ଭୁବନେଶ୍ୱର : ରାଜଧାନୀରେ ଠିକାଦାର ସଂଘର ଆନ୍ଦୋଳନ ଯୋଗୁଁ ଏବେ ସରକାରୀ ଘରେ ରହୁଥିବା ମନ୍ତ୍ରୀଙ୍କ ଠାରୁ ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ନୟାନ୍ତ ହେଲେଣି । ବଡ ବଡ କାମ ତ ଦୂରରକଥା ଛୋଟକାଟର ମରାମତି ବି ହୋଇପାରୁ ନାହିଁ । ପୂର୍ତ୍ତ ବିଭାଗ ଏହିସବୁ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଭାବେ ଠିକାଦାରଙ୍କ ଉପରେ ନିର୍ଭର କରୁଥିବାବେଳେ ଠିକାଦାରମାନେ ଏବେ ନିର୍ମାଣସୌଧ ଆଗରେ ଧାରଣାରେ ବସିଛନ୍ତି ।
ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ କୋଠାବାଡି, କ୍ୱାଟର୍ସ ଆଦିରେ କୌଣସି କାର୍ଯ୍ୟ ହୋଇପାରୁ ନାହିଁ । ଯନ୍ତ୍ରୀମାନେ ଚାହିଁଲେ ମଧ୍ୟ ଠିକାଦାରମାନେ କାମରେ ହାତ ମାରୁନାହାନ୍ତି । କାଳେ କୌଣସି ଠିକାଦାର ଲୁଚି ଛପି କାମ କରିଦେବ ସେଥିପାଇଁ ଧାରଣାରତ ଠିକାଦାରମାନେ ଗୁଇନ୍ଦା ନିଯୁକ୍ତ କରିଛନ୍ତି । ଯଦି କୌଣସି ଠିକାଦାର କାମ କରୁଥିବା ଜଣାପଡିବ ତେବେ ତାଙ୍କ ଉପରେ ୧୦ହଜାର ଟଙ୍କାର ଜୋରିମାନା ଲାଗିବ ବୋଲି ଚେତାବନୀ ଦିଆଯାଇଛି । ଏଥିଯୋଗୁଁ କୌଣସି ଠିକାଦାର କାମ କରିବାକୁ ରାଜି ନୁହନ୍ତି ।
ଅନ୍ୟ ପକ୍ଷରେ ବର୍ଷାଋତୁରେ ଅନେକ ସରକାରୀ କ୍ୱାଟର୍ସଗୁଡିକ ଦୟନୀୟ ସ୍ଥିତିରେ ପହଞ୍ଚିଛି । କେଉଁଠି ପାଣି ଗଳୁଛି ତ ଆଉ କେଉଁଠି କବାଟ ଝରକା ଭାଙ୍ଗିଲାଣି । କେତେକ ସ୍ଥାନରେ ଚୋରି ବି ହେଲାଣି । ଏହିସବୁ କ୍ୱାଟର୍ସରେ ରହୁଥିବା ବାବୁମାନେ ନିଜର ଦୟନୀୟ ସ୍ଥିତି ସଂକ୍ରାନ୍ତରେ ଯନ୍ତ୍ରୀମାନଙ୍କୁ ଜଣାଉଥିଲେ ମଧ୍ୟ ସେମାନେ ନିଜର ଅସହାୟତା ପ୍ରକାଶ କରୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ କଣ୍ଟାଟିଏ ପିଟିବା ବି ବିଭାଗୀୟ ଯନ୍ତ୍ରୀଙ୍କ ପକ୍ଷରେ ସମ୍ଭବପର ହେଉନାହିଁ ।
ସବୁଠାରୁ ବଡ କଥା ହେଲା ଖୋଦ ରାଜଧାନୀରେ ଦୀର୍ଘଦିନ ହେଲା ଏହି ଠିକାଦାରମାନେ ସେମାନଙ୍କର ଦାବି ନେଇ ନିର୍ମାଣସୌଧ ସାମ୍ନାରେ ଧାରଣାରେ ବସିଛନ୍ତି । ପ୍ରଥମେ ଘଣ୍ଟ ବାଡେଇ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଥିବାବେଳେ ଏବେ ଧାରଣାରେ ବସୁଛନ୍ତି । ମାସାଧିକକାଳ ହେଲା ସେମାନେ ସଚିବାଳୟ ପାଶ୍ୱର୍ରେ ଧାରଣା ଦେଇଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ କିମ୍ବା ସଚିବ ଏଥିରେ ହସ୍ତକ୍ଷେପ କରୁନାହାନ୍ତି ।
ସମସ୍ତେ ନିଜ ନିଜ ଜିଦ୍ରେ ଅଟଳ ଥିବାବେଳେ କାମ କିଭଳି ତାହା ବି କେହି ଚିନ୍ତା କରୁନାହାନ୍ତି । ଯଦି ଠିକାଦାରମାନେ ଆନ୍ଦୋଳନ ଜାରି ରଖୁଛନ୍ତି ତେବେ ଜରୁରୀ କାର୍ଯ୍ୟଗୁଡିକ କିଭଳି ହେବ ସେ ସଂକ୍ରାନ୍ତରେ ବିଭିନ୍ନ ଡିଭିଜନର ଯନ୍ତ୍ରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେବା ଉଚିତ୍ ବୋଲି ମତପ୍ରକାଶ ପାଉଛି । ଏହା ନକଲେ ଏହି ସମୟ ମଧ୍ୟରେ ଲୋକେ ହଇରାଣ ହେବା ସହିତ ସରକାରୀ ସମ୍ପତ୍ତି ଯେଭଳି ନଷ୍ଟ ହେଉଛି ତାହାର ଭରଣା କିଏ କରିବ ବୋଲି ମତପ୍ରକାଶ ପାଇଲାଣି ।
ରାଜଧାନୀରେ ଏବେ ସରକାର ଓ ଠିକାଦାରଙ୍କ ମଝିରେ ସରକାରୀ ଘରେ ରହୁଥିବା ଲୋକେ ଏକ ପ୍ରକାର ଫସି ଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ବର୍ଷାଦିନେ ସର୍ବନିମ୍ନ ମରାମତି କାମ ହୋଇପାରୁ ନଥିବାରୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)

