ଭୁବନେଶ୍ୱର : ପରିବେଶ ପ୍ରଦୂଷଣ ରୋକିବା ପାଇଁ ଫ୍ଲେକ୍ସ ବ୍ୟାନର୍ ଓ ବିଜ୍ଞାପନ ସାମଗ୍ରୀ ଉପରେ କଟକଣା ଜାରି କରି ନଗର ଉନ୍ନୟନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନଗୁଡ଼ିକୁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାର ଖୋଲା ଉଲ୍ଲଂଘନ ହେଉଥିବା ଘେନି ବହୁ ପରିବେଶ ପ୍ରେମୀ ଅଭିଯୋଗ କରୁଛନ୍ତି ।
ଗଣମାଧ୍ୟମରେ ପ୍ରକାଶିିତ ତଥ୍ୟ ମୁତାବକ ସରକାରୀ କାର୍ଯ୍ୟକ୍ରମ, ଉତ୍ସବ ଓ ପର୍ବପର୍ବାଣୀ ଆଦିରେ ଫ୍ଲେକ୍ସ ବ୍ୟାନର୍ ବ୍ୟବହାରକୁ ନଗର ଉନ୍ନୟନ ବିଭାଗ ବାରଣ କରିବା ସହିତ ଏ ସଂକ୍ରାନ୍ତରେ ରାଜ୍ୟର ସମସ୍ତ ପୌରପାଳିକା, ମହାନଗର ନିଗମ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏ ସଂକ୍ରାନ୍ତୀୟ ଖବର ଗତ ଜୁଲାଇ ମାସ ଶେଷ ସପ୍ତାହରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରାଯାଇଛି । ତେବେ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଗଞ୍ଜାମ ଜିଲ୍ଲାରେ ଏବେ ଖୋଲାଖୋଲି ଭାବେ ରାସ୍ତାକଡ଼ରେ ମାଳମାଳ ଫ୍ଲେକ୍ସ ବ୍ୟାନର୍ ଲାଗିଛି ।
ଏଠାରେ ଉଲ୍ଲେଖନୀୟ ଯେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କ ଓଡ଼ିଶା ଗସ୍ତ ସମୟରେ ରାଜଧାନୀ ଭୁବନେଶ୍ୱରରୁ ସଡ଼କ ପଥରେ କଟକ ଜିଲ୍ଲାର ବାଆଁରା ଏବଂ ଅନ୍ୟ ଏକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଗସ୍ତ କରିବାର ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରାଜଧାନୀସାରା ବଡ଼ବଡ଼ ଫ୍ଲେକ୍ସ ଓ ହୋର୍ଡିଂମାନ ଲାଗିଛି । ଯେଉଁଥିରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ରଙ୍ଗିନ ଫଟୋମାନ ସ୍ଥାନ ପାଇଛି ।
ତେବେ ଏହି ଫ୍ଲେକ୍ସ ବ୍ୟାନର୍ଗୁଡ଼ିକ ରାଜ୍ୟ ସରକାର ଲଗାଇ ନାହାନ୍ତି, ତାହା ଏକ ବେସରକାରୀ ସଂସ୍ଥା ଲଗାଇଛନ୍ତି ବୋଲି କୁହାଯାଉଛି । ସେହିପରି ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ଆଖି ଆଗରେ ରଖି ମଧ୍ୟ ବ୍ୟାପକ ସଂଖ୍ୟକ ଫ୍ଲେକ୍ସ ଲାଗିଥିବା ଦେଖାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ଫ୍ଲେକ୍ସ ବ୍ୟାନର୍ ଉପରେ ନଗର