Home Finance ବୃଦ୍ଧି ପାଉଛି ବଜେଟ୍‍ ବ୍ୟୟ

ବୃଦ୍ଧି ପାଉଛି ବଜେଟ୍‍ ବ୍ୟୟ

ଭୁବନେଶ୍ୱର : ରାଜ୍ୟରେ ବଜେଟ୍ ଖର୍ଚ୍ଚ ବୃଦ୍ଧି ପାଉଛି । ଚଳିତ ଆର୍ଥିକ ବର୍ଷର ଜୁନ୍ ସୁଦ୍ଧା ମୋଟ ଖର୍ଚ୍ଚ (ଋଣ ସେବା ଏବଂ ବିପର୍ଯ୍ୟୟ ପରିଚାଳନାକୁ ବାଦ ଦେଇ) ୪୪,୩୮୯ କୋଟି ଟଙ୍କା, ଯାହା ବଜେଟ୍ ର ୧୫.୭% । ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ମୋଟ ବଜେଟ୍ ଖର୍ଚ୍ଚ ୩୮,୬୬୨ କୋଟି ଟଙ୍କା ଥିଲା, ଯାହା ବଜେଟ୍ ର ୧୪.୮% ରହିଥିଲା ।

ପୂର୍ବ ବର୍ଷ ତୁଳନାରେ ଜୁନ୍ ୨୦୨୬ ଶେଷ ସୁଦ୍ଧା ମୋଟ ଖର୍ଚ୍ଚ ୧୪.୮% ବୃଦ୍ଧି ପାଇଛି । ବଜେଟ୍ ବ୍ୟବହାର ଗତ ବର୍ଷ ତୁଳନାରେ ୦.୯% ବଢିଛି ।

ଜୁନ୍ ୨୦୨୬ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ଖର୍ଚ୍ଚ ୨୬,୪୩୭ କୋଟି ଟଙ୍କା, ଯାହା ବଜେଟ୍ ର ୧୪.୧% । ଜୁନ୍ ୨୦୨୫ ସୁଦ୍ଧା ଏହା ୨୧,୫୦୩ କୋଟି ଟଙ୍କା ଥିଲା, ଯାହା ବଜେଟ୍ ର ୧୨.୩% ।

ଗତ ବର୍ଷ ତୁଳନାରେ ୨୦୨୬ ଜୁନ୍ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଅବଧିରେ କାର୍ଯ୍ୟକ୍ରମ ଖର୍ଚ୍ଚ ୨୨.୯% ବୃଦ୍ଧି ପାଇଛି, ତଥାପି ବଜେଟ୍ ବ୍ୟବହାର ମାତ୍ର ୧.୮% ବୃଦ୍ଧି ପାଇଛି ।

୨୦୨୬ ଜୁନ୍ ଶେଷ ସୁଦ୍ଧା ବ୍ୟୟ ୧୭,୯୫୩ କୋଟି ଟଙ୍କା, ଯାହା ବଜେଟ୍ ର ୧୮.୮% । ୨୦୨୫ ଜୁନ୍ ଶେଷ ସୁଦ୍ଧା ଏହା ୧୭,୧୫୯ କୋଟି ଟଙ୍କା ଥିଲା, ଯାହା ବଜେଟ୍ ର ୧୯.୬% । ୨୦୨୬ ଜୁନ୍ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଅବଧିରେ ଖର୍ଚ୍ଚ ଗତ ବର୍ଷ ତୁଳନାରେ ୪.୬% ବୃଦ୍ଧି ପାଇଛି । ବଜେଟ୍ ବ୍ୟବହାର ୦.୮% ହ୍ରାସ ପାଇଛି ।

ରାଜ୍ୟ ସରକାର ବଜେଟରେ ବରାଦ ଅର୍ଥ ଖର୍ଚ୍ଚ ନେଇ ସମସ୍ତ ବିଭାଗଗୁଡିକୁ ଦାଗିଦା କରିଛନ୍ତି । ବିଶେଷକରି ଭିତ୍ତିଭୂମି ବିକାଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସାମାଜିକ କ୍ଷେତ୍ର ପାଇଁ ବରାଦ ହୋଇଥିବା ଅର୍ଥ ଯେଭଳି ଅଧିକରୁ ଅଧିକ ପରିମାଣରେ ଖର୍ଚ୍ଚ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ।

ରାଜ୍ୟ ସରକାର ଆସନ୍ତାବର୍ଷ ପ୍ରାରମ୍ଭରେ ପଞ୍ଚାୟତ ର୍ନିବାଚନ ଓ ପରେ ପରେ ପୌର ର୍ନିବାଚନକୁ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ଚଳିତବର୍ଷର ବଜେଟ୍ ଅର୍ଥ ବ୍ୟୟ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । କାରଣ ସାମାଜିକ କ୍ଷେତ୍ରରେ ବ୍ୟୟ ଅର୍ଥର ପ୍ରଭାବ ସାଧାରଣ ଭୋଟରଙ୍କୁ ପ୍ରଭାବିତ କରିବ । ତେଣୁ ପଞ୍ଚାୟତିରାଜ ଓ ପାନୀୟଜଳ, ଏମଏସଏମଇ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଯେଭଳି ଅଧିକରୁ ଅଧିକ ବଜେଟ୍ ଅର୍ଥ ବ୍ୟୟ କରିବେ ତାହା ଉପରେ ସରକାର ନଜର ରଖିଛନ୍ତି । (ତଥ୍ୟ)