Home Energy ଟାଟା ପାୱାର ଖର୍ଚ୍ଚର ଅଡିଟ୍‍ ଦାବି କଲା ବିଜେଡି

ଟାଟା ପାୱାର ଖର୍ଚ୍ଚର ଅଡିଟ୍‍ ଦାବି କଲା ବିଜେଡି

ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ବିରୋଧିଦଳ ବିଜେଡି ଏବେ ଟାଟା ପାଓ୍ବାରର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇବା ସହିତ ଏହାର ଖର୍ଚ୍ଚର ଅଡିଟ୍‍ ଦାବି କରିଛି । ଏପରିକି ଅଧିକ ଦରରେ କ’ଣ ପାଇଁ ସ୍ମାର୍ଟ ମିଟର କିଣାଯାଇଛି ବୋଲି ଦଳର ଦୁଇ ପୂର୍ବତନ ଶକ୍ତି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ, ଓଡ଼ିଶାବାସୀଙ୍କୁ ନିରନ୍ତର ଓ ଗୁଣାତ୍ମକ ବିଦ୍ୟୁ ସେବା ଯୋଗାଇବା ପରିବର୍ତ୍ତେ ରାଜ୍ୟ ସରକାର ଓ ଟାଟା ପାୱାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ନିରୀହ ଉପଭୋକ୍ତା ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଓଡିଶାକୁ ଆସିବା ଆଗରୁ ପୂର୍ବ ବିଜେଡି ସରକାର ଶକ୍ତି ବିତରଣ କ୍ଷେତ୍ରରେ ଅନେକ ଭିତ୍ତିଭୂମି ସଜାଡିଥିଲେ । ଓଇଆରସିର ନିର୍ଦ୍ଦେଶ (ଭେଷ୍ଟିଂ ଅର୍ଡର) ମୁତାବକ ଟାଟା ପାୱାର ଓଡ଼ିଶାରେ ବିଜୁଳି ଶକ୍ତି ଭିତ୍ତିଭୂମିର ବିକାଶ କରିବା ପାଇଁ ୫୦୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିବାର ଥିଲା । ବର୍ତ୍ତମାନ ସୁଦ୍ଧା ଟାଟା ପାୱାର ଭିତ୍ତିଭୂମିର ବିକାଶ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି, ସେ ବାବଦରେ କୌଣସି ଅଡିଟ୍ ହୋଇନାହିଁ । ଉପଭୋକ୍ତାଙ୍କ ଉପରେ ପୂର୍ବରୁ ଥିବା ସମସ୍ତ ବକେୟାକୁ ଟାଟା ପାୱାର ଜୁଲମ କରି ଆଦାୟ କରୁଥିବାରୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ପୂର୍ବତନ ଶକ୍ତି ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ କହିଥିଲେ ଯେ, ସ୍ମାର୍ଟ ମିଟର ପାଇଁ ରାଜ୍ୟ ସରକାର ୭୩୫ କୋଟି ଟଙ୍କା ଟାଟା ପାୱାରକୁ ଅନୁଦାନ ଦେଇଛନ୍ତି । ତନ୍ମଧ୍ୟରୁ ୩୦୭ କୋଟି କମ୍ପାନୀ ଦ୍ୱାରା ପୂର୍ବରୁ ସ୍ଥାପିତ ହୋଇଥିବା ମିଟର ପାଇଁ ଏବଂ ୪୨୮ କୋଟି ଟଙ୍କା ନୂତନ ସ୍ମାର୍ଟ ମିଟର ସ୍ଥାପନ ନିମନ୍ତେ ଦିଆଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ପୂର୍ବରୁ କମ୍ପାନୀ ଦ୍ୱାରା ସ୍ଥାପିତ ହୋଇଥିବା ସ୍ମାର୍ଟ ମିଟରର ଖର୍ଚ୍ଚ ସରକାର ବହନ କଲେ ମଧ୍ୟ ଆଦାୟ କରାଯାଇଥିବା ଭଡା (ମିଟର ରେଣ୍ଟ୍) ଉପଭୋକ୍ତାଙ୍କୁ ଫେରାଯାଉ ନାହିଁ କାହିଁକି? ୟୁପି, ଦିଲ୍ଲୀ ଓ କର୍ଣ୍ଣାଟକ ଭଳି ଅନ୍ୟ ରାଜ୍ୟ ମାନଙ୍କରେ ସ୍ମାର୍ଟ ମିଟରର ମୂଲ୍ୟ ୩୦୦୦ ଟଙ୍କାରୁ କମ୍ ଥିଲା ବେଳେ ଓଡିଶାରେ ଏହା ୩୯୯୩ ଟଙ୍କା ବୋଲି ବିତରଣ କମ୍ପାନୀ ଦର୍ଶାଇଛି ।

