Home General ଓଡିଶା ଉପକୂଳର ୨୮ ପ୍ରତିଶତରୁ ଅଧିକ କ୍ଷୟ

ଓଡିଶା ଉପକୂଳର ୨୮ ପ୍ରତିଶତରୁ ଅଧିକ କ୍ଷୟ

ଭୁବନେଶ୍ୱର : ଓଡିଶା ଉପକୂଳର ସୀମା ମଧ୍ୟରୁ ୨୮ ପ୍ରତିଶତରୁ ଅଧିକ କ୍ଷୟ ହୋଇଗଲାଣି । ୧୭ ପ୍ରତିଶତରୁ ଅଧିକ ଅଞ୍ଚଳ ସ୍ଥିର ରହିଛି । ୧୯୯୦ ରୁ ୨୦୨୨ ମଧ୍ୟରେ ଉପକୂଳ ଅଞ୍ଚଳରେ ଏଭଳି ପରିବର୍ତ୍ତନ ଘଟିଥିବା ନେଇ ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର (ଏନସିସିଆର) ତାହାର ରିପୋର୍ଟରେ ଉଲ୍ଲେଖ କରିଛି ।

ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କର ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ଏଭଳି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଓଡିଶା ଉପକୂଳରେ ହୋଇଥିବା ଏହି ଅନୁଧ୍ୟାନରୁ ଜଣାଯ।।ଇଛି ୫୬୪ କିଲୋମିଟର ଉପକୂଳ ମଧ୍ୟରୁ ୨୮.୩ ପ୍ରତିଶତ କ୍ଷୟ ହୋଇଯାଇଛି । ୧୭.୬ ପ୍ରତିଶତ ଉପକୂଳ ଅଞ୍ଚଳ ସ୍ଥିର ଥିବାବେଳେ ୫୪ ପ୍ରତିଶତ ବୃଦ୍ଧି ପାଇଥିବା ଦର୍ଶାଯାଇଛି ।

ତେବେ ଉପକୂଳ କ୍ଷୟରେ ସବୁଠାରୁ ଆଗରେ ରହିଛି ଜଗତ୍‍ସିଂହପୁର ଜିଲ୍ଲା । ଏହି ଜିଲ୍ଲାରେ ୫୫.୮୦ କିଲୋମିଟର ଦୈର୍ଘ୍ୟର ଉପକୂଳ ଅଞ୍ଚଳ ଥିବାବେଳେ ଏଠାରେ ୪୭ ପ୍ରତିଶତରୁ ଅଧିକ ଅଞ୍ଚଳ କ୍ଷୟ ହୋଇଛି । ୩୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୧୩.୫ ପ୍ରତିଶତ ଅଞ୍ଚଳ ସ୍ଥିର ରହିଛି । ଏହା ପଛକୁ ରହିଛି କେନ୍ଦ୍ରାପଡା । ଏହି ଜିଲ୍ଲାରେ ପ୍ରାୟ ୧୫୦ କିଲୋମିଟରର ଉପକୂଳ ଅଞ୍ଚଳ ଥିବାବେଳେ ୪୫ ପ୍ରତିଶତ କ୍ଷୟ ହୋଇଛି । ସେହିଭଳି ବାଲେଶ୍ୱର ୮୮ କିଲୋମିଟର ଉପକୂଳ ମଧ୍ୟରୁ ପ୍ରାୟ ୨୪ ପ୍ରତିଶତ କ୍ଷୟ ହୋଇଥିବାବେଳେ ଏଠାରେ କିନ୍ତୁ ୫୪ ପ୍ରତିଶତ ଉପକୂଳ ବଢିଛି । ଗଞ୍ଜାମରେ ୬୦ କିଲୋମିଟର ଉପକୂଳ ମଧ୍ୟରୁ ୪୫ ପ୍ରତିଶତ କ୍ଷୟ ହୋଇଥିବାବେଳେ ପୁରୀରେ ୧୩୮ କିଲୋମିଟର ଉପକୂଳରୁ ୧୦.୨ ପ୍ରତିଶତ ଓ ଭଦ୍ରକରେ ୭୨ କିଲୋମିଟର ଉପକୂଳ ମଧ୍ୟରୁ ସବୁଠାରୁ କମ୍‍ ୪.୬ ପ୍ରତିଶତ କ୍ଷୟ ହୋଇଥିବା ଦର୍ଶାଯାଇଛି ।

ଜଗତସିଂହପୁର ଜିଲ୍‍ଲାରେ କୁସୁପୁର ଠାରୁ ସହଦେବଗଡି ଓ ସହଦେବଗଡି ଠାର ଜଟାଧାରପଣ୍ଡା ପର୍ଯ୍ୟନ୍ତ ଉପକୂଳ ପରିବର୍ତ୍ତନ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ହେଟାମୁଣ୍ଡିଆ, ହୁକିଟୋଲା, ପେଣ୍ଠରୁ ସାତଭାୟା, ସାତଭାୟାରୁ ଗହୀରମଥା ମଧ୍ୟରେ ଏଡା ପରିଲକ୍ଷିତ ହେଉଛି । ପୁରୀ ଜିଲ୍ଲାରେ ଚିଲିକା ମୁହାଣ, କେଉଟଜଙ୍ଗା, ଦେବୀନଦୀର ଦକ୍ଷିଣ ପାଶ୍ୱର୍ ଓ ଦେବୀ ନଦୀ ମୁହାଣରେ ସମୁଦ୍ର କୂଳ ବଦଳିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଗୋପାଳପୁର ବନ୍ଦରର ଉତ୍ତର ପଟ ଏବଂ ମୟୁରପଡା ଠାରୁ ଭ୍ରମରକୁଡି ଏବଂ ଭଦ୍ରକ ଜିଲ୍ଲାର ଅମରନଗର ଠାରେ ସମୁଦ୍ର ଉପକୂଳ ବଦଳୁଛି । ବାଲେଶ୍ୱର ଜିଲ୍ଲାର ବଗଡା, ଚଉମୁଖ, ନାରାୟଣ ମହାନ୍ତି ପଡିଆ, ବିନ୍ଧପଦ୍ମପୁର ରୁ ତଳସାରୀ ମଧ୍ୟରେ ସମୁଦ୍ର କୂଳ ପରିବର୍ତ୍ତନ ହେଉଥିବା ଉଲ୍ଲେଖ କରାଯାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ରାପଡା, ଜଗତ୍‍ସିଂହପୁର ଭଳି ଜିଲ୍ଲାର ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ସମୁଦ୍ରକୂଳ ଖାଉଥିବାରୁ ବହୁ ଜନବସତି ସମୁଦ୍ରରେ ଲୀନ ହେବାରେ ଲାଗିଛି । ଉଚ୍ଚ ଜୁଆର ମାଡ ସହିତ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସମୁଦ୍ର କୂଳର ମାନଚିତ୍ର ବଦଳାଇବାରେ ଲାଗିଛି । (ତଥ୍ୟ)