ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଦାଲତରେ ପଡ଼ିରହିଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପ୍ରତି ଅତ୍ୟାଚାର ସଂକ୍ରାନ୍ତୀୟ ଅପରାଧିକ ମାମଲାଗୁଡ଼ିକର ତ୍ୱରିତ ଫଇସଲା ଲାଗି ରାଜ୍ୟ ସରକାର ଏବେ ୬ଟି ସ୍ୱତନ୍ତ୍ର ଅଦାଲତ ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଜିଲ୍ଲାଗୁଡ଼ିକର ଅତିରିକ୍ତ ଜିଲ୍ଲା ଜଜ୍ମାନେ ଏହି ସ୍ୱତନ୍ତ୍ର କୋର୍ଟର ଦାୟିତ୍ୱ ନିଜ ମୂଳ ଦାୟିତ୍ୱ ସହ ତୁଲାଇବେ । ଏ ପରିପ୍ରେକ୍ଷୀରେ ସବୁ ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ଏଥିପାଇଁ ବିଚାରପତି ନିଯୁକ୍ତି ସହ କୋର୍ଟ ସ୍ଥାପନ ଲାଗି ଦାବି ଉଠୁଛି ।
ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲା ଫଇସଲା କ୍ଷେତ୍ରରେ ଓଡ଼ିଶା ବହୁତ ପଛରେ ପଡ଼ିଛି । ୨୦୨୬ ମଇ ମାସରେ ପ୍ରକାଶ ପାଇଥିବା ଭାରତ ସରକାରଙ୍କ କ୍ରାଇମ୍ ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ମୁତାବକ ୨୦୨୪ ବର୍ଷରେ ଏସ୍ସି ବର୍ଗଙ୍କ ପ୍ରତି ଘଟିଥିବା ଅପରାଧ ସଂକ୍ରାନ୍ତୀୟ ୨୩,୯୭୮ଟି ଓ ଏସ୍ଟି ବର୍ଗଙ୍କ ପ୍ରତି ଘଟିଥିବା ମାମଲାରୁ ୭୭୯୭ଟି ବିଚାର ପାଇଁ ଥିଲା । ଏସ୍ସି ମାମଲାରୁ ୧୦୫ଟି ଫଇସଲା ହୋଇଥିବାବେଳେ ସେଥିରୁ ୯୧ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିଲେ ଓ ମାତ୍ର ୧୧ଟିରେ ଦଣ୍ଡବିଧାନ କରାଯାଇଥିଲା । ଏ କ୍ଷେତ୍ରରେ ଦଣ୍ଡବିଧାନ ହାର ୧୦.୮ ପ୍ରତିଶତ ଥିବାବେଳେ ମାମଲା ଫଇସଲା ହାର ଥିଲା ମାତ୍ର ଦଶମିକ ୪ ପ୍ରତିଶତ ।
ସେହିପରି ଅନୁସୂଚିତ ଜନଜାତି ବର୍ଗଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାରୁ ଉକ୍ତ ବର୍ଷରେ ମାତ୍ର ୩୪ଟିର ଫଇସଲା ହୋଇଥିବାବେଳେ ୩୨ଟିରେ ଅଭିଯୁକ୍ତ ଖଲାସ ହୋଇଥିବାବେଳେ ମାତ୍ର ୨ଟିରେ ଦଣ୍ଡବିଧାନ କରାଯାଇଥିବା ଏହି ରିପୋର୍ଟରୁ ଜଣାପଡିଛି । ଅର୍ଥାତ୍ ଉକ୍ତ ବର୍ଷରେ ଏଭଳି ସମ୍ବେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୫.୯ ପ୍ରତିଶତ ଥିବାବେଳେ ମାମଲା ଫଇସଲା ହାର ବି ରହିଥିଲା ମାତ୍ର ଦଶମିକ ୪ ପ୍ରତିଶତ ।
ସେହିପରି କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୩ ରିପୋର୍ଟ ମୁତାବକ ଓଡ଼ିଶାରେ ଏସ୍ସି ମାମଲାରେ ଦଣ୍ଡବିଧାନ ହାର ମାତ୍ର ୦.୪ ପ୍ରତିଶତ ଥିବାବେଳେ ଏସ୍ଟି ମାମଲାରେ ଗୋଟିଏ ହେଲେ କ୍ଷେତ୍ରରେ ବି ଦଣ୍ଡବିଧାନ ହୋଇନଥିଲା । ୨୦୨୨ର କ୍ରାଇମ୍ ଇନ୍ ଇଣ୍ଡିଆ ରିପୋର୍ଟ ମୁତାବକ ଏସ୍ସିଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାରେ ସେ ବର୍ଷ ଦଣ୍ଡବିଧାନହାର ୧୬.୧ ପ୍ରତିଶତ ଥିବାବେଳେ ଏସ୍ଟିଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ୧୯.୬ ପ୍ରତିଶତ ଥିଲା । ଏହି ବର୍ଷଗୁଡ଼ିକରେ ବି ମାମଲା ଫଇସଲା ହାର ଢେର କମ୍ ରହିଥିଲା ।
୨୦୨୨ର କ୍ରାଇମ୍ ଇନ୍ ଇଣ୍ଡିଆର ରିପୋର୍ଟ ତଥ୍ୟ ମୁତାବକ ଏସ୍ଟିଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ଗୋଟିଏ ହେଲେ ହୋଇନଥିବାବେଳେ ୨୪ଟି ମାମଲାରେ ଅଭିଯୁକ୍ତ ଖଲାସ ହୋଇଥିଲେ । ସେହିପରି ଏସ୍ସିଙ୍କ ପ୍ରତି ଘଟିଥିବା ଅପରାଧିକ ସଂକ୍ରାନ୍ତୀୟ୍ର ମାମଲାରେ ଏହି ବର୍ଷ ଫଇସଲା ହୋଇଥିବା ୧୪୫ଟି ମାମଲରୁ ୧୪୪ଟିରେ ଅଭିଯୁକ୍ତ ଖଲା ସହୋଇଥିବାବେଳେ ମାତ୍ର ଗୋଟିଏରେ ଦଣ୍ଡବିଧାନ କରାଯାଇଥିଲା । ଉକ୍ତ ବର୍ଷରେ ବି ଏସ୍ସି ଓ ଏସ୍ଟିଙ୍କ ପ୍ରତି ଅପରାଧିକ ମାମଲାର ଫଇସଲା ହାର ଏକ ପ୍ରତିଶତରୁ କମ୍ ରହିଥିଲା । (ତଥ୍ୟ)