ଗତ ମାର୍ଚ୍ଚ ୨୪ ତାରିଖରେ ୪ଟି ବିତରଣ କମ୍ପାନୀର ସିଏଜି ଅଡ଼ିଟ୍ ପାଇଁ ପଦକ୍ଷେପ ନେବାକୁ ଓଇଆରସି ପରାମର୍ଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନୀରବତା ସନେ୍ଦହ ସୃଷ୍ଟି କରୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିତରଣ କମ୍ପାନୀ ମାନେ ନିଜସ୍ୱ ଅଡିଟ୍ ନକରି ସିଏଜି ଅଡିଟ୍ କରିବା ପାଇଁ ଗତ ମେ’ ମାସରେ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ସିଏଜି ଅଡିଟ୍ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ପ୍ରତ୍ୟେକ ବିତରଣ କମ୍ପାନୀର ରାଜସ୍ୱ ଆଦାୟ, ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ ତଥା ଲାଭ କ୍ଷତି ବାବଦରେ ବାର୍ଷିକ ରିପୋର୍ଟ ସାର୍ବଜନୀନ କରାଯାଉ । ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ।

କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ, ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ବାହାନାରେ ଟାଟା ପାୱାର ବିଜୁଳି ଦର ବୃଦ୍ଧି କରିବାକୁ ଓଇଆରସି ନିକଟରେ ଦାବି କରିଆସୁଛି । ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ବାହାର ରାଜ୍ୟରୁ ଅଣଓଡିଆଙ୍କୁ ଆଣି ମୋଟା ଦରମାରେ ନିଯୁକ୍ତି ଦେଉଛି । ରାଜ୍ୟ ବାହାରର ଏଜେନ୍ସି ଜରିଆରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ସ୍ଥାନୀୟ ଯୁବକମାନଙ୍କୁ ଛଟେଇ କରାଯାଉଛି ।

ଏସ୍ଏଚଜିମାନଙ୍କୁ ବାହାର କରି ଅଣଓଡିଆ ଏଜେନ୍ସି ଜରିଆରେ, ମିଟର ରିଡିଙ୍ଗ୍, ବିଲିଂ, ବିଲ୍ ଆଦାୟ କରି ଏଥିରୁ ମଧ୍ୟ ଲାଭ ଗୋଟାଉଛି ଟାଟା ପାୱାର । ୨ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ମିଟର ଲଗାଇବାର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାରଙ୍କ ଠାରୁ ନେଇସାରିଲା ପରେ ମଧ୍ୟ ଉପଭୋକ୍ତା ମାନଙ୍କ ଠାରୁ ଆଦାୟ ହୋଇଥିବା ମିଟର ରେଣ୍ଟ୍ ବର୍ତ୍ତମାନ ସୁଦ୍ଧା ବିତରଣ କମ୍ପାନୀ ଫେରାଉ ନାହିଁ । ଉପଭୋକ୍ତାଙ୍କ ନିମନ୍ତେ ୧୯୯୨ ହେଲପଲାଇନ୍ ଥିଲେ ମଧ୍ୟ କୌଣସି ସେବା ମିଳୁ ନାହିଁ । ନିର୍ବାଚିତ ପ୍ରତିନିଧି ମାନଙ୍କ ଅଭିଯୋଗକୁ କୌଣସି ବିତରଣ କମ୍ପାନୀ ଗୁରୁତ୍ୱ ଦେଉନାହାନ୍ତି । ଏହିସବୁ ସମସ୍ୟା ପ୍ରତି ଆଖି ବୁଜିଦେଇ ରାଜ୍ୟ ବିଜେପି ସରକାର ଓ ଟାଟା ପାୱାର ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାରେ ଯଦି ପୂର୍ଣ୍ଣଚ୍ଛେଦ ନ ପଡ଼େ, ତେବେ  ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିଜେଡି ଚେତାବନୀ ଦେଇଛି ।