ଭୁବନେଶ୍ୱର : ମଦମୁକ୍ତ ଓଡ଼ିଶା ଦାବିରେ ରାଜଧାନୀରେ ଚାଲିଥିବା ତ୍ରିରଙ୍ଗା ଯାତ୍ରା ୫୦ଦିନରେ ପହଞ୍ôଚଛି । ବିଧାନସଭା ସମ୍ମୁଖରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିଠାରୁ ପ୍ରତିଦିନ ଅପରାହ୍ଣରେ ତ୍ରିରଙ୍ଗା ଯାତ୍ରା ବାହାରି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ସରକାରୀ ଆବାସ ସମ୍ମୁଖ ଦେଇ ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଆସୁଛି । ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକେ ସାମିଲ ହେଉଛନ୍ତି ।
‘ମୋନା’ ପକ୍ଷରୁ ଚାଲିଥିବା ଏହି ତ୍ରିରଙ୍ଗା ଯାତ୍ରାରେ ଗତ ନିର୍ବାଚନ ସାଧାରଣ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଓଡ଼ିଶା ପାଇଁ ଦିଆଯାଇଥିବା ମୋଦିଙ୍କ ଗ୍ୟାରେଣ୍ଟିକୁ ମନେ ପକାଇ ଦିଆଯାଇ ଓଡ଼ିଶାର ବିଜେପି ସରକାର ତାଙ୍କ ନିଜ ସଂକଳ୍ପକୁ ନିଜେ ଅନୁପାଳନ କରିବା ପାଇଁ କୁହାଯାଉଛି । ତ୍ରିରଙ୍ଗା ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଅବକାରୀ ମନ୍ତ୍ରୀଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପିର ସଂକଳ୍ପ ପତ୍ରରେ ଥିବା ମୋଦିଙ୍କ ଗ୍ୟାରେଣ୍ଟି ସଂପର୍କରେ ମନେ ପକାଇ ଦିଆଯାଇଥିଲା । ଏହା ସତ୍ତ୍ୱେ ଓଡ଼ିଶାରେ ବିଜେପି ସରକାରର ୨ବର୍ଷ ପୂର୍ତ୍ତି ପୂର୍ବରୁ ଦଳୀୟ ସଂକଳ୍ପର ଅନୁପାଳନ ସଂକ୍ରାନ୍ତରେ କିଛି ସୂଚନା ନମିଳିବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ତ୍ରିରଙ୍ଗା ଯାତ୍ରା ଚାଲୁଛି ।
ମୋନା ପକ୍ଷରୁ କୁହାଯାଇଛି ଯେ ଯଦି ଅକ୍ଟୋବର ୨ ସୁଦ୍ଧା ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ମୋନାର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଶତାୟୁ ପଦ୍ମଚରଣ ନାୟକ ଆମରଣ ଅନଶନରେ ବସିବେ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟ ନିଶାମୁକ୍ତି ଆନ୍ଦୋଳନକୁ ଏ ପରିପ୍ରେକ୍ଷୀରେ ଜୋରଦାର କରାଯିବ ।
