ପାରାଦୀପ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶା କ୍ଷେତ୍ରର ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ କମିଟି (ଆଇଏମପିସିସି)ର ଏକ ବୈଠକ ପାରାଦୀପ ବନ୍ଦର ପ୍ରାଧିକରଣ ବୋର୍ଡ ରୁମରେ ଅନୁଷ୍ଠିତ ହୋଇଯାଇଛି । ରଣନୀତିକ ଯୋଗାଯୋଗକୁ ସୁଦୃଢ଼ କରିବା, ଆନ୍ତଃବିଭାଗୀୟ ସମନ୍ୱୟକୁ ପ୍ରୋତ୍ସାହିତ କରିବା ଏବଂ ସମଗ୍ର ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ନୀତି ଏବଂ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।
ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)ର ଅଧ୍ୟକ୍ଷ ଶ୍ରୀ ପି.ଏଲ. ହରନାଧ ଦେଶର ପ୍ରମୁଖ ଶିଳ୍ପ ଏବଂ ସାମୁଦ୍ରିକ କେନ୍ଦ୍ର ଭାବରେ ପାରାଦୀପର ଦ୍ରୁତ ଅଭ୍ୟୁଦୟ ଉପରେ ଆଲୋକପାତ କରିଥିଲେ। ମାଲ ପରିବହନ କ୍ଷମତାରେ ପାରାଦୀପ ବନ୍ଦର ଭାରତର ପ୍ରମୁଖ ବନ୍ଦର ହେବାର ମାଇଲଖୁଣ୍ଟ ହାସଲ କରିଛି ବୋଲି ଉଲ୍ଲେଖ କରି, ଶ୍ରୀ ହରନାଧ ରାଜ୍ୟର ସାମୁଦ୍ରିକ କାରବାରକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରିବା ପାଇଁ ପରିକଳ୍ପନା କରାଯାଇଥିବା ମହତ୍ୱାକାଂକ୍ଷୀ ରୂପରେଖ ଉପସ୍ଥାପନ କରିଥିଲେ।
ସେ ଗଞ୍ଜାମ ଜିଲ୍ଲାର ବାହୁଦାରେ ଏକ ପୂର୍ଣ୍ଣାଙ୍ଗ ସାଟେଲାଇଟ୍ ବନ୍ଦର ବିକାଶ ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଥିଲେ । ସେଠାରେ ୧୫୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ କଣ୍ଟେନର ଟର୍ମିନାଲ ରହିବ ଯାହା ଓଡ଼ିଶା, ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ର ଆଭ୍ୟନ୍ତରୀଣ ଅଞ୍ଚଳକୁ ସେବା ଯୋଗାଇବା ସହିତ ବ୍ୟାପକ ଅନ୍ତର୍ଜାତୀୟ ବାଣିଜ୍ୟ କରିଡରକୁ ସହଜ କରିବ ।
ରୂପାନ୍ତରକାରୀ ଉପକୂଳ ଭିତ୍ତିଭୂମି ଉପରେ ଅଧିକ ଆଲୋକପାତ କରି ଶ୍ରୀ ହରନାଧ କହିଥିଲେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଜାହାଜ ନିର୍ମାଣ ଏବଂ ମରାମତି କ୍ଲଷ୍ଟର ପାଇଁ ଯୋଜନା ରହିଛି । ଏହା ସ୍ଥାନୀୟ ନିଯୁକ୍ତି ଏବଂ ଦକ୍ଷ କର୍ମଶକ୍ତି ବିକାଶକୁ ପ୍ରୋତ୍ସାହନ ଦେବ । ସେ କହିଥିଲେ, ଉପକୂଳ ପର୍ଯ୍ୟଟନ ଏବଂ ଅନ୍ତର୍ଜାତୀୟ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ପୁରୀରେ ଏକ ଆଧୁନିକ କ୍ରୁଜ୍ ଟର୍ମିନାଲ ପ୍ରତିଷ୍ଠା ଦିଗରେ ମଧ୍ୟ ପାରାଦୀପ ବନ୍ଦର ପ୍ରାଧିକରଣ ଆଗକୁ ବଢ଼ୁଛି। ଏହା ପୁରୀ ଭଳି ବିଶ୍ୱ ପ୍ରସିଦ୍ଧ ତୀର୍ଥସ୍ଥଳ ସହିତ କୋଣାର୍କ ଏବଂ ଚିଲିକାକୁ ନେଇ ଏକ ଚିତାକର୍ଷକ ସାମୁଦ୍ରିକ ପର୍ଯ୍ୟଟନ ସର୍କିଟ ବିକଶିତ କରିବ । ଏହି ବିକାଶମୂଳକ ମାଇଲଖୁଣ୍ଟଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ଜନମତକୁ ପ୍ରଭାବିତ କରିବା ଲାଗି ଆଇଏମପିସିସି ଭଳି ସଂସ୍ଥାଗତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ବହୁ-ସଂସ୍ଥାଗତ ପ୍ରଚାରପ୍ରସାର ଅତ୍ୟନ୍ତ ଜରୁରୀ ବୋଲି ପିପିଏ ଅଧ୍ୟକ୍ଷ କହିଥିଲେ ।
