ଭୁବନେଶ୍ୱର : ଭାରତ ଯେତିକି ପରିମାଣର ଫିନିସଡ୍ ଷ୍ଟିଲ୍ (ପ୍ରସ୍ତୁତ ଇସ୍ପାତ) ବିଦେଶକୁ ରପ୍ତାନି କରୁଛି ତାହା ଠାରୁ ଢେର ଅଧିକ ପରିମାଣର ଫିନିସଡ୍ ଇସ୍ପାତ ଆମଦାନୀ କରୁଛନ୍ତି । କୋରିଆ, ଜାପାନ ଓ ଚୀନ୍ରୁ ଏହି ଧରଣର ସର୍ବାଧିକ ପରିମାଣ ଇସ୍ପାତ ଆମଦାନୀ କରାଯାଉଛି ।
ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଭୂପତିରାଜୁ ଶ୍ରୀନିବାସ ଶର୍ମା । କେନ୍ଦ୍ରମନ୍ତ୍ରୀ ଦେଇଥିବା ସୂଚନାରୁ ଜଣାଯାଇଛି ଯେ ୨୦୨୧-୨୨ ବର୍ଷରେ ଭାରତ ବିଦେଶକୁ ପ୍ରାୟ ୧ଲକ୍ଷ କୋଟି ଟଙ୍କାର ଫିନିସ୍ଡ ଇସ୍ପାତ ରପ୍ତାନି କରିଥିବାବେଳେ ସେହିବର୍ଷ ୪୬ ହଜାର କୋଟି ଟଙ୍କାର ଇସ୍ପାତ ଆମଦାନୀ କରିଥିଲା । ହେଲେ ଏହା ପରଠାରୁ ରପ୍ତାନି ପରିମାଣ ହ୍ରାସ ପାଇବା ସହିତ ଆମଦାନୀ ପରିମାଣ ବଢିବାରେ ଲାଗିଛି । ୨୦୨୪-୨୫ ବର୍ଷରେ ଭାରତ ବିଦେଶକୁ ୪୦,୫୮୫ କୋଟି ଟଙ୍କାର ଫିନିସଡ୍ ଇସ୍ପାତ ରପ୍ତାନି କରିଥିବାବେଳେ ଆମଦାନୀ ହୋଇଥିବା ଇସ୍ପାତର ମୂଲ୍ୟ ଥିଲା ୮୦ ହଜାର କୋଟି ଟଙ୍କାରୁ ଅଧିକ । ୨୦୨୫-୨୫ ବର୍ଷରେ ୪୮ହଜାର କୋଟି ଟଙ୍କାର ଇସ୍ପାତ ରପ୍ତାନି ହୋଇଥିବାବେଳେ ଆମାଦାନୀ ପରିମାଣ ୬୧ ହଜାର କୋଟି ଟଙ୍କାକୁ ଟପି ଯାଇଥିଲା । ଚଳିତ ଆର୍ଥିକବର୍ଷରେ ଏପ୍ରିଲ-ଜୁନ୍ ସୁଦ୍ଧା ଭାରତ ୧୨,୪୭୫ କୋଟି ଟଙ୍କାର ଇସ୍ପାତ ରପ୍ତାନି କରିଥିବାବେଳେ ୨୦ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଇସ୍ପାତ ଆମଦାନୀ କରିଛି ।
ତେବେ ଗତ ୫ବର୍ଷ ମଧ୍ୟରେ ଦେଶରେ ଅଶୋଧିତ ଇସ୍ପାତ ବଢି ବଢି ଚାଲିଛି । ୨୦୨୧-୨୨ ବର୍ଷରେ ଏହାର ଉତ୍ପାଦନ ପରିମାଣ ୧୨୦ ନିୟୁତ ଟନ୍ ଥିବାବେଳେ ୨୦୨୪-୨୫ରେ ଏହା ୧୫୦ ନିୟୁତ ଟନ୍କୁ ଅତିକ୍ରମ କରିଥିଲା । ୨୦୨୫-୨୬ ବର୍ଷରେ ଅଶୋଧିତ ଉତ୍ପାଦନ ପରିମାଣ ୧୭୦ ନିୟୁତ ଟନକୁ ଅତିକ୍ରମ କରିଛି । ଏହିସବୁ ବର୍ଷଗୁଡିକରେ ଦେଶରେ ଉତ୍ପାଦିତ ହେଉଥିବା ଅଶୋଧିତ ଇସ୍ପାତ ମଧ୍ୟରୁ ଏହାର ବ୍ୟବହାର ୭୫ ପ୍ରତିଶତରୁ ଅଧିକ ରହିଛି ।
କେନ୍ଦ୍ରମନ୍ତ୍ରୀ ରଖିଥିବା ଉତ୍ତରରେ ଦର୍ଶାଇଛନ୍ତି ଯେ ଭାରତ ଯେଉଁସବୁ ଦେଶରୁ ଫିନିସଡ୍ ଇସ୍ପାତ ଆମଦାନୀ କରୁଛି ସେହି ଦେଶ ମଧ୍ୟରେ ରହିଛନ୍ତି କୋରିଆ, ଚୀନ୍, ଜାପାନ, ଭିଏତନାମ, ଋଷ୍, ତାଇୱାନ, ଜର୍ମାନୀ, ଫ୍ରାନ୍ସ, ଥାଇଲାଣ୍ଡ ଓ ନେପାଳ । ତେବେ ଭାରତକୁ ଏହିଧରଣର ଇସ୍ପାତ ରପ୍ତାନି କ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି କୋରିଆ, ଚୀନ୍ ଓ ଜାପାନ । ଆମଦାନୀ ଫିନିସଡ୍ ଇସ୍ପାତର ଏହି ତିନି ଦେଶ ପ୍ରାୟ ଅଧା ଯୋଗାଉଛନ୍ତି । ନେପାଳ ଭଳି ଦେଶ ଭାରତକୁ ବର୍ଷକୁ ୬୯ କୋଟି ଟଙ୍କାର ଇସ୍ପାତ ରପ୍ତାନି କରୁଛି ।
ବିଦେଶରୁ ଆମଦାନୀ ହେଉଥିବା ଇସ୍ପାତ ମଧ୍ୟରେ ଲୁହାଛଡ, ଲୁହାଖଣ୍ଡ, ଲୁହା ଚଦର, ଲୁହା କେବୁଲ ଓ ଲୁହା ପାଇପ୍ ଆଦି ରହିଛି । ଏହାଛଡା ରେଳବାଇ ପାଇଁ ଆବଶ୍ୟକ ଲୁହା ସହିତ ଲୁହା ପ୍ଲେଟ ମଧ୍ୟ ବିଦେଶରୁ ଆମଦାନୀ କରିବାକୁ ପଡୁଛି । ଏ ବାବଦରେ ବାର୍ଷିକ ହଜାର ହଜାର କୋଟି ଟଙ୍କା ଦେଶ ବାହାରକୁ ଯାଉଛି । (ତଥ୍ୟ)

