ଭୁବନେଶ୍ୱର : ନିଶା ବେପାରୀମାନେ ଚୋରା ନିଶା କାରବାରରୁ ବ୍ୟାପକ ଫାଇଦା ଉଠାଉଥିବାବେଳେ ଏହା ଏବେ ଦେଶ ବିଦେଶରେ ଓଡ଼ିଶାର ମର୍ଯ୍ୟାଦା ଉପରେ ପ୍ରଶ୍ନବାଚୀ ଉଠାଉଛି । ଓଡ଼ିଶାରେ ବେଆଇନ୍ ଭାବେ ଚାଷ ହେଉଥିବା ଗଞ୍ଜେଇ ବିପୁଳ ପରିମାଣରେ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି ।
ତଥ୍ୟ ମୁତାବକ କର୍ଣ୍ଣାଟକ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ପଞ୍ଜାବ, ତାମିଲନାଡୁ, କେରଳ, ମହାରାଷ୍ଟ୍ର, ଗୋଆ ସମେତ ବିଭିନ୍ନ ରାଜ୍ୟରେ ଓଡ଼ିଶାରୁ ଚୋରାରେ ଯାଇଥିବା ଗଞ୍ଜେଇ ବହୁ ପରିମାଣରେ ସେଠାକାର ପୁଲିସ ଓ ଅବକାରୀ ସଂସ୍ଥା ଜବତ କରୁଛନ୍ତି । ଓଡ଼ିଶାରେ ପୁଲିସ ଓ ଅବକାରୀ ବିଭାଗ ମଧ୍ୟ ଚୋରା ଗଞ୍ଜେଇ ଧରିଧରି ହାଲିଆ ହୋଇଗଲେଣି । ଏହା ସତ୍ତ୍ୱେ ଗଞ୍ଜେଇ ଚାଷ ଓ ଚୋରା ଗଞ୍ଜେଇ ଚାଲାଣ କମିବା ନାଁ ଧରୁନି ।
ତଥ୍ୟ ମୁତାବକ ଦୁଇବର୍ଷ ଭିତରେ ଓଡ଼ିଶାରେ ୪ ହଜାର କୋଟିରୁ ଅଧିକ ମୂଲ୍ୟର ଚୋରା ଗଞ୍ଜେଇ ଜବତ ହୋଇଛି, ଯାହାର ପରିମାଣ ୪୦୦ ଟନ୍ରୁ ଅଧିକ । ଏହାଛଡ଼ା ପାଖାପାଖି ୨ ହଜାର ଲିଟର ଗଞ୍ଜେଇ ତେଲ ମଧ୍ୟ ଜବତ କରିବାରେ ବିଭାଗୀୟ କର୍ତ୍ତୃପକ୍ଷ ସଫଳ ହୋଇଛନ୍ତି । କର୍ତ୍ତୃପକ୍ଷଙ୍କ ସଫଳତାର ତାଲିକାରେ ୬୦ ହଜାର ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା କୁହାଯାଉଛି ।
ନିଶା ନିବାରଣ କାର୍ଯ୍ୟରେ ନିୟୋଜିତ ସମାଜସେବୀମାନେ କହୁଛନ୍ତି ଯେ ଯେତିକି ପରିମାଣର ଚୋରା ଗଞ୍ଜେଇ ଓ ଗଞ୍ଜେଇ ତେଲ ଜବତ ହେଉଛି ବାସ୍ତବରେ ତା’ର ଢେର ଅଧିକ ଗୁଣ ରାଜ୍ୟ ଭିତରେ ଓ ବାହାରେ ଚୋରା ବଜାରରେ ଚଢ଼ା ମୂଲ୍ୟରେ ଉପଲବ୍ଧ ହେଉଛି । ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହଜାର ହଜାର ଏକର ଜମିରୁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ସହିତ ଲକ୍ଷଲକ୍ଷ ସଂଖ୍ୟକ ଗଞ୍ଜେଇ ଗଛ ଜାଳିପୋଡ଼ି ଛାରଖାର କରାଯାଉଥିବା ସମ୍ବାଦ ବି ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହାଛଡ଼ା ବିଧାନସଭାରେ ପ୍ରଦତ୍ତ ବିଭିନ୍ନ ତଥ୍ୟରେ ମଧ୍ୟ ଚୋରା ଗଞ୍ଜେଇ କଥା ଉଲ୍ଲେଖ କରାଯାଉଛି ।
