ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ମନ୍ତ୍ରୀ ହେବା ଲାଗି ରାଜନୈତିକ ମହଲରେ ଅନେକ ସାଂସଦଙ୍କ ନାଁ ଚର୍ଚ୍ଚା ହେଉଛି । କେନ୍ଦ୍ର ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ ତାହା ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ହୋଇଥିଲେ ମଧ୍ୟ ସଂସଦର ମୌସୁମୀ ଅଧିବେଶନ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ଓ ନୂଆ ମନ୍ତ୍ରୀ ନିଯୁକ୍ତି ହୋଇପାରେ ବୋଲି ଆଶା କରାଯାଉଛି ।
ଶ୍ରୀ ପ୍ରଧାନ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ପ୍ରହଲ୍ଲାଦ ଯୋଶୀ ଶିକ୍ଷା ମନ୍ତ୍ରାଳୟଳର ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି । ଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସ୍ୱତନ୍ତ୍ର ଭାବେ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଦାୟିତ୍ୱରେ ରଖାଯାଇପାରେ । ଏହାଛଡ଼ା କଂଗ୍ରେସରୁ ଆସି ବିଜେପିର ରାଜ୍ୟସଭା ସାଂସଦ ହେବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରଭନୀତ ସିଂହ ବିଟ୍ଟୁଙ୍କ ରାଜ୍ୟସଭା କାର୍ଯ୍ୟକାଳ ପୂରିଯିବା ପରେ ତାଙ୍କୁ ଆଉ ରାଜ୍ୟସଭା ସଦସ୍ୟ କରାଯାଇନାହିଁ । ଏ ପରିପ୍ରେକ୍ଷୀରେ ଶ୍ରୀ ବିଟ୍ଟୁ ବି କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇସାରିଛନ୍ତି ।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇତିମଧ୍ୟରେ ରାଜ୍ୟ ବିଧାନସଭା ଓ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ପୂର୍ବରୁ ନୀତିଶ ବାଜପେୟୀଙ୍କ ସରକାରରେ ରେଳ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ନୀତିଶଙ୍କ ଦଳ ଜେଡିୟୁର ବହୁ ନେତା ଆଶା କରୁଛନ୍ତି ଯେ ସେ ଉପ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି । ଏହାଛଡ଼ା ଦକ୍ଷତା ଆଧାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ କିଛି ନୂଆ ମୁହଁକୁ ନିଆଯିବା ସହିତ ଆଉ କିଛି ମନ୍ତ୍ରୀଙ୍କୁ ଅବସର ଦିଆଯାଇ ସେମାନଙ୍କୁ ଦଳୀୟ ସଂଗଠନ କାମରେ ନିଯୁକ୍ତି କରାଯାଇପାରେ । ଏହାଛଡ଼ା ବିଭିନ୍ନ ରାଜ୍ୟର ସ୍ଥିତି ଓ ଯୁବ ମାନସର ଭାବାବେଗକୁ ଆଖି ଆଗରେ ରଖି ମଧ୍ୟ ନୂଆ ମନ୍ତ୍ରୀ ଚୟନ ବେଳେ ବିଚାର କରାଯାଇପାରେ ବୋଲି ରାଜନୈତିକ ସ୍ତରରେ ଚର୍ଚ୍ଚା ହେଉଛି ।
ଶ୍ରୀ ପ୍ରଧାନ ପୂର୍ବରୁ ବିହର ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ୍, ଦକ୍ଷତା ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ । ସମ୍ବଲପୁରରୁ ସେ ଲୋକସଭାକୁ ନିର୍ବାଚିତ ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ମଧ୍ୟ କାମ କରିଆସୁଥିଲେ । ଦୀର୍ଘ ୧୨ବର୍ଷ ଧରି ସେ ମୋଦିଙ୍କ ସରକାରରେ ମନ୍ତ୍ରୀ ଥିଲେ । ପୂର୍ବରୁ ତାଙ୍କ ପିତା ଡା. ଦେବେନ୍ଦ୍ର ପ୍ରଧାନ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ ଏବଂ ସେ ମନ୍ତ୍ରୀ ପଦ ଛାଡ଼ି ଦଳର କେନ୍ଦ୍ରୀୟ ଉପସଭାପତି ହୋଇଥିଲେ ।
ମୋଦିଙ୍କ ସରକାରରେ ଏଯାବତ୍ ଦକ୍ଷିଣ ଓଡ଼ିଶାରୁ କେହି ମନ୍ତ୍ରୀ ହୋଇନାହାନ୍ତି । ଏବେ ଲୋକସଭାରେ ଓଡ଼ିଶାର ୨୧ଟି ଆସନରୁ ୨୦ଟି ବିଜେପି ଦଖଲରେ ଥିବାବେଳେ ରାଜ୍ୟସଭାରେ ମଧ୍ୟ ବିଜେପିର ସ୍ଥିତି ୬କୁ ବଢ଼ିଲାଣି । ପଶ୍ଚିମ ଓଡ଼ିଶାରୁ ଜୁଏଲ୍ ଓରାମ୍ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ମୂଳତଃ ସେ ରାଜସ୍ଥାନର ବାସିନ୍ଦା ।
ଧର୍ମେନ୍ଦ୍ରଙ୍କ ସ୍ଥାନରେ ମନ୍ତ୍ରୀ ହେବା ଲାଗି ଯେଉଁ ବିଜେପି ନେତାଙ୍କ ନାମ ଚର୍ଚ୍ଚା ହେଉଛି ସେମାନଙ୍କ ଭିତରେ ୩ଜଣ ରାଜ୍ୟସଭା ଓ ୪ଜଣ ଲୋକସଭା ସାଂସଦ ରହିଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳ ଘେନି ପ୍ରାୟ ଦୁଇବର୍ଷ ଧରି ଚର୍ଚ୍ଚା ଚାଲୁଥିଲେ ବି ଏଯାବତ୍ ଏ ସଂକ୍ରାନ୍ତରେ କିଛି ନିଷ୍ପତ୍ତି ହୋଇନାହିଁ । ଏ ପରିପ୍ରେକ୍ଷୀରେ କେନ୍ଦ୍ର ବିଜେପି ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଓଡ଼ିଶାରୁ କାହାକୁ ସ୍ଥାନ ଦେବେ ତାହାକୁ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ସହିତ ଆଶାୟୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।(ତଥ୍ୟ)

