Home Education ବି.ଏଡ୍‍ ନାମଲେଖା ପାଇଁ ଚଏସ୍‍ ଲକିଂ କେବେ ?

ବି.ଏଡ୍‍ ନାମଲେଖା ପାଇଁ ଚଏସ୍‍ ଲକିଂ କେବେ ?

ଭୁବନେଶ୍ୱର : ବି.ଏଡ୍‍ ପରୀକ୍ଷା ଫଳ ପ୍ରକାଶ ପାଇବାର ପନ୍ଦର ଦିନ ବିତିଥିବାବେଳେ ବର୍ତ୍ତମାନ ସୁଦ୍ଧା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ନାମଲେଖା ଲାଗି ‘ଚଏସ୍‍ ଲକିଂ’ ଆରମ୍ଭ ହୋଇନାହିଁ । ଫଳରେ ଶତାଧିକ ଛାତ୍ରଛାତ୍ରୀ ଅପେକ୍ଷାରେ ରହିଛନ୍ତି । ସେହିଭଳି ସିଟି ପରୀକ୍ଷାପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା କେବେ ହେବ ତାହାକୁ ଚାହିଁ ବସିଛନ୍ତି ।

ଚଳିତବର୍ଷ ବି.ଏଡ୍‍ ପରୀକ୍ଷା ମଇ ୩୧ ତାରିଖରେ ହୋଇଥିଲା । ଯଦିଓ ଏହି ପରୀକ୍ଷା ଓଏ ମାର୍କ ପଦ୍ଧତିରେ ହୋଇଥିଲା, କିନ୍ତୁ ଫଳ ପ୍ରକାଶ ପାଇବାକୁ ମାସେରୁ ଅଧିକ ସମୟ ଲାଗିଗଲା । ଜୁଲାଇ ୧୦ ତାରିଖରେ ଫଳ ପ୍ରକାଶ ପାଇବା ପରେ ପରେ ଛାତ୍ରଛାତ୍ରୀଙ୍କ ଲାଗି ଚଏସ୍‍ ଲକିଂ ଆରମ୍ଭ ହୋଇଯିବା କଥା । ଏହା ଫଳରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ଶିକ୍ଷାନୁଷ୍ଠାନ ପାଇଁ ଆବଦନ କରିଥାନ୍ତି ଓ ଏହାପରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥାଏ । କିନ୍ତୁ ଚଳିତବର୍ଷ ଫଳ ପ୍ରକାଶ ପାଇବାର ୧୫ଦିନ ପରେ ଏହି ଏହା ଆରମ୍ଭ ହୋଇପାରୁ ନାହିଁ । ଏଥିଯୋଗୁଁ ଛାତ୍ରଛାତ୍ରୀମାନେ ନିରାଶ ହେବାରେ ଲାଗିଛନ୍ତି ।

ଗତବର୍ଷ ବି.ଏଡ୍‍ ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମତା ଦୃଷ୍ଟିରୁ ଚଳିତବର୍ଷ ପରୀକ୍ଷାଫଳ ପ୍ରକାଶ ପାଇବାରେ ବିଳମ୍ବ ଓ ଚଏସ ଲକିଂ ଆରମ୍ଭ ହୋଇନପାରିବାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଛି । ଉଲ୍ଲେଖ କରାଯାଇପାରେ ଯେ ଗତବର୍ଷ ବି.ଏଡ୍‍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବାପରେ ସରକାର ନିଜଆଡୁ କମିଟି ଗଠନ କରି ଏହାର ତଦନ୍ତ କରିଥିଲେ । ହେଲେ ତଦନ୍ତର ଫଳାଫଳ କ’ଣ ହେଲା ଓ ସରକାର କାହା ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହା ଛାତ୍ରଛାତ୍ରୀ କିମ୍ବା ଅଭିଭାବକମାନେ ଜାଣିପାରିଲେ ନାହିଁ ।

ବି.ଏଡ୍‍ ଭଳି ଚଳିତବର୍ଷ ସିଟି ପରୀକ୍ଷାର ଅବସ୍ଥା । ବି.ଏଡ୍‍ରେ କମ୍‍ ସଂଖ୍ୟାରେ ଆସନ ଥିବାରୁ ଶିକ୍ଷକତା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ସିଟି ପରୀକ୍ଷାପାଇଁ ଆବେନ କରିଛନ୍ତି । ଏହି ଆବେଦନକୁ ମାସାଧିକକାଳ ବିତି ଯାଇଥିବାବେଳେ ପରୀକ୍ଷା କେବେ ଅନୁଷ୍ଠିତ ହେବ ତାହାର କୌଣସି ସୂଚନା ପାଇପାରୁ ନାହାନ୍ତି । ଫଳରେ ସିଟି ପରୀକ୍ଷାପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ମନୋବଳ ଭାଙ୍ଗିବାରେ ଲାଗିଛି ।

ରାଜ୍ୟରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଏହି କ୍ଷେତ୍ରରେ ନିଯୁକ୍ତିର ଅଧିକ ସୁଯୋଗ ରହିଛି । ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ବି.ଏଡ୍‍ ଓ ସିଟି ଶିକ୍ଷା ପାଇଁ ଅଧିକ ଆଗ୍ରହୀ ହେଉଛନ୍ତି । ବି.ଏଡ୍‍ ପାଠ୍ୟକ୍ରମରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭୫୦ଟି ଆସନ ରହିଥିବାବେଳେ ଚଳିତବର୍ଷ ଠାରୁ ଇଣ୍ଟିଗ୍ରେଟେଡ୍‍ ବିଏଡ୍‍ ନାମଲେଖା ହେବ । ତେବେ ବି.ଏଡ୍‍ରେ ଆସନ ସଂଖ୍ୟା ବଢାଇବା ସହିତ ଏହାର ପରୀକ୍ଷା ଅଧିକ ସ୍ୱଚ୍ଛ ଓ ସମୟାନୁବର୍ତ୍ତିତା କରିବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)