ଭୁବନେଶ୍ୱର : ସତ୍ୟାଗ୍ରହ ସଂଗ୍ରାମରେ ଓଡ଼ିଶାର ପ୍ରଥମ ରାଜବନ୍ଦିନୀ ସରଳା ଦେବୀଙ୍କ ଜନ୍ମ ଦିବସ ଘେନି ବିବାଦ ଲାଗି ରହିଛି । ଗୋଟିଏ ପଟେ ତାଙ୍କର ଜନ୍ମଦିନ ୧୯୦୪ ଅଗଷ୍ଟ ୧୯ ବୋଲି ସରକାରୀ ଭାବେ କୁହାଯାଉଥିବାବେଳେ ଅନ୍ୟପଟେ ରାଜ୍ୟ ସରକାର ତାଙ୍କ ଜନ୍ମଦିନ ୯.୮.୧୯୦୪ ବୋଲି ଦର୍ଶାଇଛନ୍ତି ।
ଏ ପ୍ରସଂଗରେ ସରଳା ଦେବୀଙ୍କ ଉତ୍ତରାଧିକାରୀମାନଙ୍କର ବି ଭିନ୍ନ ମତ ରହିଛି । ଗୋଟିଏ ଗୋଷ୍ଠୀ ଅଗଷ୍ଟ ୧୯କୁ ତାଙ୍କ ଜନ୍ମଦିନ ଭାବେ ପାଳନ କରୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ଅଗଷ୍ଟ ୯କୁ ଜନ୍ମଦିନ ଭାବେ ପାଳନ କରୁଛନ୍ତି । ଉଭୟ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବୁଦ୍ଧିଜୀବୀ, ପ୍ରଶାସକ ଓ ରାଜନେତା ମଧ୍ୟ ଯୋଗ ଦେଉଛନ୍ତି । ତେବେ ସରଳା ଦେବୀଙ୍କ ଭଳି ଜଣେ ଅଗ୍ରଗଣ୍ୟା ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ, ସୁସାହିତ୍ୟିକା, ସୁସଂଗଠିକା ଓ ନେତ୍ରୀଙ୍କ ଜନ୍ମଦିନକୁ ନେଇ ବିବାଦ ଲାଗି ରହିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି ।
ସୂଚନା ଅଧିକାର ଆଇନ୍ ଆଧାରରେ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ୧୮.୯.୨୦୨୪ରେ କଟକର ଜଣାଶୁଣା ଓକିଲ ବିଶ୍ୱଜିତ ପାଣିଙ୍କୁ ଯେଉଁ ତଥ୍ୟ ପ୍ରଦାନ କରାଯାଇଥିଲା ସେଥିରେ ସରଳା ଦେବୀଙ୍କ ଜନ୍ମ ୧୯୦୪ ଅଗଷ୍ଟ ୧୯ ତାରିଖରେ ବୋଲି ଉଲ୍ଲେଖ ରହିଛି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୭ରେ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନ ବେଳକୁ ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା ୬୦ ଥିଲା ଯେଉଁଥିରୁ ୫୬ଟି ପାଇଁ ନିର୍ବାଚନ କରାଯାଉଥିଲା । ସେତେବେଳେ ଦୁଇଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା । ଏହି କ୍ରମରେ କଟକରୁ ସରଳା ଦେବୀ ଓ ବ୍ରହ୍ମପୁରରୁ ଏ. ଲକ୍ଷ୍ମୀବାଈ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଅନ୍ୟପକ୍ଷରେ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାୟିକା ଓ ପ୍ରଥମ ମହିଳା ରାଜବନ୍ଦିନୀ ସରଳା ଦେବୀଙ୍କର ୧୨୩ ଜନ୍ମ ସମାରୋହ ପାଳିତ ହୋଇଛି । ଏଥିଲାଗି ସରଳା ଦେବୀ ସ୍ମାରକୀ ନ୍ୟାସ ଏବଂ ଓଡ଼ିଶା ସରକାରଙ୍କ ନାମରେ ଛପା ଯାଇଥିବା ନିମନ୍ତ୍ରଣ ପତ୍ରରେ ବିଧାନ ସୌଧ ପରିସରରେ ‘ସରଳା ଦେବୀଙ୍କ ପ୍ରତିମୂର୍ତ୍ତି ଅନାବରଣ ସହିତ ଜୟଦେବ ଭବନରେ ଜନ୍ମ ଉତ୍ସବ ସମାରୋହ ଏବଂ ରାଜନୀତିରେ ମହିଳାମାନଙ୍କ ଭୂମିକା’ ଶୀର୍ଷକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଛି । ଏହି ନିମନ୍ତ୍ରଣପତ୍ରରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ଏକାମ୍ର ବିଧାୟକ ଆଦିଙ୍କ ନାମ ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ଗୋଟିଏ ଗୋଷ୍ଠୀ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ଭୁବନେଶ୍ୱରରେ ସରଳା ଦେବତୀଙ୍କ ଜନ୍ମ ଉତ୍ସବ ପାଳନ କରୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ କଟକରେ ଅଗଷ୍ଟ ୧୯ରେ ଏହି ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଉଭୟ କାର୍ଯ୍ୟକ୍ରମରେ ବେଳେବେଳେ ସମାନ ଅତିଥିଙ୍କୁ ମଧ୍ୟ ଦେଖାଯାଏ ।
କେତେକ ପୁସ୍ତକରେ ସରଳା ଦେବୀଙ୍କ ଜନ୍ମ ତାରିଖ ଅଗଷ୍ଟ ୯ ଦର୍ଶାଯାଇଥିବାବେଳେ ଆଉ କେତେକ ପୁସ୍ତକରେ ତାଙ୍କ ଜନ୍ମ ତାରିଖକୁ ଅଗଷ୍ଟ ୧୯ ବୋଲି ଦର୍ଶାଯାଉଛି । ସରଳା ଦେବୀଙ୍କ ସଂପର୍କୀୟା ଅନ୍ନପୂର୍ଣ୍ଣ ମହାରାଣା ତାଙ୍କ ‘ଅମୃତାୟନ ସମାହୂତି’ ଓ ‘ସଂଗ୍ରାମୀ ସରଳା ଦେବୀ’ ଆଦି ପୁସ୍ତକରେ ସରଳା ଦେବୀଙ୍କ ଜନ୍ମ ଅଗଷ୍ଟ ୧୯ ତାରିଖ ବୋଲି ଉଲ୍ଲେଖ କରିଥିବାବେଳେ ଡ. ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ‘ଯଶୋଦେହେ ଆୟୁଷ୍ମାନ’ ପୁସ୍ତକ ଓ ପୁରୁଷୋତ୍ତମ ସିଂହଙ୍କ ‘ସ୍ୱାଧୀନତା ସଂଗ୍ରାମରେ ବାନର ସେନା’ ଆଦି ପୁସ୍ତକରେ ବି ଜନ୍ମ ତାରିଖକୁ ଅଗଷ୍ଟ ୧୯ ଦର୍ଶାଯାଇଛି । ଆଉ କେତେକ ପୁସ୍ତକରେ ସରଳା ଦେବୀଙ୍କ ଜନ୍ମ ତାରିଖ ଅଗଷ୍ଟ ୯ ବୋଲି ଲେଖାଯାଇଛି । ଏ ପରିପ୍ରେକ୍ଷୀରେ ଓଡ଼ିଶା ବିଧାନସଭା ସଚିବାଳୟ ସୂଚନା ଅଧିକାର ଆଇନ୍ ଆଧାରରେ ଦେଇଥିବା ତଥ୍ୟ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଲେଖକଙ୍କ ରଚନାରେ ସରଳା ଦେବୀଙ୍କ ଜନ୍ମ ତାରିଖକୁ ଭିନ୍ନଭିନ୍ନ ଦର୍ଶାଯିବା ଏବଂ ତାଙ୍କ ଉତ୍ତରାଧିକାରୀମାନେ ଏହି ପ୍ରସଂଗରେ ଦୁଇଟି ଗୋଷ୍ଠୀରେ ବିଭାଜିତ ହେବା ଏକ ବିଚିତ୍ର ଅବସ୍ଥା ସୃଷ୍ଟି କରିଛି । (ତଥ୍ୟ)