ଓଡ଼ିଶା ମଦମୁକ୍ତି ଅଭିଯାନ ସମେତ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଓଡ଼ିଶାରେ ବୃଦ୍ଧି ପାଉଥିବା ଉଭୟ ସରକାରୀ ଓ ଚୋରା ନିଶା ସାମଗ୍ରୀ ଘେନି ଉଦ୍ବେଗ ପ୍ରକାଶ କରିଆସୁଛନ୍ତି । ଓଡ଼ିଶାର ଯୁବ ଶକ୍ତି ନିଶା ଯୋଗୁ ନଷ୍ଟଭ୍ରଷ୍ଟ ହେଉଥିବା କଥା ମଧ୍ୟ ସ୍ୱୀକାର କରାଯାଉଛି । ଏମିତିକି ପ୍ରାୟ ପ୍ରତିଦିନ କୋଟି କୋଟି ଟଙ୍କାର ଚୋରା ନିଶା ସାମଗ୍ରୀ ଜବତ ହେଉଥିବା ସମ୍ବାଦ ସହିତ ବିଭିନ୍ନ କିସମର ନିଶା ଜନିତ ଅପରାଧ, ଦୁର୍ଘଟଣା, ଆତ୍ମହତ୍ୟା ଆଦି ସଂକ୍ରାନ୍ତରେ ବି ଖବର ପ୍ରକାଶ ପାଉଛି ।
କେନ୍ଦ୍ର ସରକାର ଓଡ଼ିଶାର ୩୦ଟିଯାକ ଜିଲ୍ଲାରେ ‘ନିଶାମୁକ୍ତ ଭାରତ’ ଅଭିଯାନ ଚଳାଉଛନ୍ତି ଏବଂ ଏ ବାବଦରେ ଓଡ଼ିଶାକୁ ମଧ୍ୟ ପ୍ରଚୁର ଅର୍ଥ ମିଳୁଛି । ଏହା ସତ୍ତ୍ୱେ ନିଶାମୁକ୍ତ ପରିବର୍ତ୍ତେ ଦିନକୁ ଦିନ ଅଧିକରୁ ଅଧିକ ଲୋକ ନିଶାଯୁକ୍ତ ହେଉଛନ୍ତି । ସେହିପରି ଓଡ଼ିଶା ରାଜ୍ୟ ଯୁବ ନୀତିରେ ନିଶାମୁକ୍ତ ଗ୍ରାମ ସଂକ୍ରାନ୍ତରେ ଯେଉଁ ଘୋଷଣା କରାଯାଇଥିଲା ତାହା କାର୍ଯ୍ୟକାରୀ ହେଉନାହିଁ । ନିଶା ଯୋଗୁ ଅନେକ ପରିବାର ବରବାଦ ହେଉଥିବା ସହିତ ବ୍ୟକ୍ତି, ସମାଜ, ରାଜ୍ୟ ଓ ରାଷ୍ଟ୍ରର ବି ବିପୁଳ କ୍ଷତି ହେଉଛି । ବିରୋଧୀ ଦଳରେ ଥିବାବେଳେ ବିଜେପିର ନେତାମାନେ ନିଶା ବିରୋଧରେ ସ୍ୱର ଉଠାଉଥିଲେ । ଏବେ କିନ୍ତୁ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠିତ ଥାଇ ବି ପ୍ରଚଳିତ ଓଡ଼ିଶା ଅବକାରୀ ଆଇନ୍ର ୯୩ ଧାରା ଏବଂ ଓଡ଼ିଶା ନିଶା ନିବାରଣ ଆଇନ୍ ଅନୁଯାୟୀ ସରକାର ନିଶା ନିବାରଣ କରୁନଥିବା ଘେନି ମଦମୁକ୍ତି ଅଭିଯାନ ଓ ମୋନା ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଛି ।
ସରକାରୀ ତଥ୍ୟ ମୁତାବକ ବିଗତ ୪ବର୍ଷ ମଧ୍ୟରେ ଓଡ଼ିଶାରେ ଲାଇସେନ୍ସ ପ୍ରାପ୍ତ ଦୋକାନଗୁଡ଼ିକ ମାଧ୍ୟମରେ ନିଶା କାରବାର ଦୁଇଗୁଣରୁ ଅଧିକା ବଢ଼ିଥିବାବେଳେ ଚୋରା ନିଶା କାରବାରର ପରିମାଣ କେତେ ତାହା କେହି ନିର୍ଦ୍ଧାରଣ କରିପାରୁ ନାହାନ୍ତି । ଏଭଳି ସ୍ଥିତିରେ ଆଗାମୀ ଦିନରେ ସରକାରଙ୍କ ଆଭିମୁଖ୍ୟ ନିଶା ନିବାରଣ ସଂକ୍ରାନ୍ତରେ କ’ଣ ହେବ ତାହା ଉପରେ ବହୁ ମହିଳା ସଂଗଠନ ସହିତ ସ୍ୱେଚ୍ଛାସେବୀ ସଂସ୍ଥା ଓ ସଚେତନ ବ୍ୟକ୍ତିବିଶେଷଙ୍କ ନଜର ରହିଛି ।

