Home Finance ମୁଣ୍ଡପିଛା ଋଣ ୨୫ହଜାର ଟପିଲାଣି

ମୁଣ୍ଡପିଛା ଋଣ ୨୫ହଜାର ଟପିଲାଣି

ଭୁବନେଶ୍ୱର : ଦଶ ବର୍ଷ ଭିତରେ ଓଡିଶାରେ ମୁଣ୍ଡପିଛା ହାରାହାରି ଋଣ ପରିମାଣ ୧୧୭ ପ୍ରତିଶତ ବଢିଛି ।୨୦୧୪-୧୫ ବର୍ଷରେ ମୁଣ୍ଡପିଛା ଋଣ ପରିମାଣ ଓଡିଶାରେ ୧୧,୮୭୬ ଟଙ୍କା ଥିବାବେଳେ ୨୦୨୪-୨୫ରେ ତାହା ୨୫,୮୩୮ ଟଙ୍କାକୁ ବୃଦ୍ଧି ପାଇଛି । ଏବେ ତାହାର ପରିମାଣ ଆହୁରି ଅଧିକ ହେବବୋଲି ଅର୍ଥ ଶାସ୍ତ୍ରୀମାନେ ଆଶଙ୍କା କରୁଛନ୍ତି ।

ସରକାରୀ ତଥ୍ୟ ମୁତାବକ ୨୦୧୫-୧୬ ବର୍ଷରେ ଓଡିଶା ସରକାରଙ୍କ ମୋଟ୍‍ ଋଣ ପରିମାଣ ୫୨,୦୧୭.୩୩ କୋଟି ଟଙ୍କା ଥିଲା । ୨୦୨୫-୨୬ ବେଳକୁ ମୋଟ୍‍ ଋଣ ପରିମାଣ ୧,୨୦,୭୧୦ କୋଟି ୧୯ଲକ୍ଷ ଟଙ୍କାକୁ ଟପିଥିଲା । ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ଋଣ ପରିମାଣ ୧୩୨ ପ୍ରତିଶତରୁ ଅଧିକ ବଢିଥିବା କୁହାଯାଉଛି ।

୨୦୧୬-୧୭ ବର୍ଷରେ ଓଡିଶାର ଋଣ ବୋଝ ୬୨,୧୩୫ କୋଟି ୪୬ଲକ୍ଷ ଟଙ୍କା ଥିବାବେଳେ ୨୦୧୭-୧୮ରେ ଏହା ୭୩,୮୬୪ କୋଟି ୬୭ଲକ୍ଷ ଟଙ୍କାକୁ ଟପିଥିଲା । ରାଜ୍ୟର ଋଣ ବୋଝ କମିବା ପରିବର୍ତ୍ତେ ୨୦୧୮-୧୯ ବର୍ଷରେ ୮୧,୬୭୫ କୋଟି ୩୨ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ପରବର୍ଷରେ ରାଜ୍ୟର ଋଣ ପରିମାଣ ୯୨,୭୭୫କୋଟି ୧୮ଲକ୍ଷ ଟଙ୍କା ଥିଲା । ୨୦୨୦-୨୧ ବର୍ଷରେ କିନ୍ତୁ ରାଜ୍ୟର ଋଣ ବୋଝ ଲକ୍ଷେ କୋଟି ଟଙ୍କାକୁ ଟପି ୧,୦୪,୪୫୨କୋଟି ୨୧ ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।

ତେବେ ୨୦୨୧-୨୨ ବର୍ଷରେ ରାଜ୍ୟ ସରକାରଙ୍କର ଋଣ ବୋଝ ହ୍ରାସ ପାଇ ୯୭,୨୦୪ କୋଟି ୯୯ଲକ୍ଷ ଟଙ୍କାରେ ପହଞ୍ଚି ଥିବାବେଳେ ୨୦୨୨-୨୩ ବର୍ଷରେ ଏହା ପୁଣି ନିମ୍ନଗାମୀ ହୋଇ ୮୮,୧୬୪ କୋଟି ୮୩ଲକ୍ଷ ଟଙ୍କାକୁ ଖସିଥିଲା । କିନ୍ତୁ ୨୦୨୩-୨୪ ବର୍ଷରେ ରାଜ୍ୟ ସରକାରଙ୍କ ଋଣ ବୋଝ ପୁଣି ଉପରମୁହାଁ ହୋଇ ୯୬,୩୧୦ କୋଟି ୪୨ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଏହା ବଢି ବଢି ଏବେ ୧ଲକ୍ଷ ୩୫ହଜାର କୋଟି ଟଙ୍କାରେ ପହଞ୍ଚିଥାଇ ପାରେ ବୋଲି ଆକଳନ କରାଯାଉଛି ।

