Home General ଫୁଡ୍‍ ପ୍ରୋରୁ ୬୬,୩୯୨ କୋଟିର ନିବେଶ ପ୍ରସ୍ତାବ

ଫୁଡ୍‍ ପ୍ରୋରୁ ୬୬,୩୯୨ କୋଟିର ନିବେଶ ପ୍ରସ୍ତାବ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ଆଜି ଶିଳ୍ପଜଗତରୁ ଆଜି ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସହ ୫୪,୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ଗତକାଲି ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ର ବ୍ୟାପକ ସଫଳତା ପରେ ଆଜି ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରର ପ୍ରମୁଖ ନିବେଶକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ୱାନ୍-ଅନ୍-ୱାନ୍ ବୈଠକ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ନୋଏଡ଼ାସ୍ଥିତ ହାୟର୍ ଉତ୍ପାଦନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ।

ଏହି ଦୁଇ ଦିନିଆ ଶିଳ୍ପ ଅଭିଯାନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଏବଂ ପୂର୍ବ ଭାରତର ଦ୍ରୁତ ବିକାଶର ଆଭିମୁଖ୍ୟ ଅନୁଯାୟୀ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ପ୍ରୟାସର ଏକ ଅଂଶ। ଉତ୍ପାଦନ, ପୁଞ୍ଜିନିବେଶ ଏବଂ ନିଯୁକ୍ତି-ଭିତ୍ତିକ ଅଭିବୃଦ୍ଧି ପାଇଁ ଓଡିଶାକୁ ଏକ ପ୍ରତିଯୋଗିତାମୂଳକ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ତା’ର ଉଦ୍ୟମକୁ ତ୍ୱରାନ୍ୱିତ କରୁଛି।

ହାୟର୍ ଉତ୍ପାଦନ କେନ୍ଦ୍ର ପରିଦର୍ଶନ ସମୟରେ ସେ ବରିଷ୍ଠ କମ୍ପାନୀ କର୍ମକର୍ତ୍ତା ଏବଂ ଇଂଜିନିଅର ମାନଙ୍କ ସହ ଆଲୋଚନା କରିଥିଲେ ଏବଂ କମ୍ପାନୀର ଉତ୍ପାଦନ ପ୍ରକ୍ରିୟା ଏବଂ ବ୍ୟବସ୍ଥାଗୁଡ଼ିକୁ ଅନୁଧ୍ୟାନ କରିଥିଲେ। ହାୟର୍ କମ୍ପାନୀର ଉନ୍ନତ ଉତ୍ପାଦନ ପଦ୍ଧତିଗୁଡ଼ିକୁ ବୁଝିବା ଏବଂ ବିଶେଷକରି ଇଲେକ୍ଟ୍ରୋନିକ୍ସ, ଗୃହୋପକରଣ, ସପ୍ଲାଏ ଚେନ୍ ଏବଂ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଉତ୍ପାଦନ ପରିବେଶକୁ ସୁଦୃଢ଼ କରିବା ପାଇଁ ଏବଂ ସମ୍ଭାବ୍ୟ ସୁଯୋଗଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ପାଇଁ ଏହି ପରିଦର୍ଶନ ଏକ ସୁଯୋଗ ପ୍ରଦାନ କରିଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏପରି ଏକ ଶିଳ୍ପ ବାତାବରଣ ସୃଷ୍ଟି କରୁଛି ଯେଉଁଠାରେ ଶିଳ୍ପଗୁଡ଼ିକର ଅଭିବୃଦ୍ଧି ହୋଇପାରିବ, ନିଯୁକ୍ତି ସୃଷ୍ଟି ହେବ ଏବଂ ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ମୁଲ୍ୟଯୁକ୍ତ ହୋଇପାରିବ। ଆମର ଲକ୍ଷ୍ୟ କେବଳ ପୁଞ୍ଜିନିବେଶ ଆକର୍ଷିତ କରିବା ନୁହେଁ, ବରଂ ନିଯୁକ୍ତି ସୃଷ୍ଟି କରିବା, ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ନୂତନ ସୁଯୋଗ ଖୋଲିବା। ଆମେ ଚାହୁଁଛୁ ଯେ ଅଭିବୃଦ୍ଧି ପାଇଁ ନିବେଶକମାନେ ଓଡ଼ିଶାକୁ ଏକ ଦୀର୍ଘକାଳୀନ ପାର୍ଟନର ଭାବରେ ଦେଖନ୍ତୁ।

