସ୍ଥିତିରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ କିଭଳି କାର୍ଯ୍ୟ କରୁଥିବ ସେଥିଘେନି ଭାଷାବିତ୍ମାନେ ବି ସନ୍ଦେହରେ ପଡୁଛନ୍ତି ।
ଓଡ଼ିଆ ଭାଷା ପ୍ରତିଷ୍ଠାନ ଆରମ୍ଭ ହେବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିଲା । ୟୁନିଟ୍-୫ ଅଞ୍ଚଳରେ ଥିବା ଜନଶିକ୍ଷା ସାଧନ କେନ୍ଦ୍ର ପରିସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଚାଲିବାବେଳେ ଏହାର ନିୟମିତ ନିର୍ଦ୍ଦେଶକ ରହୁଥିଲେ । ପରବର୍ତ୍ତୀ ସମୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରୁ ଆଣି ସଂସ୍କୃତି ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ରଖାଗଲା । କେବଳ ସେତିକି ନୁହେଁ, ବିଭାଗ ବଦଳିବାର କିଛିଦିନ ମଧ୍ୟରେ ଏହାର ଦପ୍ତରକୁ ସଂସ୍କୃତି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଥିବା ଭଞ୍ଜ କଳା ମଣ୍ଡପର ପଛ ପଟରେ ଥିବା ସଂସ୍କୃତି ଭବନ ପରିସରକୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ସଂସ୍ଥାର ଦପ୍ତରକୁ ଖାରବେଳ ଭବନକୁ ଉଠାଇ ନିଆଗଲା । ଏହିଭଳି ଭାବରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବାରଦୁଆର ଶୁଣ୍ଡିପିଣ୍ଡା ହୋଇ ଚାଲିଛି ।
ଭାଷା ପ୍ରତିଷ୍ଠାନର ନିଜସ୍ୱ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ରାଜଧାନୀର ଖାରବେଳ ନଗର ମୌଜାରେ ଜମି ଯୋଗାଇ ଦେଇଛନ୍ତି । କେବଳ ସେତିକି ନୁହେଁ, ଏହି ଜମିରେ ଭାଷା ପ୍ରତିଷ୍ଠାନର ସୌଧ ନିର୍ମାଣ ପାଇଁ ମଧ୍ୟ ଅର୍ଥ ପ୍ରାୟ ଦୁଇ ଦଶନ୍ଧି ତଳେ ଯୋଗାଇ ଦିଆଯାଇଥିଲା । ବର୍ଷବର୍ଷ ଧରି ଏହି ଅର୍ଥ ଉପଯୋଗ ନହୋଇ ପଡ଼ି ରହିଲା । ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ସ୍ମିକ୍ ଯୋଜନାର ଅଧିକାରୀମାନେ ଭାଷା ପ୍ରତିଷ୍ଠାନ ସୌଧ ନିର୍ମାଣରେ ବାଧକ ସାଜୁଥିବା କୁହାଯାଉଛି । ମୋଟାମୋଟି ଭାବେ ବର୍ଷବର୍ଷ ଧରି ଏହାର ସ୍ଥାୟୀ ନିର୍ଦ୍ଦେଶକ ନଥିବା ଯୋଗୁ ଏଭଳି ସମସ୍ୟାର ସମାଧାନ ହୋଇପାରୁ ନାହିଁ ।
କିଛି ମାସ ତଳେ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଦେବ ପ୍ରସାଦ ଦାଶଙ୍କୁ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ପୂର୍ବରୁ ଏକାଧିକ ନିର୍ଦ୍ଦେଶକ ମଧ୍ୟ ଏହି ଦାୟିତ୍ୱରେ ରହୁଥିଲେ । ଶ୍ରୀ ଦାଶ ଅବସର ଗ୍ରହଣ କରିବା ପରେ କିଛିଦିନ ପାଇଁ ଭାଷା ପ୍ରତିଷ୍ଠା୍ନର କେହି ନିର୍ଦ୍ଦେଶକ ନଥିଲେ । ଏବେ ବିଭାଗର ଅନ୍ୟତମ ଅତିରିକ୍ତ ଶାସନ ସଚିବ ଶୃତି ମହାନ୍ତିଙ୍କୁ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସେ ମଧ୍ୟ ନିଜ ଦାୟିତ୍ୱ ସହ ଅତିରିକ୍ତ ଭାବେ ଏହି ଭାର ସମ୍ଭାଳିବେ । ଏ ପରିପ୍ରେକ୍ଷୀରେ ଭାଷା ପ୍ରତିଷ୍ଠାନର ସାଧାରଣ ପରିଷଦ ମଧ୍ୟ ବର୍ଷବର୍ଷ ଧରି କାମ କରିପାରୁ ନାହିଁ । ବସ୍ତୁତଃ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ଗଢ଼ାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ସରକାରୀ ଅଫିସରମାନଙ୍କ ନିୟନ୍ତ୍ରଣରେ ରହୁଛି । ବରିଷ୍ଠ ସାହିତ୍ୟିକମାନେ କହୁଛନ୍ତି ଯେ ବୋଧହୁଏ ରାଜ୍ୟ ସରକାର ଓଡ଼ିଶାରେ କୌଣସି ଯୋଗ୍ୟ ଓଡ଼ିଆ ଭାଷାବିତ୍ଙ୍କୁ ଖୋଜି ପାଉନଥିବାରୁ କାମ ଚଳାଇବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ଏହି ଦାୟିତ୍ୱରେ ଅତିରିକ୍ତ ଭାବେ ରଖୁଛନ୍ତି । ତେବେ ଖୁବଶୀଘ୍ର ସାହିତ୍ୟ ଏକାଡେମୀ, ସଂଗୀତ ଏକାଡେମୀ ସମେତ ଅନ୍ୟାନ୍ୟ ଏକାଡେମୀ ଓ ଭାଷା ପ୍ରତିଷ୍ଠାନ ଲାଗି କାର୍ଯ୍ୟକର୍ତ୍ତା ନିଯୁକ୍ତି ପାଇବେ ବୋଲି ବିଭାଗର ବରିଷ୍ଠ ଅଧିକାରୀମାନେ ଆଶା କରୁଛନ୍ତି । (ତଥ୍ୟ)

