ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ ଓଡିଶାରେ ୨୦୨୦ ମସିହାରୁ ଚାଲିଛି । ରାଜ୍ୟର ୩୦ଟି ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି । ଏହି ଅଭିଯାନ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ମଧ୍ୟ ବିପୁଳ ପରିମାଣର ଆର୍ଥିକ ସହାୟତା ଯୋଗାଇଛନ୍ତି । ଏହା ସତ୍ୱେ ରାଜ୍ୟରେ ନିଶା କାରବାର କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଏମିତିକି କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୦୬ ରିପୋର୍ଟରେ ବି ଓଡିଶାରେ ବଢି ଚାଲୁଥିବା ନିଶା କାରବାର ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦିଆଯାଇଛି ।
ନିକଟରେ ଆଭାସି ମାଧ୍ୟମରେ ନିଶା ମୁକ୍ତ ଭାରତ ଅଭିଯାନରେ ଯୁବ ଓ ଛାତ୍ରମାନଙ୍କୁ ଯୋଡିବାପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡା, ଯୁବବ୍ୟାପାର ଏବଂ ସଂସ୍କୃତି ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମିଲ ହୋଇଥିବାବେଳେ ଉକ୍ତ କାର୍ଯ୍ୟକ୍ରମରେ ଅବକାରୀ କିମ୍ବା ସାମାଜିକ ସୁରକ୍ଷା ବିଭାଗର ମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା ।
ସରକାରୀ ହିସାବ ମୁତାବକ ୨୦୨୦-୨୧ ବର୍ଷରେ ରାଜ୍ୟର ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡିକ ମାଧ୍ୟରେ ମଦୁଆମାନଙ୍କୁ ପ୍ରାୟ ୨୦ କୋଟି ଲିଟର ମଦ ଯୋଗାଯାଇଥିବାବେଳେ ୨୦୨୩-୨୪ ବର୍ଷ ବେଳକୁ ତାହାର ପରିମାଣ ୪୦ କୋଟି ଲିଟରକୁ ବୃଦ୍ଧି ପାଇଛି । ଏହାଛଡା ବଢି ଚାଲିଥିବା ଚୋରା ମଦ, ଗଞ୍ଜେଇ, ବ୍ରାଉନସୁଗାର, କଫସିରପ ଓ ଅନ୍ୟାନ୍ୟ ନିଶା କାରବାର ଯୋଗୁଁ ବହୁ ଯୁବକ ଓ ଛାତ୍ର ସଂକ୍ରମିତ ହୋଇଛନ୍ତି ।
ନିଶା ନିବାରଣ ପାଇଁ ସଙ୍କଳ୍ପବଦ୍ଧ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଥିବା ସଂଗଠନମାନେ ବିଶେଷକରି ମହିଳାମାନେ ଉଭୟ ସରକାରୀ ଓ ଚୋରା ନିଶାର ସମ୍ପୂର୍ଣ୍ଣ ନିବାରଣ ପାଇଁ ଦାବିକରି ଆସୁଛନ୍ତି । ୨୦୦୦-୦୧ ବର୍ଷ ବେଳକୁ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୧୩୫ କୋଟି ୩୫ଲକ୍ଷ ଟଙ୍କା ଥିବାବେଳେ ଚଳିତବର୍ଷ ଏହା ୧୧ହଜାର କୋଟି ଟଙ୍କାକୁ ଟପିଯାଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି ।
ପୂର୍ବ ସରକାରମାନେ ନିଶା ଯୋଗୁଁ ବଢୁଥିବା ଅପରାଧ, ଶିଶୁ ଓ ମହିଳା ନିର୍ଯ୍ୟାତନା, ଦୁର୍ଘଟଣା, ସାମାଜିକ ବିଶୃଙ୍ଖଳା ଆଦିକୁ ଅସ୍ୱୀକାର କରି ଆସୁଥିବାବେଳେ ରାଜ୍ୟ ଯୁବ ନୀତିରେ କିନ୍ତୁ ନିଶା ଯୋଗୁଁ ଯୁବସମାଜ ପଥଭ୍ରଷ୍ଟ ହେଉଥିବା କଥା ସ୍ୱୀକାର କରାଯାଇଥିଲା ଏବଂ ଏଥିପାଇଁ ଆଲକୋହଲମୁକ୍ତ ଗ୍ରାମ ପ୍ରତିଷ୍ଠା ଲାଗି ମଧ୍ୟ ଘୋଷଣା କରାଯାଇଥିଲା । ଏହା ସତ୍ୱେ ନିଶା କମିବା ପରିବର୍ତ୍ତେ ବଢି ଚାଲିଛି । ଅନ୍ୟପକ୍ଷରେ ବର୍ଷକୁ ବର୍ଷ ନିଶା ଜନିତ ମାମଲା ସଂଖ୍ୟାବୃଦ୍ଧି ପାଉଥିବାବେଳେ ଏ କ୍ଷେତ୍ରରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଥିବାରୁ ନିଶା ବେପାରୀମାନେ ସେମାନଙ୍କ ସାମ୍ରାଜ୍ୟ ବୃଦ୍ଧି କରିବାରେ ଲାଗିଛନ୍ତି ।
ଓଡିଶା ବିଧାନସଭାରେ ପାରିତ ହେବାପରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିଥିବା ଓଡିଶା ନିଶା ନିବାରଣ ଆଇନ୍ – ୧୯୫୬କୁ ଏଯାବତ୍ କାର୍ଯ୍ୟକାରୀ କରାଯାଉ ନାହିଁ । କେବଳ ସେତିକି ନୁହେଁ, ପ୍ରଚଳିତ ଓଡିଶା ଅବକାରୀ ଆଇନ୍ର ୯୩ ଧାରାରେ ନିଶା ନିବାରଣ କଥା ଉଲ୍ଲେଖ ଥିବାବେଳେ ତାହା ଉପରେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସ୍ୱାଧୀନତା ସଂଗ୍ରାମ କାଳରେ ନିଶା ନିବାରଣ ଏକ ଘୋଷିତ କାର୍ଯ୍ୟକ୍ରମ ଥିଲା । ସମ୍ବିଧାନର ୪୭ ଧାରାରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନିଶା ନିବାରଣ କଥା ଉଲ୍ଲେଖ କରାଯାଇଛି । ୨୦୨୪ର ସାଧାରଣ ନିର୍ବାଚନବେଳେ ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ସଙ୍କଳ୍ପପତ୍ର ‘ଓଡିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି’ ରେ୨୦୨୯ ସୁଦ୍ଧା ନିଶାମୁକ୍ତ ଓଡିଶା କଥା କୁହାଯାଇଥିବା ପରିପ୍ରେକ୍ଷୀରେ ନିଶାମୁକ୍ତ ଭାରତ ଅଭିଯାନରେ ସାମିଲ ଥିବା କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଓଡିଶାରେ ସମ୍ପୂର୍ଣ୍ଣ ନିଶା ନିବାରଣ ଲାଗୁ କରିବାପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ବଢି ଚାଲିଛି । (ତଥ୍ୟ)