ପ୍ରମୁଖ ଉତ୍ପାଦନ କ୍ଷେତ୍ରର ଶିଳ୍ପ ପ୍ରତିନିଧିମାନଙ୍କ ସହ ରାଉଣ୍ଡ ଟେବଲ ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ଆସୋସିଏସନ୍‌ର ସହଯୋଗରେ ଆୟୋଜିତ ଇଞ୍ଜିନିୟରିଂ ସାମଗ୍ରୀ ଉତ୍ପାଦନ ରାଉଣ୍ଡ ଟେବଲ ବୈଠକରେ ଓଡ଼ିଶାରେ ଉତ୍ପାଦନ, ଶିଳ୍ପ ଭିତ୍ତିଭୂମି, ଆନୁଷଙ୍ଗିକ ବିକାଶ ଏବଂ ଯୋଗାଣ ଶୃଙ୍ଖଳା ଏକତ୍ରୀକରଣ ନେଇ ଆଲୋଚନା ହୋଇଥିଲା।ନୋଏଡ଼ା ଆପାରେଲ୍ ଏକ୍ସପୋର୍ଟ କ୍ଲଷ୍ଟରର ସହଯୋଗରେ ନୋଏଡ଼ା ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଟେକ୍ସଟାଇଲ୍ ଏବଂ ପୋଷାକ ସମ୍ପର୍କିତ ରାଉଣ୍ଡ ଟେବଲରେ ବୟନଶିଳ୍ପ ଓ ପୋଷାକ ଉତ୍ପାଦନ, ରପ୍ତାନି ସୁଯୋଗ, ଦକ୍ଷ କର୍ମଚାରୀ ଏବଂ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ନାଲ୍‌କୋ ସହଯୋଗରେ ଆୟୋଜିତ ଆଲୁମିନିୟମ୍ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ୍ ରାଉଣ୍ଡ ଟେବଲରେ ଓଡ଼ିଶାରେ ଆଲୁମିନିୟମ୍ ମୂଲ୍ୟ ସଂଯୋଜନା, ଡାଉନଷ୍ଟ୍ରିମ୍ ଉତ୍ପାଦନ, ଆନୁଷଙ୍ଗିକ ଶିଳ୍ପ ଏବଂ ଏମ୍ଏସ୍‌ଏମ୍‌ଇ ର ଅଂଶଗ୍ରହଣକୁ ପ୍ରସାର କରିବା ପାଇଁ ଥିବା ସୁଯୋଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଏହି ଦୁଇ ଦିନିଆ ଅଭିଯାନର ଫଳସ୍ୱରୂପ ଏକାଧିକ କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୋଟ ପୁଞ୍ଜିନିବେଶ ପ୍ରସ୍ତାବ ୬୬,୩୯୨ କୋଟି ଟଙ୍କା ଥିବାବେଳେ, ୫୪,୧୩୫ଟି ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ଅବସରରେ ମୋଟ ୩୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ, ଏହାଦ୍ୱାରା ୬୪,୭୦୩ କୋଟି ଟଙ୍କାର ନିବେଶ ସୁଯୋଗ ଆସିଛି ଏବଂ ୪୬,୦୭୧ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହା ସହିତ ୧,୬୮୯ କୋଟି ଟଙ୍କାର ଇନ୍‌ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ମଧ୍ୟ ମିଳିଥିଲା, ଯାହାଦ୍ୱାରା ୮,୦୬୪ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି।

ଏହି ଅଭିଯାନକୁ ସମାପ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ପୂର୍ବୋଦୟ ପାଇଁ ଓଡ଼ିଶା ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଦୁଇ ଦିନ ମଧ୍ୟରେ ଶିଳ୍ପଜଗତଠାରୁ ମିଳିଥିବା ପ୍ରତିଶ୍ରୁତି ଅତ୍ୟନ୍ତ ଉତ୍ସାହଜନକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଏବଂ ଡବଲ୍ ଇଞ୍ଜିନ ସରକାରଙ୍କ ନେତୃତ୍ୱରେ ଆମେ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିକୁ ଏକ ନୂଆ ଶିଖରକୁ ନେଇଯିବା ପାଇଁ ପ୍ରତିଶ୍ରୁତିବଦ୍ଧ।”