Home General ରସଗୋଲା ମାମଲାରେ ସରକାର ହସ୍ତକ୍ଷେପ କରନ୍ତୁ

ରସଗୋଲା ମାମଲାରେ ସରକାର ହସ୍ତକ୍ଷେପ କରନ୍ତୁ

ଭୁବନେଶ୍ୱର : ରସଗୋଲା ପାଇଁ ଓଡିଶାକୁ ଜିଆଇ ଟ୍ୟାଗ୍‍ ମିଳିସାରିଥିବାବେଳେ ଏହାର ଅନ୍ୟତମ ଦାବିଦାର ପଶ୍ଚିମବଙ୍ଗ ମାମଲା ଚଳାଇଛି । ଏହି ମାମଲା ଏବେ ଚେନ୍ନାଇରେ ବିଚାରାଧିନ ଥିବାବେଳେ ଓଡିଶା ସରକାର ଏଥିରେ ହସ୍ତକ୍ଷେପ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ ପଶ୍ଚିମବଙ୍ଗ ରସଗୋଲା ଉପରେ ଜିଆଇ ଟ୍ୟାଗ୍‍ ପାଇଁ ପୂର୍ବରୁ ଦାବି କରିଥିଲା । ତେବେ ଓଡିଶାର ରସଗୋଲା ଢେର ପୁରୁଣା ଏବଂ ଏହା ଶ୍ରୀଜଗନ୍ନାଥ ସଂସ୍କୃତି ସହ ବହୁ ପୂର୍ବରୁ ଜଡିତ ବୋଲି ପ୍ରାମାଣିକ ତଥ୍ୟ ଉପସ୍ଥାପନ ପରେ କର୍ତ୍ତୃପକ୍ଷ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ୍‍ ଦେଇଛନ୍ତି ।

ଜିଆଇ ଟ୍ୟାଗ୍‍ ପାଇଁ ଦପ୍ତର ଚେନ୍ନାଇରେ ରହିଛି । ଏ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ରସଗୋଲା ଉପରେ ତାହାର ଦାବି ଉଠାଇ ଚେନ୍ନାଇ ହାଇକୋର୍ଟରେ ମାମଲା ରୁଜୁ କରିଛି । ପଶ୍ଚିମବଙ୍ଗ ସରକାର ଏହି ମାମଲା ପରିଚାଳନା ପାଇଁ ସମସ୍ତ ପ୍ରକାର ସହଯୋଗ ଦେଉଥିବା କଥା ଓଡିଶା ରସଗୋଲା ଆନ୍ଦୋଳନ ଜଡିତ ବ୍ୟକ୍ତିମାନେ ଅଭିଯୋଗ କରୁଛନ୍ତି । ରସଗୋଲା ଓଡିଆ ଅସ୍ମିତାର ଅନ୍ୟତମ ପ୍ରତୀକ ହୋଇଥିବା ପରିପ୍ରେକ୍ଷୀରେ ଓଡିଶାର ରସଗୋଲାରୁ ଜିଆଇ ଟ୍ୟାଗ ଯେଭଳି ନହଟେ ଏବଂ ଅନ୍ୟ କୌଣସି ରାଜ୍ୟ ଯେପରି ଏହି ଟ୍ୟାଗ୍‍ ନପାଆନ୍ତି ସେ ଦିଗରେ ରାଜ୍ୟ ସରକାର ଧ୍ୟାନ ଦେବା ସହ ଉକ୍ତ ମାମଲା ପରିଚାଳନାରେ ସହଯୋଗ କରିବାପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କୁହାଯାଉଛି ।

ଅତୀତରେ ରସଗୋଲା ବିବାଦ ଘେନି ପଶ୍ଚିମବଙ୍ଗ ଓ ଓଡିଶା ସରକାର ମୁହାଁମୁହିଁ ହୋଇଥିଲେ ଏବଂ ଶେଷରେ ଓଡିଆ ଗବେଷକମାନେ ଯେଉଁ ପ୍ରାମାଣିକ ଭିତ୍ତି ଉପସ୍ଥାପନ କରିଥିଲେ ତାହାକୁ ଜିଆଇ କର୍ତ୍ତୃପକ୍ଷ ମାନିନେଇ ପଶ୍ଚିମବଙ୍ଗ ରସଗୋଲା ପ୍ରସ୍ତୁତ କରିବାର ଢେର ପୂର୍ବରୁ ଓଡିଶାରେ ରସଗୋଲା ପ୍ରସ୍ତୁତ ହେଉଥିଲା ବୋଲି ମାନିନେବାକୁ ବାଧ୍ୟ ହୋଇଥିଲେ ।

ଏହି ପ୍ରସଙ୍ଗ ସହ ଜଡି ବ୍ୟକ୍ତିମାନେ କହୁଛନ୍ତି ଯେ ୫ବର୍ଷରୁ ଅଧିକ ସମୟ ଧରି ଏହି ମାମଲା ମାଡ୍ରାସ ହାଇକୋର୍ଟରେ ଗଡୁଛି । ବ୍ୟକ୍ତିଗତ ଭାବେ ପଇସା ଖର୍ଚ୍ଚକରି ଏଠାରୁ ଚେନ୍ନାଇ ଯାଇ ଓକିଲ ନିଯୁକ୍ତ କରି ମାମଲା ପରିଚାଳନା କରିବାରେ ଅସୁବିଧା ହେଉଛି । ରାଜ୍ୟ ସରକାର ଏହି ମାମଲାରେ ହସ୍ତକ୍ଷେପ କରିବା ସହିତ ମାମଲା କିଭଳି ଓଡିଶାର ଦାବି ସପକ୍ଷରେ ସୁରୁଖୁରୁରେ ପରିଚାଳିତ ହେବ ତାହା ଉପରେ ଗୁରୁତ୍ୱ ଦେବାସହ ପଶ୍ଚିମବଙ୍ଗ ବିଜେପି ସରକାରଙ୍କୁ ପ୍ରଭାବିତ କରି ମାମଲା ଯଦି ପ୍ରତ୍ୟାହୃତ ହୋଇଯାଆନ୍ତା ତେବେ ଓଡିଶାର ରସଗୋଲା ପାଇଁ ମିଳିଥିବା ଜିଆଇ ଟ୍ୟାଗ୍‍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୁଅନ୍ତାନାହିଁ । (ତଥ୍ୟ)