ରାଜ୍ୟ ବଜେଟର ପ୍ରମୁଖ ଅଂଶ ଋଣରୁ ଆସୁଥିବାବେଳେ ଋଣ ଓ ସୁଧ ପରିଶୋଧ ବାବଦ ବୋଝ ବି ବର୍ଷକୁ ବର୍ଷ ବଢି ବଢି ଚାଲୁଛି । ତେବେ ସରକାରଙ୍କ ପାଇଁ ଆଶ୍ୱାସନର ବିଷୟ ହେଉଛି ଯେ ଏଫ୍‍ଆରବିଏମ୍‍ ଆଇନ୍‍ ଅନୁଯାୟୀ ଜିଡିପି ତୁଳନାରେ ଋଣ ବୋଝ ନିର୍ଦ୍ଧାରିତ ସୀମା ୨୫ ପ୍ରତିଶତ ତଳକୁ ରହୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଏବେ କେନ୍ଦ୍ର ସରକାରଙ୍କ ଋଣ ବୋଝ ୨୦୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ପରିମାଣ ୨୧୮ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଭାରତ ସରକାରଙ୍କ ବଜେଟ୍‍ ଅଟକଳରୁ ଜଣାପଡୁଛି । ଏଥି ମଧ୍ୟରେ ବୈଦେଶିକ ଋଣର ପରିମାଣ ୫ଲକ୍ଷ କୋଟି ଟଙ୍କା ରହିଥିବା କୁହାଯାଉଛି । ଓଡିଶା ତୁଳନାରେ ଭାରତ ସରକାରଙ୍କ ଋଣ କିନ୍ତୁ ଜିଡିପି ତୁଳନାରେ ଢେର ଅଧିକ ରହୁଛି ।

ରାଜ୍ୟ ସରକାରମାନଙ୍କ ମୋଟାମୋଟି ଋଣ ପରିମାଣ ଏବେ ୧୫୦ଲକ୍ଷ କୋଟି ଟଙ୍କା ଆଡକୁ ମୁହାଁଉଥିବା କୁହାଯାଉଛି । ଏ ପରିପ୍ରେକ୍ଷୀରେ ଓଡିଶା ପାଇଁ ଆଶ୍ୱାସନାର କଥା ହେଉଛି ଯେ ପଞ୍ଜାବ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଭଳି ବହୁ ରାଜ୍ୟ ତୁଳନାରେ ଓଡିଶାର ଋଣଭାର ଢେର କମ୍‍ ରହିଛି । ରାଜ୍ୟ ସରକାରଙ୍କ ବଜେଟରେ ଆୟର ମୁଖ୍ୟାଂଶ ଖଣି, ଅବକାରୀ, ବାଣିଜ୍ୟକର, ଜିଏସ୍‍ଟି ଆଦିରୁ ଆସୁଛି । ବ୍ୟାପକ ଶିଳ୍ପାୟନ ଓ ଖଣି ଖନନ ସତ୍ୱେ ରାଜ୍ୟର ଋଣ ବୋଝ କିମ୍ବା ବେକାରୀ ସମସ୍ୟା ହ୍ରାସ ପାଉନାହିଁ । ଅର୍ଥଶାସ୍ତ୍ରୀମାନେ କହୁଛନ୍ତି ଯେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବା ସହିତ ସମବାୟ ଭିତ୍ତିରେ ଲବଣ,ବୟନ ଆଦି ଶିଳ୍ପର ବିକାଶ ଘଟିଲେ ଏବଂ ରାଜ୍ୟରେ ଉତ୍ପାଦିତ ହେଉଥିବା ଶିଳ୍ପ ସାମଗ୍ରୀକୁ ଆଧାର କରି ସହାୟକ ଶିଳ୍ପମାନ ସାଧାରଣ ଲୋକେ ପ୍ରତିଷ୍ଠା କଲେ ରାଜ୍ୟର ଅର୍ଥନୀତି ସୁଦୃଢ ହୋଇପାରିବ । (ତଥ୍ୟ)