ଭୁବନେଶ୍ୱର : ବିଗତ ବର୍ଷମାନଙ୍କ ପରି ଚଳିତ ଶିକ୍ଷା ବର୍ଷରେ ବି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଲାଗି ଛାତ୍ର ସଂସଦ ନିର୍ବାଚନ ହେବା ସମ୍ଭାବନା ନାହିଁ । ବହୁ କ୍ଷେତ୍ରରେ ଅଭିଭାବକ, କଲେଜ୍ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏମିତିକି ଛାତ୍ରଛାତ୍ରୀମାନେ ବି ଛାତ୍ର ସଂସଦ ନିର୍ବାଚନ ଘେନି ଦ୍ୱନ୍ଦ୍ୱରେ ଅଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ବିଭିନ୍ନ ଆଳ ଦେଖାଇ ବିଜେଡି ସରକାର ସମୟରେ ପ୍ରଥମ ପର୍ଯ୍ୟାୟରେ କିଛି ନିର୍ଦ୍ଦିଷ୍ଟ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ କରାଯାଇନଥିଲା ଏବଂ ପରବର୍ତ୍ତୀ ସମୟରେ କରୋନା, ଆଇନ୍ଶୃଙ୍ଖଳା ପରିସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଆଳ ଦେଇ ସମଗ୍ର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖାଯାଇଥିଲା । ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ଓ ଏହାର ସମର୍ôଥତ ଛାତ୍ର ସଂଗଠନ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି ଉଠାଉଥିଲେ । ୨୦୨୪ରେ ବିଜେପି ସରକାର ଗଢ଼ାଯିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ସୂଚନା ଦେଇଥିବାବେଳେ ପରବର୍ତ୍ତୀ ସମୟରେ କିନ୍ତୁ ଆଉ କିଛି ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଘୋଷଣା କଲେ ଏବଂ ତଦନୁଯାୟୀ ବି ନିର୍ବାଚନ ବନ୍ଦ ରହିଲା ।
୨୦୨୫ ବର୍ଷରେ ନିର୍ବାଚନ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ନିର୍ବାଚନ ହୋଇପାରିନଥିଲା । ପଞ୍ଚାୟତ, ପୌର, ସମବାୟ, ବିଧାନସଭା, ରାଜ୍ୟସଭା, ଲୋକସଭାଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ନିର୍ବାଚନ ହେଉଥିବାବେଳେ ଓଡ଼ିଶାରେ କେବଳ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ଅଥଚ ଦିଲ୍ଲୀରୁ କେରଳ ପର୍ଯ୍ୟନ୍ତ ପ୍ରାୟ ଅନ୍ୟସବୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଛି ।
ଉଚ୍ଚଶିକ୍ଷା ବିଭାଗ ଚଳିତବର୍ଷ ପାଇଁ ଯେଉଁ କ୍ୟାଲେଣ୍ଡର ପ୍ରସ୍ତୁତ କରିଛି ସେଥିରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ । ଆଗରୁ ମାସ ବ୍ୟାପି ବିଭିନ୍ନ କଲେଜ୍ ଓ ବିଶ୍ୱବିଦ୍ୟାଳୟରେ ଭିନ୍ନଭିନ୍ନ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ନିର୍ଦ୍ଦିଷ୍ଟ ଦିନରେ ନିର୍ବାଚନ କରାଗଲା ଏବଂ ଏହା ପରେ ଆଇନ୍ଶୃଙ୍ଖଳା ପରିସ୍ଥିତି, ପିଲାଙ୍କ ପାଠପଢ଼ା, କରୋନା ଆଦି ଆଳ ଦେଖାଇ ନିର୍ବାଚନ ବନ୍ଦ ରଖାଗଲା ।
ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ପରିଦର୍ଶନରେ ଆସୁଥିବା ନ୍ୟାକ୍ ଟିମ୍ ଛାତ୍ର ପ୍ରତିନିଧିତ୍ୱ ନଥିବା ଘଟଣାକୁ ନକରାତ୍ମକ ଦୃଷ୍ଟିରେ ଦେଖି ବାରମ୍ବାର ଟିପ୍ପଣୀ ଦେଉଥିଲେ ମଧ୍ୟ ଏହା ଉପରେ କେହି ଗୁରୁତ୍ୱ ଦେଉନାହାନ୍ତି । ଛାତ୍ର ସଂସଦ ନିର୍ବାଚନକୁ ଆଖି ଆଗରେ ରଖି କେତେକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନ କଲେଜ୍ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେମାନଙ୍କ ଜନସଂପର୍କ ଅଭିଯାନ ଜାରି ରଖିବା ପରିପ୍ରେକ୍ଷୀରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ରାଜଧାନୀ କଲେଜ୍ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳମାନ ହୋଇଛି । ଏବେ ଛାତ୍ର ସଂସଦ ନିର୍ବାଚନ ବେଶ୍ ବ୍ୟାୟବହୁଳ ହୋଇପଡ଼ିଥବାରୁ ନେତାମାନେ ପଇସା ଖର୍ଚ୍ଚ କରିବାକୁ କୁନ୍ଥୁକୁନ୍ଥୁ । ତେଣେ ନିର୍ବାଚନରେ ପରାଜୟ ବରଣ କଲେ ପତିଆରା ହାନି ହେବା ଭୟ ବି ରାଜନେତାମାନଙ୍କର ଥିବାରୁ ସେମାନେ କୌଣସି ମତେ ନିର୍ବାଚନକୁ ଏଡ଼ାଇ ଯାଉଛନ୍ତି ।
ଚଳିତ ଶିକ୍ଷାବର୍ଷରେ +୩ ଓ ସ୍ନାତକୋତ୍ତର ନାମ ଲେଖା ସରିବା ବେଳକୁ ଅଗଷ୍ଟ ଶେଷ ହୋଇଯାଇପାରେ । ଅକ୍ଟୋବର ଶେଷ ପର୍ଯ୍ୟାୟରେ ପୂଜା ଛୁଟି ରହିବ । ସାଧାରଣତଃ ପୂଜା ଛୁଟି ପୂର୍ବରୁ ନିର୍ବାଚନ ହୋଇଥାଏ । ତେବେ ସେମିଷ୍ଟର ପରୀକ୍ଷା ନିର୍ବାଚନ ଯୋଗୁ ବାଧାପ୍ରାପ୍ତ ହୋବାର ଆଶଙ୍କା ଥିବା ଏବଂ ଗଣ୍ଡଗୋଳରୁ କଲେଜ୍ ପରିସ୍ଥିତି ଅଶାନ୍ତ ହେବାର ସମ୍ଭାବନା ଥିବା ଦୃଷ୍ଟିରୁ ବହୁ କ୍ଷେତ୍ରରେ କଲେଜ୍ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏମିତିକି ଅଭିଭାବକ ଓ ଅନେକ ଛାତ୍ରଛାତ୍ରୀ ମଧ୍ୟ ନିର୍ବାଚନ ଚାହୁନାହାନ୍ତି । ଏଭଳିସ୍ଥିତିରେ ବିଗତ ବର୍ଷମାନଙ୍କ ଭଳି ଚଳିତବର୍ଷ ବି ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ତାହା ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । (ତଥ୍ୟ)

