Home Education ନିର୍ଭୁଲ ବହି ମିଳିବାକୁ ଦଶହରା ଟପିଯିବ

ନିର୍ଭୁଲ ବହି ମିଳିବାକୁ ଦଶହରା ଟପିଯିବ

ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନୂଆ ନିର୍ଭୁଲ ପାଠ୍ୟପୁସ୍ତକ ଯୋଗାଇବା ବେଳକୁ ଦଶହରା ପୂଜାଛୁଟି ସରିଯାଇଥିବ । ସେତେବେଳ ପର୍ଯ୍ୟନ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟଗୁଡିକରେ ତ୍ରୁଟିପୂର୍ଣ୍ଣ ବହିଗୁଡିକୁ ସଂଶୋଧନ କରି ପାଠପଢାଇବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପକ୍ଷରେ କଷ୍ଟକର ବ୍ୟାପାର ।

ଗତ ଏପ୍ରିଲ ମାସରୁ ବହି ଛପା ସରିଥିବାବେଳେ ନୂଆ ଶିକ୍ଷାବର୍ଷରେ ବହି ବାଣ୍ଟିବାପରେ ଏଥିରେ ଥିବା ମାଳ ମାଳ ତ୍ରୁଟିବିଚ୍ୟୁତି ପଦାକୁ ଆସିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ସାମାନ୍ୟ ଭୁଲ୍‍ କହି ଏଡାଇ ଦିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ ନିଜେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବା ସହିତ ବହିଗୁଡିକ ଦେଖିବାପରେ ଏହା ପଛରେ ଷଡଯନ୍ତ୍ର ରହିଛି ଏବଂ ଷଡଯନ୍ତ୍ରକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ।

ସରକାରର ଗୋଟିଏ ଅଂଶ ତ୍ରୁଟି ସଂଶୋଧନ କରି ପଢାଇବା ଉପରେ ଗୁରୁତ୍ୱ ଦେଉଥିବାବେଳେ ଅନ୍ୟ ପଟେ ନିଜେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ଯୋଗାଯିବ ବୋଲି କହିଛନ୍ତି । ଇତି ମଧ୍ୟରେ କିଛି ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଓ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ କେତେକ ଏବେ ବି କାରାଗାରରେ ରହିଛନ୍ତି ।

ତ୍ରୁଟି ସଂଶୋଧନ ପାଇଁ ଯେଉଁ ତାଲିକା ପଠାଯାଇଥିଲା ସେଥିରେ ବି ଅନେକ ଭୁଲ୍‍ ଥିବା ଅଭିଯୋଗ ହେଉଛି । ଏହାଛଡା ଇଂରାଜୀ ବହିରେ ପଢିହେଉନଥିବା ଓଡିଆ ରଜଦୋଳି ଗୀତ ଏବଂ ରାଜସ୍ଥାନୀ ଲୋକଗୀତ ଆଦି ରହିଛି । ଏଭଳି ସାଂଘାତିକ ତ୍ରୁଟିକୁ ସୁଧାରିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ କ୍ଷମତା ବାହାରେ ।

ଜୁନ୍‍ ମାସରୁ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ଏବେ ସଂଶୋଧନ କରି ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି । ତେବେ ଏବେଠାରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ରମ ଚାଲିଲେ ପିଲାମାନଙ୍କ ହାତରେ ନୂଆ ନିର୍ଭୁଲ ପାଠ୍ୟପୁସ୍ତକ ପହଞ୍ଚିବାବେଳକୁ ଦଶହାରା ଛୁଟି ପର ଅର୍ଥାତ୍‍ ଅକ୍ଟୋବରମାସ ଶେଷ ହୋଇଯାଇଥିବ ବୋଲି ଆଶଙ୍କା କରାଯାଉଛି ।

ଯେଉଁ ବିଦ୍ୟାଳୟଗୁଡିକରେ ଅଧିକ ସଂଖ୍ୟକ ଶିକ୍ଷକ ରହିଛନ୍ତି ସେଠାରେ ପାଠ୍ୟପୁସ୍ତକ ହାତରେ ସଂଶୋଧନ କରିବା ଉଦ୍ୟମ ଚାଲିଛି । ତେବେ ଯେଉଁସବୁ ସ୍ଥାନରେ ଆବଶ୍ୟକତା ଠାରୁ କମ୍‍ ସଂଖ୍ୟକ ଶିକ୍ଷକ ରହିଛନ୍ତି ସେଠି ସଂଶୋଧନ କରି ପାଠପଢାଇବା କାଠିକରପାଠ । ଏବେ ଅଧିକାଂଶ ଶିକ୍ଷକ ଜନଗଣନା ଓ ଏସଆଇଆର ପ୍ରକ୍ରିୟାରେ ସାମିଲ ଅଛନ୍ତି । ଏ ପରିପ୍ରେକ୍ଷୀରେ ସେମାନେ ପୁସ୍ତକ ସଂଶୋଧନ ପାଇଁ ସମୟ ନପାଇବା ସ୍ୱାଭାବିକ ।

ତେବେ କିଛି କ୍ଷେତ୍ର ଅଧିକାରୀ କହୁଛନ୍ତି ଯେ ଯେଉଁ ବିଷୟଗୁଡିକ ନିର୍ଭୁଲ ରହିଛି ସେଗୁଡିକୁ ନୂଆ ବହି ଆସିବା ପର୍ଯ୍ୟନ୍ତ ପଢାଇବାରେ ବିଶେଷ କିଛି ଅସୁବିଧା ହେବନାହିଁ । ଅନ୍ୟ ପକ୍ଷରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଆଶଙ୍କା କରୁଛନ୍ତି ଯେ ପୁଣିଥରେ ସମ୍ପାଦନା ପରେ ନୂଆ ବହିରେ ଯଦି ବ୍ୟାପକ ସଂଶୋଧନ ଆସେ ତେବେ ସେମାନେ ତ୍ରୁଟିପୂର୍ଣ୍ଣ ପୁରୁଣା ବହି ପଢାଇବେ କିଭଳି ?

ଚଳିତବର୍ଷ ବିଜୟା ଦଶମୀ ବା ଦଶହରା ଅକ୍ଟୋବର ୨୦ ତାରିଖରେ ପଢୁଥିବାବେଳେ କୁମାରପୂର୍ଣ୍ଣିମା ସେହିମାସ ୨୬ ତାରିଖରେ ଆସୁଛି । ଅକ୍ଟୋବରମାସ ଶେଷ ପର୍ଯ୍ୟନ୍ତ ତେଣୁ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।(ତଥ୍ୟ)