Home Agriculture ଜୈବିକ ଚାଷରେ କନ୍ଧମାଳ ଏକ ନମ୍ବର

ଜୈବିକ ଚାଷରେ କନ୍ଧମାଳ ଏକ ନମ୍ବର

ଭୁବନେଶ୍ୱର : ନିଜର ଜୈବିକ ଅଦା ଓ ହଳଦୀ ପାଇଁ ଦେଶ ବିଦେଶରେ ବେଶ୍‍ ପରିଚିତ କନ୍ଧମାଳ ଜିଲ୍ଲା ଜୈବିକ ଚାଷ କ୍ଷେତ୍ରରେ ମଧ୍ୟ ଏକ ନମ୍ବର । ଏହି ଜିଲ୍ଲାରେ ଚାଷୀମାନେ ପାଖପାଖି ୧୦ହଜାର ହେକ୍ଟର ଜମିରେ ଜୈବିକ ଚାଷ କରୁଛନ୍ତି ।

ରାଜ୍ୟରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ଏକାଧିକ ଯେଜାନା କାର୍ଯ୍ୟକାରୀ ହେଉଛି । ୧୮ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାଗୁଡିକ ହେଲା ପରମ୍ପରାଗତ କୃଷି ବିକାଶ ଯୋଜନା, ଜାତୀୟ ପ୍ରାକୃତିକ କୃଷି ମିଶନ ଏବଂ ବଳଭଦ୍ର ଜୈବିକ ଚାଷ ମିଶନ । ଏହି ମିଶନ ଜରିଆରେ ଅମୃତ ଅନ୍ନ ଯୋଜନା ଓ ଜୈବିକ ସାରର ପ୍ରସାର ଆଦି ରହିଛି ।

ପରମ୍ପରାଗତ କୃଷି ବିକାଶ ଯୋଜନା ଚାରିଟି ଜିଲ୍ଲା ଯଥା କନ୍ଧମାଳ, କେନ୍ଦୁଝର କୋରାପୁଟ ଓ ମୟୁରଭଞ୍ଜ ଜିଲ୍ଲାରେ କାର୍ଯ୍ୟାକାରୀ ହେଉଛି । କନ୍ଧମାଳ ଓ ମୟୁରଭଞ୍ଜରେ ସର୍ବାଧିକ ୨ହଜାର ହେକ୍ଟରରେ ଏହା ହେଉଥିବାବେଳେ କୋରାପୁଟରେ ୧୫୦୦ ଓ କେନ୍ଦୁଝର ଜିଲ୍ଲାରେ ୧୦୦୦ ହେକ୍ଟରରେ ଜୈବିକ ଚାଷ କରାଯାଉଛି । ସେହିଭଳି ପ୍ରାକୃତିକ କୃଷି ମିଶନ ଯୋଜନା ୧୦ଟି ଜିଲ୍ଲାରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଉଛି । ଏହିସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଅନୁଗୁଳ, ବଲାଙ୍ଗିର, ବରଗଡ, ଦେବଗଡ, ଢେଙ୍କାନାଳ, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ । ଏହିସବୁ ଜିଲ୍ଲାରେ ୨୪ହଜାର ହେକ୍ଟରରୁ ଅଧିକ ଜମିରେ ଜୈବିକ ଚାଷ କରାଯାଉଛି ।

୨୭୦ ହେକ୍ଟର ଜମିରେ ଅମୃତ ଅନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଚାରିଟି ଜିଲ୍ଲା ଯଥା ବରଗଡ, କଟକ, ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରେ ଏହା ସୀମିତ ରହିଛି । ବରଗଡ ଜିଲ୍ଲାରେ ସର୍ବାଧିକ ୯୦ ହେକ୍ଟର ଜମିରେ ଅମୃତ ଅନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ କଟକ ଓ କୋରାପୁଟ ଏହା ୮୦ହେକ୍ଟର କରି ରହିଛି । ଖୋର୍ଦ୍ଧା ଜିଲ୍ଲାରେ ଏହାର ପରିମାଣ ମାତ୍ର ୨୦ ହେକ୍ଟର ରହିଛି ।

ତେବେ ବଳଭଦ୍ର ଜୈବିକ ଚାଷ ମିଶନ ଜରିଆରେ ଚାଲିଥିବା ଜୈବିକ ସାରର ପ୍ରସାର ଯୋଜନାରେ ରାଜ୍ୟରେ ୧୬ହଜାର ହେକ୍ଟରରୁ ଅଧିକ ଜମି ସାମିଲ ରହିଛି । ଏଥି ମଧ୍ୟରେ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୭୪୫୩ ହେକ୍ଟର ଜମି ଥିବାବେଳେ ମାଲକାନଗିରି ଜିଲ୍ଲାରେ ଏହାର ପରିମାଣ ୫୫୪୭ ହେକ୍ଟର, ମୟୁରଭଞ୍ଜରେ ୨୬୦୦ ହେକ୍ଟର, କୋରାପୁଟରେ ୨୧୮୦ ହେକ୍ଟର ରହିଛି ।

ଜୈବିକ ପଦ୍ଧତିରେ ଚାଷ କରିବାପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ସେମାନଙ୍କର ଆୟ ବୃଦ୍ଧି ପାଇଁ ଜୈବିକ ଉତ୍ପାଦଗୁଡିକର ପ୍ରାଥମିକ ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ କରାଯାଉଛି । ତେବେ ଜୈବିକ ପଦ୍ଧତିରେ ହେଉଥିବା ଫସଲ ମଧ୍ୟରେ ରହିଛି ଦେଶୀ ବାସନା ଧାନ, ମୁଗ, ବିରି, ହରଡ, ଝୁଡଙ୍ଗ, ରାଶି, ସୋରିଷ, ଅଳସି, ଅଦା, ହଳଦୀ ଓ ଅନ୍ୟାନ୍ୟ ପନିପରିବା । ଉଭୟ ଜାତୀୟ ଓ ଅର୍ନ୍ତଜାତାୟ ବଜାରରେ ଜୈବିକ ପଦ୍ଧତିରେ ହେଉଥିବା ଫସଲର ବେଶ୍‍ ଚାହିଦା ଥିବାରୁ ବିଭିନ୍ନ ଜିଲ୍ଲାରେ ଚାଷୀମାନେ ଏହି ଚାଷ ପଦ୍ଧତିକୁ ଆପଣେଇବା ସହିତ ରପ୍ତାନି ସୁଯୋଗର ଲାଭ ଉଠାଉଛନ୍ତି । ତେବେ ଧାନ କ୍ଷେତରେ ଜୈବିକ ଚାଷପାଇଁ ଆବଶ୍ୟକ ହେଉଥିବା ଧନିଚା ଭଳି ସବୁଜ ସାରର ଅହେତୁକ ଦରବୃଦ୍ଧି ଓ ଠିକଣା ସମୟରେ ଉପଲବ୍ଧ ହେଉନଥିବାରୁ ଚାଷୀମାନେ ଚାହିଁଲେ ମଧ୍ୟ ଜୈବିକ ଚାଷର ଲାଭ ଉଠାଇ ପାରୁନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)