Home General ଗୋଦାମରେ ଖାଦ୍ୟ ଶସ୍ୟ ଶୁଖିଯାଉଛି

ଗୋଦାମରେ ଖାଦ୍ୟ ଶସ୍ୟ ଶୁଖିଯାଉଛି

ଭୁବନେଶ୍ୱର : କେନ୍ଦ୍ରୀୟ ପଣ୍ୟାଗାର ନିଗମରେ ରହୁଥିବା ଖାଦ୍ୟ ଶସ୍ୟ ମଧ୍ୟରୁ ବର୍ଷକୁ ହାରାହାରି ହଜାରେ ମେଟ୍ରିକ ଟନ୍‍ ଶସ୍ୟ ପ୍ରାକୃତିକ ଉପାୟରେ ଶୁଖିଯାଉଛି । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ନିମୁବେନ୍‍ ଜୟନ୍ତୀଭାଇ ବାମ୍ଭନିଆ ।

କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାରେ ଭାରତୀୟ ଖାଦ୍ୟ ନିଗମ ନିକଟରେ ୫ଲକ୍ଷ ୨୧ ହଜାର ମେଟ୍ରିକ ଟନ୍‍ କ୍ଷମତାର ଗୋଦାମ ରହିଛି । ନିଗମର ନିଜସ୍ୱ ଗୋଦାମ କ୍ଷମତା ୨.୭୮ ଲକ୍ଷ ମେଟ୍ରିକ ଟନ୍‍ ହୋଇଥିବାବେଳେ କେନ୍ଦ୍ରୀୟ ପଣ୍ୟାଗାର ନିଗମରୁ ୧.୪୨ ଲକ୍ଷ ମେଟ୍ରିକ ଟନ୍‍ କ୍ଷମତା ଭଡାରେ ଆଣିଛି । ସେହିଭଳି ଖାଦ୍ୟ ନିଗମ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ନିକଟରୁ ୨ଲକ୍ଷ ମେଟ୍ରିକ ଟନ୍‍ କ୍ଷମତାର ଗୋଦାମଘର ମଧ୍ୟ ଭଡାରେ ନେଇଛି ।

କେନ୍ଦ୍ରୀୟ ପଣ୍ୟାଗାର ନିଗମର ଓଡିଶାରେ ଖାଦ୍ୟଶସ୍ୟ ମହଜୁଦ କରି ରଖିବାପାଇଁ ୫.୮୨ ଲକ୍ଷ ମେଟ୍ରିକ ଟନ୍‍ କ୍ଷମତାର ଗୋଦାମଘର ଥିବାବେଳେ ଏଥିରୁ ୧.୪୨ ଲକ୍ଷ ଟନ୍‍ର ଗୋଦାମ ଭାତୀୟ ଖାଦ୍ୟ ନିଗମକୁ ଭଡାରେ ଦେଇଛି । କେନ୍ଦ୍ରୀୟ ପଣ୍ୟାଗାର ନିଗମର ରାଜ୍ୟର ୨୦ଟି ଜିଲ୍ଲାରେ ଗୋଦାମଘର ରହିଥିବାବେଳେ ସର୍ବାଧିକ ୧ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ କ୍ଷମତାର ଗୋଦାମ ବରଗଡ ଜିଲ୍ଲାରେ ଅଛି । ସବୁଠାରୁ କମ୍‍ ୨୮୮୦ ମେଟ୍ରିକ ଟନ୍‍ କ୍ଷମତାର ଗୋଦାମ କେନ୍ଦୁଝର ଜିଲ୍ଲାରେ ରହିଛି ।

କେନ୍ଦ୍ରୀୟ ଗୋଦାମରେ ରହୁଥିବା ଖାଦ୍ୟ ଶସ୍ୟ ମଧ୍ୟରୁ ଏକ ବୃହତ୍‍ ପରିମାଣ ପ୍ରତିବର୍ଷ ନଷ୍ଟ ହେଉଛି । ଏହାକୁ କର୍ତ୍ତୃପକ୍ଷ ପ୍ରାକୃତିକ ଉପାୟରେ ଶସ୍ୟ ଶୁଖିଯିବା ଯୋଗୁଁ ହେଉଥିବା ଦର୍ଶାଉଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ରଖିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ବର୍ଷରେ କେନ୍ଦ୍ରୀୟ ଗୋଦାମରେ ଥିବା ଖାଦ୍ୟଶସ୍ୟ ମଧ୍ୟରୁ ୮୨୬ ମେଟ୍ରିକ ଟନ୍‍ ଶୁଖି ଯାଇଥିବାବେଳେ ୨୦୨୨-୨୩ ବର୍ଷରେ ଏହା୮୧୭ ମେଟ୍ରିକ ଟନ୍‍ ଥିଲା । ତେବେ ୨୦୨୩-୨୪ ବର୍ଷରେ ଏହି ପରିମାଣ ୫୭୧ ମେଟ୍ରିକ ଟନ୍‍କୁ ହ୍ରାସ ପାଇଥିଲା । କିନ୍ତୁ ୨୦୨୪-୨୫ ବର୍ଷରେ କେନ୍ଦ୍ରୀୟ ଗୋଦାମରେ ୧୦୫୯ମେଟ୍ରିକ ଟନ୍‍ ଖାଦ୍ୟ ଶସ୍ୟ ଶୁଖି ଯାଇଥିବାବେଳେ ୨୦୨୫-୨୬ ବର୍ଷରେ ଏଡା ୧୦୮୭ ମେଟ୍ରିକ ଟନକୁ ବୃଦ୍ଧି ପାଇଥିଲା ।

ତେବେ ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖକରିଛନ୍ତି ଯେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ କିମ୍ବା ଏହା ଅଧିନରେ ଥିବା କୌଣସି ସଂସ୍ଥା ପକ୍ଷରୁ ଗୋଦାମ ଘରର ଦକ୍ଷତା କିମ୍ବା ବିଜ୍ଞାନସମ୍ମତ ବ୍ୟବସ୍ଥା ଗ୍ରହଣ ନେଇ ସ୍ୱତନ୍ତ୍ର ଅଡିଟ୍‍ କରାଯାଇ ନାହିଁ । ତେବେ ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ କିନ୍ତୁ ନିୟମିତ ଭାବେ ଏଭଳି ଯାଞ୍ଚ କରାଯାଇଥାଏ । (ତଥ୍ୟ)