ଉନ୍ନୟନ ବିଭାଗ ଯେଉଁ କଟକଣା ଜାରି କରିଛନ୍ତି ତାହା ରାଜ୍ୟର ସମସ୍ତ ମହାନଗର ନିଗମ ଓ ପୌର ସଂସ୍ଥା ପାଇଁ ପ୍ରଯୁଜ୍ୟ । ଅନେକ ସ୍ଥଳରେ ବେପରୁଆ ଭାବେ ଫ୍ଲେକ୍ସ ବ୍ୟାନର୍ ଓ ହୋର୍ଡିଂ ଆଦି ଲଗାଯାଉଥିବାରୁ ତାହା ଯାନବାହନ ଚଳାଚଳ ପାଇଁ ବିପଦ ସୃଷ୍ଟି କରୁଛି । ତେବେ ତଳିଆ କ୍ଷେତ୍ର ଅଧିକାରୀମାନେ ଏହି ଫ୍ଲେକ୍ସ ଓ ହୋର୍ଡିଂ ଆଦିକୁ ହଟାଇବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି ।
ଫ୍ଲେକ୍ସ ହୋର୍ଡିଂ ଆଦି ଏବେ ଯେଉଁସବୁ ପ୍ଲାଷ୍ଟିକଯୁକ୍ତ ପଦାର୍ଥରେ ତିଆରି ହେଉଛି ତାହା ମାଟିରେ ମିଳାଇଯାଏ ନାହିଁ । ଅନେକ କ୍ଷେତ୍ରରେ ଫ୍ଲେକ୍ସ ବ୍ୟାନର, ହୋର୍ଡିଂ ଆଦି ମାରିବା ପୂର୍ବରୁ ସଂପୃକ୍ତ ପୌର ସଂସ୍ଥା ଓ ଅନ୍ୟ ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନିଆଯାଉ ନାହିଁ । ଏମିତିକି କାର୍ଯ୍ୟକ୍ରମ ସରିବା ପରେପରେ ସଂପୃକ୍ତ ସଂସ୍ଥା ମଧ୍ୟ ଫ୍ଲେକ୍ସ ବ୍ୟାନର୍ ଆଦି ବିଜ୍ଞାନ ସମ୍ମତ ପଦ୍ଧତିରେ ନଷ୍ଟ କରୁନାହାନ୍ତି । ଫଳରେ ସଂଖ୍ୟାଧିକ କ୍ଷେତ୍ରରେ ପୌର ସଂସ୍ଥା ଗୁଡ଼ିକ ନିଜ ଖର୍ଚ୍ଚରେ ଫ୍ଲେକ୍ସ ବ୍ୟାନର୍, ହୋର୍ଡିଂ ଆଦିକୁ ଖୋଲୁଥିଲେ ମଧ୍ୟ ସଂଖ୍ୟାଧିକ କ୍ଷେତ୍ରରେ ବିଜ୍ଞାନ ସମ୍ମତ ପଦ୍ଧତିରେ ଏଗୁଡ଼ିକ ନଷ୍ଟ କରାଯାଉ ନାହିଁ ।
ଫ୍ଲେକ୍ସ ବ୍ୟାନର୍ ଆଦିରେ ପ୍ଲାଷ୍ଟିକ ଓ ଅନ୍ୟ ଅଣଜୈବ ବିଘଟନକାରୀ ସାମଗ୍ରୀ ରହୁଥିବାରୁ ତାହା ମାଟିରେ ମିଳାଉନାହିଁ । କିଛି ମାସ ଧରି ଏଗୁଡ଼ିକ ଖରା-ବର୍ଷାରେ ପଡ଼ିରହିଲେ ଏହି ଫ୍ଲେକ୍ସ ବ୍ୟାନର୍ ଆଦି ଗୁଣ୍ଡ ହୋଇ ମାଟି, ପାଣି ଓ ପବନରେ ମିଶେ । ଏହି ପ୍ଲାଷ୍ଟିକ୍ କଣିକା ମଣିଷ ଓ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେବା ସହିତ ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣ କରି ସାଙ୍ଘାତିକ ରୋଗବ୍ୟାଧିମାନ ସୃଷ୍ଟି କରେ । ଏହି ଗୁରୁତର ସମସ୍ୟାକୁ ଆଖି ଆଗରେ ରଖି ନଗର ଉନ୍ନୟନ ବିଭାଗ ପକ୍ଷରୁ ଫ୍ଲେକ୍ସ ବ୍ୟାନର୍ ଉପରେ କଟକଣା ଜାରି କରାଯାଇଥିବାବେଳେ ତାହାକୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଖୋଲା ଉଲ୍ଲଂଘନ କରାଯାଉଥିବା ଘେନି ଅଭିଯୋଗମାନ ଆସୁଛି । (ତଥ୍ୟ)