୨୦୨୪ ଅଗଷ୍ଟ ୨୦ ତାରିଖରେ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଓଡ଼ିଶାରେ ୩୫୫୬ ଏକର ଜମିରୁ ୪୯,୭୧,୯୩୨ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଦର୍ଶାଯାଇଥିବାବେଳେ ୨୦୨୫ ମାର୍ଚ୍ଚ ୭ ତାରିଖରେ ଉପସ୍ଥାପିତ ରିପୋର୍ଟରେ ୨୨,୩୨୪ ଏକର ଜମିରୁ ୨୨,୫୧,୨୫୮ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଉଲ୍ଲେଖ କରାଯାଇଛି । ସେହିଭଳି ଚଳିତବର୍ଷ ମାର୍ଚ୍ଚ ୯ ତାରିଖରେ ଓଡ଼ିଶା ବିଧାନଭାରେ ଉପସ୍ଥାପିତ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ୯,୪୧୮ ଏକର ଜମିରୁ ୧,୨୭,୪୫,୭୨୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଦର୍ଶାଯାଇଛି ।
ଏହାଛଡ଼ା ବର୍ଷକୁ ବର୍ଷ ଏନ୍ଡିପିଏସ୍ ମାମଲା ଓ ଏଥିରେ ଗିରଫ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ୨୦୨୦-୨୧ ବର୍ଷରେ ୩୮୧ଟି ଏନ୍ଡିପିଏସ୍ ମାମଲା ରୁଜୁ କରାଯାଇଥିବାବେଳେ ୩୯୬ଜଣ ଲୋକଙ୍କୁ ଗିରଫ କରାଯାଇଥିଲା । ୨୦୨୨-୨୩ ବର୍ଷରେ କିନ୍ତୁ ୧୯୪୯ଟି ଏନ୍ଡିପିଏସ୍ ମାମଲା ରୁଜୁ ହୋଇଥିବାବେଳେ ୨୨୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଦର୍ଶାଯାଇଛି । କେବଳ ଗଞ୍ଜେଇ ନୁହେଁ, ବ୍ରାଉନ୍ ସୁଗାର, ମଦ, କୋକେନ୍, ହେରୋଇନ୍, କପ୍ ସିରପ୍ ସମେତ ଅନ୍ୟାନ୍ୟ ମାରାତ୍ମକ ନିଶା ସାମଗ୍ରୀର ବଜାର ଓଡ଼ିଶା ପାଲଟିଛି । ତେବେ ଉଦ୍ବେଗଜନକ ବିଷୟ ହେଉଛି ଯେ ଅବକାରୀ ମାମଲାଗୁଡ଼ିକରେ ରାଜ୍ୟରେ ଦଣ୍ଡବିଧାନ ହାର ଢେର କମ୍ ରହୁଛି । ସରକାରୀ ତଥ୍ୟ ମୁତାବକ ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ ରାଜ୍ୟରେ ୩ଲକ୍ଷ ୧୭ ହଜାରରୁ ଅଧିକ ଅବକାରୀ ମାମଲା ବିଚାର ପାଇଁ ଆସିଥିବାବେଳେ ଏହି ୫ବର୍ଷରେ ୫୭,୬୮୬ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି ଓ ମାତ୍ର ୨୧୨ଟି ମାମଲାରେ ଦଣ୍ଡବିଧାନ କରାଯାଇଛି । ଅନେକ ଜିଲ୍ଲାରେ ୫ବର୍ଷରେ ଗୋଟିଏ ହେଲେ ଅବକାରୀ ମାମଲରେ ଦଣ୍ଡବିଧାନ ହୋଇପାରିନଥିବା ବିଧାନସଭାରେ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି । (ତଥ୍ୟ)

