ଭୁବନେଶ୍ୱର : ବନ୍ୟାରେ ପ୍ରାୟ ୨୩ ଜିଲ୍ଲା ଆଂଶିକ ବା ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ସ୍ଥିତି କ୍ରମଶଃ ସ୍ଵାଭାବିକ୍ ଅବସ୍ଥାକୁ ଆସୁଛି l ଅଦ୍ୟାବଧି ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ୩୫୬୭ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୭,୨୯୭ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି l ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଏହା ଅଧିକ ହୋଇପାରେ। ଏହି ପରିପ୍ରେକ୍ଷୀରେ ଆସନ୍ତା ଦିନେ ଦୁଇଦିନ ଭିତରେ ସମସ୍ତ ଜିଲ୍ଲାର ଚୂଡ଼ାନ୍ତ ରିପୋର୍ଟ ସହ ସମ୍ପୂର୍ଣ୍ଣ ତଥ୍ୟ ଆସିପାରିବ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି l
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରାଜ୍ୟର ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି l କ୍ଷୟକ୍ଷତି ଆକଳନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରାୟ ପ୍ରଭାବିତ ଜିଲ୍ଲାମାନଙ୍କର ରିପୋର୍ଟ ଇତିମଧ୍ୟରେ ରାଜ୍ୟସରକାରଙ୍କ ହସ୍ତଗତ ହୋଇଛି ; ତେବେ କିଛି ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ବନ୍ୟାଜଳ ପ୍ରଭାବ ହ୍ରାସ ହୋଇନଥିବାରୁ ପରିସ୍ଥିତିରେ ସୁଧାର ଆସିବା ପରେ ଯଥାଶୀଘ୍ର ସେ ସମସ୍ତ ଜିଲ୍ଲାର ରିପୋର୍ଟ ପଠାଇବାକୁ ସମ୍ପୃକ୍ତ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି l କ୍ଷୟକ୍ଷତି ଆକଳନ ସହ କ୍ଷତିପୂରଣ ପ୍ରଦାନ ତ୍ୱରାନିତ କରିବାକୁ ରାଜସ୍ବ ମନ୍ତ୍ରୀ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି l
ଜିଲ୍ଲାପାଳମାନେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବା ସହ ବନ୍ୟା ମୁକାବିଲା ପାଇଁ ପ୍ରଦତ୍ତ ଆର୍ଥିକ ସହାୟତାରୁ ତ୍ଵରିତ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାହା ମଧ୍ୟ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି l ସରକାର ୧୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ଏହା ସିଧାସଳଖ କ୍ଷତିଗ୍ରସ୍ତ ବ୍ୟକ୍ତିବିଶେଷ ବା ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ଅଧିକୃତ କରାଯାଇଛି l ସେହିପରି କ୍ଷତିଗ୍ରସ୍ତ ଜନସାଧାରଣଙ୍କ ଡାଟାବେସ୍ ପ୍ରସ୍ତୁତ କରି ବିଭାଗକୁ ପଠାଇବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି l
ବନ୍ୟା ମୁକାବିଲା ବ୍ୟବସ୍ଥାର ବିସ୍ତୃତ ଆଲୋଚନା କରି ବନ୍ୟାର ପ୍ରଚ୍ଛଦ ପରିସ୍ଥିତି ଓ କାରଣ, ଚଳିତ ବର୍ଷ ଏକାସାଙ୍ଗରେ ଏକାଧିକ ନଦୀରେ ବନ୍ୟା ଆସିବା, ଜଳ ନିଷ୍କାସିତ ହେବାରେ ରହିଥିବା ସମସ୍ୟା, ଘେରି ବନ୍ଧର ଆବଶ୍ୟକତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ରାଜସ୍ବ ମନ୍ତ୍ରୀ ଆଲୋଚନା କରିଥିଲେ l
ସେହିପରି ଯେଉଁ ଜାତୀୟ ରାଜପଥ ତଥା ଅନ୍ୟାନ୍ୟ ରାସ୍ତାମନେ ବନ୍ୟା ଜଳ ଆସିଲେ ପ୍ରଭାବିତ ହେଉଛନ୍ତି, ସେଇ ସବୁ ରାସ୍ତାର ମରାମତି ତଥା ଅନ୍ୟ ସମାଧାନ ବ୍ୟବସ୍ଥା ନିମନ୍ତେ ମଧ୍ଯ ପୂର୍ତ୍ତ ତଥା ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ସହ ଆଲୋଚନା କରାଯାଇଛି l ସେହିସବୁ ରାସ୍ତା ସମ୍ପର୍କରେ ଜିଲ୍ଲା ପ୍ରଶାସନ ରିପୋର୍ଟ ଦେବା ପରେ ସେଥିନିମନ୍ତେ ମଧ୍ଯ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭିତ୍ତିଭୂମି ସୁଦୃଢ଼ ନିମନ୍ତେ ପାଣ୍ଠି ପ୍ରଦାନ କରାଯିବ।