ବୈଠକରେ ଅଧ୍ୟକ୍ଷତା କରି, ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଆଇଏମପିସିସି ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଅଖିଳ କୁମାର ମିଶ୍ର ଗଣଯୋଗାଯୋଗରେ ସହାନୁଭୂତି ଏବଂ ଭାବପ୍ରବଣ ଉପସ୍ଥାପନା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ପ୍ରକୃତ ସମ୍ପର୍କ ଏବଂ ନାଗରିକଙ୍କ ଆଶାକୁ ଠିକ୍ ଭାବେ ବୁଝି ନ ପାରିଲେ ଗଣଯୋଗାଯୋଗ ପ୍ରଭାବଶୂନ୍ୟ ହୋଇଥାଏ। ରାଷ୍ଟ୍ର ପ୍ରଗତିର ଏକ ମିଳିତ କାହାଣୀ ଉପସ୍ଥାପନ କରିବା ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ବ୍ୟବସ୍ଥିତ ସମନ୍ୱୟ ରହିବା ଅତି ଆବଶ୍ୟକ । ଏହି ସମ୍ମିଳନୀ ଆୟୋଜନ କରିବା ଏବଂ ଭିନ୍ନ ଭିନ୍ନ କ୍ଷେତ୍ର ମଧ୍ୟରେ ସହଯୋଗ ନିମନ୍ତେ ଏକ ପ୍ରଭାବୀ ମଞ୍ଚ ଯୋଗାଇ ଦେବା ନିମନ୍ତେ ପିପିଏର ନେତୃତ୍ୱକୁ ସେ ପ୍ରଶଂସା କରିଥିଲେ ।
ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଗଣମାଧ୍ୟମ ୟୁନିଟ୍, ବିଭାଗ ଏବଂ ସ୍ୱାୟତ୍ତ ପ୍ରତିଷ୍ଠାନଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଅଧିକାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ବୈଠକରେ ଦୂରଦର୍ଶନ, ଭୁବନେଶ୍ୱରର ଆଞ୍ଚଳିକ ସମାଚାର ୟୁନିଟର ଉପନିର୍ଦ୍ଦେଶକ ତଥା ମୁଖ୍ୟ ଡକ୍ଟର ଅଭିଷେକ ମିଶ୍ରା; ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ଭୁବନେଶ୍ୱରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସୁଚିତ୍ରା ସାମଲ; ମାଇ ଭାରତ ଓଡ଼ିଶା ରାଜ୍ୟ ନିର୍ଦ୍ଦେଶକ ଅଶୋକ କୁମାର ଦାଶ, ମାଇ ଭାରତ ସହକାରୀ ସେକ୍ସନ ଅଫିସର ରୋହିତ ନନ୍ଦେଶ୍ୱର, ସିଏସଆଇଆର-ଆଇଏମଏମଟି ଭୁବନେଶ୍ୱରର ବୈଜ୍ଞାନିକ ଡକ୍ଟର ସତ୍ୟଜିତ ରଥ, ଏନଆଇଟି ରାଉରକେଲାର ଲୋକ ସମ୍ପର୍କ ଅଧିକାରୀ ଅଭିଜିତ ପଟ୍ଟନାୟକ, ଆକାଶବାଣୀ କଟକ ଆଞ୍ଚଳିକ ସମାଚାର ୟୁନିଟର ବାର୍ତ୍ତା ସମ୍ପାଦକ ନିର୍ମାଲ୍ୟ ବେହେରା, ବିଏସଏନଏଲ ଉପଖଣ୍ଡ ଅଧିକାରୀ ଅସିତ ପ୍ରସାଦ ସାମଲ, ଏମପିଇଡିଏ ସହାୟକ ନିର୍ଦ୍ଦେଶକ ବିଜୁ ଭି.ଏନ. ଇଏସଆଇସି ପାରାଦୀପର ଶାଖା ପରିଚାଳକ ରୋଜାଲିନ ସାହୁ, ପିଆଇବି ଭୁବନେଶ୍ୱରର ସୂଚନା ସହାୟକ ବିକାଶ ରଞ୍ଜନ ଦଳେଇ, ପିପିଏର ମୁଖ୍ୟ ପ୍ରବନ୍ଧକ (କର୍ପୋରେଟ୍ ସମ୍ପର୍କ ଓ ଯୋଗାଯୋଗ) ରତିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅଧିକାରୀମାନେ ସେମାନଙ୍କ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ ।
ଆଇଏମପିସିସି ଓଡ଼ିଶା କ୍ଷେତ୍ରର ସଦସ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବୈଠକ ପରିଚାଳନା କରିଥିଲେ। ପିଆଇବି ଭୁବନେଶ୍ବରର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ଶ୍ରୀ ସ୍ୱାଧୀନ ଶକ୍ତି ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ।

