ଭୁବନେଶ୍ୱର : ରାଜ୍ୟରେ ଦୁଇ ବର୍ଷ ମଧ୍ୟରେ ଆଠ ହଜାରରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ସାଢେ ୭ହଜାର କାର୍ଯ୍ୟକ୍ଷମ ହୋଇପାରିଛି । ଏହା ଜରିଆରେ ଗାଁ ଗହଳରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି ।
ରାଜ୍ୟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ନେଇ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ । କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୨୪-୨୬ ମଧ୍ୟରେ ରାଜ୍ୟରେ ୮୬୬୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏଥି ମଧ୍ୟରୁ ୭୩୭୯ଟି କାର୍ଯ୍ୟକ୍ଷମ ହୋଇଛି ।
ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ମଧ୍ୟରେ ସବୁଠାରୁ ଅଧିକ ୭୦୬ଟି ମୟୁରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବାବେଳେ ୬୨୨ଟି ଗଞ୍ଜାମ ଜିଲ୍ଲାରେ, ୪୪୯ଟି କେନ୍ଦୁଝରରେ, ୪୩୭ଟି କଟକରେ, ୩୯୦ଟି ବାଲେଶ୍ୱରରେ, ୩୪୨ଟି ଯାଜପୁରରେ, ୩୭୦ଟି କୋରାପୁଟରେ, ୩୧୫ଟି ଖୋରଧାରେ ପ୍ରତିଷ୍ଠାର ଲକ୍ଷ୍ୟ ରହିଛି । ସବୁଠାରୁ କମ୍ ମାତ୍ର ୫୧ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦେବଗଡ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବାବେଳେ ବୌଦ୍ଧ ଜିଲ୍ଲାରେ ଏହି ସଂଖ୍ୟା ୮୭ ରହିଛି ।
ମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ରାଜ୍ୟ ତାଲିକାଭୁକ୍ତ ହୋଇଥିବାବେଳେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ମଜବୁତ କରିବା ଆବଶ୍ୟକ ରହିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟଗୁଡିକୁ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।
ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବର୍ତ୍ତମାନ ୧୨ ଟି ପ୍ୟାକେଜର ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି । ଏଥିରେ ଆଦିବାସୀ ଅଞ୍ଚଳଗୁଡିକ ମଧ୍ୟ ସାମିଲ ରହିଛି । ଏଥି ମଧ୍ୟରେ ସଂକ୍ରାମକ, ଅଣସଂକ୍ରାମକ, ବୟସ୍କଙ୍କ ସ୍ୱାସ୍ଥ୍ୟର ଯତ୍ନ, ନବଜାତକଙ୍କ ସ୍ୱାସ୍ଥ୍ୟର ଯତ୍ନ, ସାଧାରଣ ମାନସିକ ରୋଗ, ସ୍ନାୟୁଗତ ରୋଗ, ନିଶାଗ୍ରସ୍ତ ରୋଗୀଙ୍କ ଚିକିତ୍ସା, ପାଟି ରୋଗ, ଇଏନଟି ସହିତ ମୌଳିକ ଜରୁରୀ ଚିକିତ୍ସାସେବା ଯୋଗାଇ ଦିଆଯାଉଛି ।
ଓଡିଶା ସରକାରଙ୍କ ପକ୍ଷରୁ ରାଜ୍ୟର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡିକରେ ଡାକ୍ତର, ପାରାମେଡିକାଲ କିମ୍ବା ଜରୁରୀ ଔଷଧର ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିବା ଉଲ୍ଲେଖ ନାହିଁ । ତେବେ ଅବସର, ବଦଳି, ଇସ୍ତଫା ଏବଂ ଅନ୍ୟାନ୍ୟ ଅମଲାତାନ୍ତ୍ରିକ କାରଣରୁ ଖାଲି ପଡିଥିବା ପଦବୀଗୁଡିକ ପୂରଣ ପାଇଁ ରାଜ୍ୟ ସରକାର ନିୟମିତ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ଔଷଧ ଖରିଧ ଏବଂ ବିତରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ବର୍ତ୍ତମାନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ରୋଗୀମାନଙ୍କୁ ଆବଶ୍ୟକତାର ୯୯ ପ୍ରତିଶତ ପର୍ଯ୍ୟନ୍ତ ଔଷଧ ମାଗଣାରେ ଯୋଗାଇ ଦିଆଯାଉଛି । ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟସେବା ଯୋଗାଣକୁ ମଜବୁତ କରାଯାଇଥିବା ରାଜ୍ୟ ପକ୍ଷରୁ ଦର୍ଶାଯାଇଛି । (ତଥ୍ୟ)

