Home Agriculture ଓଡିଶାରେ କୃଷିରେ ୭୦ ପ୍ରତିଶତ ମହିଳା

ଓଡିଶାରେ କୃଷିରେ ୭୦ ପ୍ରତିଶତ ମହିଳା

ଭୁବନେଶ୍ୱର : ସମଗ୍ର ଦେଶରେ କୃଷି କ୍ଷେତ୍ରରେ ହାରାହାରି ୬୦ ପ୍ରତିଶତ ମହିଳା କାର୍ଯ୍ୟ କରୁଥିବାବେଳେ ଓଡିଶାରେ ଏହା ପାଖାପାଖି ୭୦ ପ୍ରତିଶତ ରହିଛି । ତେବେ ରାଜସ୍ଥାନରେ ସର୍ବାଧିକ ମହିଳା କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣାଯାଇଛି ।

କୃଷି କ୍ଷେତରେ ମହିଳାଙ୍କ ଯୋଗଦାନ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ରାଜ୍ୟସଭାରେ ରଖିଥିବା ଉତ୍ତରରୁ ଏହା ଜଣ।।ଯାଇଛି । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ସମଗ୍ର ଦେଶରେ କୃଷି କ୍ଷେତରେ ମହିଳାଙ୍କ ଯୋଗଦାନ ୫୯.୮୧ ପ୍ରତିଶତ ରହିଥିବାବେଳେ ଓଡିଶାରେ ଏହା ୬୯.୧୦ ପ୍ରତିଶତ ରହିଛି । ରାଜସ୍ଥାନରେ ଏହା ସର୍ବାଧିକ ୭୮.୧୨ ପ୍ରତିଶତ ଥିବାବେଳେ ହିମାଚଳପ୍ରଦେଶରେ ୭୭.୩୪, ଝାଡଖଣ୍ଡରେ ୭୫.୫୭, ବିହାରରେ ୭୪.୫୮ ମଧ୍ୟପ୍ରଦେଶରେ ୭୨.୬୨, ନାଗାଲାଣ୍ଡରେ ୭୧.୬୮ ପ୍ରତିଶତ ରହିଛି । ସବୁଠାରୁ କମ୍‍ ୦.୪୮ ପ୍ରତିଶତ ଚଣ୍ଡିଗଡରେ ରହିଛି । ଏହି ରାଜ୍ୟରେ କୃଷି କ୍ଷେତ୍ରରେ ପ୍ରାୟତଃ ମହିଳାଙ୍କୁ ଦେଖିବାକୁ ମିଳିନଥାଏ ।

କୃଷି କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ସମେତ ସମସ୍ତ କୃଷକମାନଙ୍କ ପାଇଁ ସରକାର ଅନେକଗୁଡିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିଷାନ କ୍ରେଡିର୍ଟ କାର୍ଡରେ ଚାଷୀମାନଙ୍କୁ ୭ ପ୍ରତିଶତ ସୁଧରେ ଋଣ ଯୋଗାଣ ହେଉଥିବାବେଳେ ଯେଉଁମାନେ ନିୟମିତ ଋଣ ପରିଶୋଧ କରୁଛନ୍ତି ସେମାନଙ୍କୁ ୩ ପ୍ରତିଶତ ସୁଧ ଛାଡ କରାଯାଉଛି । ଫଳରେ ଏହି ଯୋଜନାରେ ଚାଷୀମାନେ ୪ ପ୍ରତିଶତ ସୁଧ ହାରରେ ଋଣ ପାଉଛନ୍ତି । ୨୦୨୪-୨୫ ବର୍ଷରେ ସାରା ଦେଶରେ ଏଥିରେ ପ୍ରାୟ ୫.୪ କୋଟି ଚାଷୀ ଲାଭବାନ୍‍ ହୋଇଛନ୍ତି ।

ସେହିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟକାରୀ ହେଉଛି । ୨୦୨୪-୨୫ ବର୍ଷରେ ଏଥିରେ ୨୧ ପ୍ରତିଶତ ମହିଳା ଚାଷୀ ସାମିଲ ହୋଇଛନ୍ତି । କୃଷି ଜ୍ଞାନକୌଶଳ ପରିଚାଳନା ସଂସ୍ଥା (ଆତ୍ମା) ଯୋଜନାରେ ରାଜ୍ୟ ସରକାରଙ୍କୁ ସହାୟତ ପ୍ରଦାନ କରାଯାଉଛି । ଏଥିରେ ମହିଳା ଚାଷୀମାନଙ୍କୁ ଅଗ୍ରାଧିକାର ଦିଆଯାଉଥିବାବେଳେ ସେମାନଙ୍କୁ ତାଲିମ, ପ୍ରଦର୍ଶନୀ ଆଦିରେ ସାମିଲ କରାଯାଉଛି । ଏହି ଯୋଜନାରେ ଅତି କମ୍‍ରେ ୩୦ ପ୍ରତିଶତ ମହିଳାଙ୍କର ଆବଶ୍ୟକ ହେଉଛି । କୃଷି କ୍ଷେତରେ ନୂତନ ଜ୍ଞାନକୌଶଳର ଉପଯୋଗ ପାଇଁ ପ୍ରତିଷ୍ଠା ହୋଇଥିବା କୃଷି ବିଜ୍ଞାନ କେନ୍ଦ୍ରରେ ମଧ୍ୟ ମହିଳା କୃଷକମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯାଉଛି । ପିଏମ-କିଷାନ ଯୋଜନାରେ କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଯୋଗାଇ ଦିଆଯାଉଥିବାବେଳେ ୨୩ତମ କିସ୍ତି ପ୍ରଦାନରେ ସମଗ୍ର ଦେଶରେ ୨କୋଟି ୧୮ଲକ୍ଷରୁ ଅଧିକ ମହିଳା ଚାଷୀ ଏହି ସହାୟତା ପାଇପାରିଛନ୍ତି ।

କେବଳ କୃଷି କ୍ଷେତ ନୁହେଁ, କୃଷି ଓ ଏହାର ସହାୟକ କ୍ଷେତ୍ରରେ ମଧ୍ୟ ମହିଳମାନଙ୍କର ବିଶେଷ ଯୋଗଦାନ ରହୁଛି । ସର୍ବଭାରତୀୟ ସ୍ତରରେ ଏଥିରେ ମହିଳାଙ୍କ ଯୋଗଦାନ ପ୍ରାୟ ୧୪ ପ୍ରତିଶତ ରହୁଥିବାବେଳେ ଓଡିଶାରେ ମହିଳାଙ୍କ ଯୋଗଦାନ ୪ ପ୍ରତିଶତରୁ ସାମାନ୍ୟ ଅଧିକ ରହିଛି । ଏ କ୍ଷେତ୍ରରେ କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷାଦୀପର ମହିଳାଙ୍କ ଯୋଗଦାନ ୪୧ ପ୍ରତିଶତରୁ ଅଧିକ ରହିଥିବାବେଳେ ଆନ୍ଧ୍ରପ୍ରଦେଶ ମହିଳାଙ୍କ ଯୋଗଦାନ ୩୦ପ୍ରତିଶତରୁ ଅଧିକ ରହିଛି । (ତଥ୍ୟ)